ମୁଲାନପୁର: ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ (୧୦୩ ରନ୍, ୪୨ ବଲ୍, ୭ ଚୌକା, ୯ ଛକା)ଙ୍କ ଅବିଶ୍ବସନୀୟ ତଥା ଅସାଧାରଣ ଶତକ ବଳରେ ପଞ୍ଜାବ କିଙ୍ଗ୍ସ ୧୮ ରନ୍ରେ ୫ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇଛି। ମଙ୍ଗଳବାରର ଦ୍ବିତୀୟ ମୁକାବିଲାରେ ପଞ୍ଜାବ ଅନ୍ୟପଟୁ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲା। ଏପରିକି ଅଧିନାୟକ ଶ୍ରେୟସ୍ ଆୟରଙ୍କ ସମେତ ପାଞ୍ଚ ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ନଥିଲେ। ହେଲେ ୨୪ ବର୍ଷୀୟ ଇମ୍ପାକ୍ଟ ପ୍ଲେୟର ପ୍ରିୟାଂଶଙ୍କର ଯେମିତି ଏହାକୁ ଖାତିର ନଥିଲା। ଅନକ୍ୟାପ୍ଡ ଖେଳାଳି ଭାବେ ଓପନ୍ କରି ମାତ୍ର ୩୯ ବଲ୍ରୁ ଶତକ ପୂରଣ କରିଥିଲେ ସେ। ଯାହା ଥିଲା ଆଇପିଏଲ୍ ଇତିହାସର ଚତୁର୍ଥ ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ଦ୍ରୁତତମ ଶତକ।
ସେହିଭଳି ସନ୍ରାଇଜର୍ସ ହାଇଦ୍ରାବାଦର ଈଶାନ କିଶନଙ୍କ ପରେ ଚଳିତ ଋତୁର ଦ୍ବିତୀୟ ଶତକ। ତାଙ୍କ ସ୍ମରଣୀୟ ଶତକ ସହ ଶେଷ ଆଡ଼କୁ ଶଶାଙ୍କ ସିଂହ (୫୨*, ୩୬ ବଲ୍, ୨ ଚୌକା, ୩ ଛକା) ଓ ମାର୍କୋ ୟାନସେନ୍ (୩୪* ରନ୍, ୧୯ ବଲ୍, ୨ ଚୌକା, ୨ ଛକା)ଙ୍କ ଧମାକାଦାର ଭାଗୀଦାରି ବଳରେ ପଞ୍ଜାବ କିଙ୍ଗ୍ସ ୨୧୯/୬ କରିଥିଲା। ଜବାବରେ ବର୍ଦ୍ଧିତ ରନ୍ ଗତି ଚାପରେ ଚାପି ହୋଇ ଚେନ୍ନାଇ ୫ ୱିକେଟ୍ ବିନିମୟରେ ୨୦୧ ରନ୍ରେ ଅଟକି ଯାଇଥିଲା। ଡେଭନ କନୱେ ସର୍ବାଧିକ ୬୯ ରନ୍ କରିଥିଲା ବେଳେ ଅନ୍ତିମ ୩ ଓଭରରେ କେତେକ ଦର୍ଶନୀୟ ସଟ୍ ଖେଳି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଚେପକ୍ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। କିନ୍ତୁ ଚେନ୍ନାଇକୁ ଜିତାଇ ପାରି ନଥିଲେ। ଫଳରେ ଚତୁର୍ଥ ମ୍ୟାଚ୍ରୁ ପଞ୍ଜାବ କିଙ୍ଗ୍ସ ତୃତୀୟ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଚେନ୍ନାଇ ପଞ୍ଚମ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଥିଲା।
ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୧୯/୬ (ପ୍ରିୟାଂଶ ଆର୍ଯ୍ୟ ୧୦୩, ଶଶାଙ୍କ ସିଂହ ୫୨*, ମାର୍କୋ ୟାନସେନ୍ ୩୪*, ଖଲିଲ ଅହମଦ ୨/୪୫, ଆର. ଅଶ୍ବିନ ୨/୪୮)। ଚେନ୍ନାଇ ସୁପର କିଙ୍ଗ୍ସ ୨୦ ଓଭରରେ ୨୦୧/୫ (ଡେଭନ କନୱେ ୬୯, ଶିବମ ଦୁବେ ୪୨, ରାଚିନ ରବୀନ୍ଦ୍ର ୩୬, ଲୋକି ଫର୍ଗୁସନ୍ ୨/୪୦)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/09/9CAQfqXc77c5Hrz3j9LS.jpg)