କଟକରେ ପ୍ରୋ-କବାଡ଼ି ଚୟନ ଶିବିର ୨୬ରୁ

କଟକ: ଭାରତୀୟ କବାଡ଼ି ସଂଘ ଓ ଷ୍ଟାର୍‌ ସ୍ପୋର୍ଟ୍ସ ମିଳିତ ଉଦ୍ୟମରେ ଆୟୋଜିତ ହେଉଥିବା ପ୍ରୋ-କବାଡ଼ି ଲିଗ୍‌ ଏବେ ଓଡ଼ିଶା ମୁହାଁ ହୋଇଛି। ଏହି ପେଶାଦାର ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ପାଇଁ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍‌ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଚୟନ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଗତବର୍ଷ ଡିସେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ କଟକରେ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ଆୟୋଜନ ବେଳେ ପ୍ରୋ-କବାଡ଼ିର ଆୟୋଜକଙ୍କ ସହିତ ବିଭିନ୍ନ ଫ୍ରାଞ୍ଚାଇଜି ମାଲିକମାନେ କଟକ ଆସିଥିଲେ। ସେତେବେଳେ ଓଡ଼ିଶାରେ ଥିବା ସୁବିଧା ସୁଯୋଗ ବିଷୟରେ ସେମାନେ ପଚାରି ବୁଝିଥିଲାବେଳେ ଏଠାରେ ପ୍ରୋ-କବାଡ଼ି ଆୟୋଜନ ସମ୍ଭାବନା ବାବଦରେ ଇଙ୍ଗିତ କରିଥିଲେ।
ଷଷ୍ଠ ସଂସ୍କରଣ ପାଇଁ ଚୟନ ଶିବିର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୨୬ ତାରିଖରେ ଭୁବନେଶ୍ୱର, ଯାଜପୁର, କେନ୍ଦ୍ରପଡା, ବାଲେଶ୍ୱର, ପୁରୀ, କିଟ୍‌ ବଶ୍ୱବିଦ୍ୟାଳୟ, କଟକ, ଭଦ୍ରକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, ମୟୁରଭଞ୍ଜର ଖେଳାଳିଙ୍କ ସହିତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଖେଳାଳିମାନଙ୍କୁ ସୁଯୋଗ ଦିଆଯିବ। ସେହିପରି ୨୭ ତାରିଖରେ ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର, ରାଉରକେଲା ଓ ରାଜ୍ୟ ବାହାରୁ ଯୋଗଦେଉଥିବା ଖେଳାଳିମାନଙ୍କୁ ଚୟନ ଶିବିରରେ ସାମିଲ କରାଯିବ। ଚୟନ ପ୍ରକ୍ରିୟାରେ ଯୋଗଦେବାକୁ ଆଗ୍ରହୀ ଖେଳାଳିମାନଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଏହାବ୍ୟତୀତ ଖେଳ ପରିଚାଳକଙ୍କ ପାଇଁ ବୟସସୀମା ୨୦ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରି ବୋଲି କୁହାଯାଇଛି। ଆଗ୍ରହୀ ଖେଳାଳି ଓ ଖେଳ ପରିଚାଳକମାନେ ସେମାନଙ୍କ ଅନୁମୋଦିକ ପୋଷାକ, ଜୋତା ଓ ବୟସ ପ୍ରମାଣପତ୍ର ସହିତ ୨୬ ତାରିଖ ସକାଳ ୮ଟା ପୂର୍ବରୁ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଉପସ୍ଥିତ ରହିବାକୁ ଓଡ଼ିଶା କବାଡ଼ି ସଂଘର ସମ୍ପାଦକ ଅଜୟ କୁମାର ବେହେରା ଜଣାଇଛନ୍ତି।

ସମ୍ବନ୍ଧିତ ଖବର