କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ୍‌ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ପ୍ରୋ-କବାଡ଼ି ଲିଗ୍‌ ଷଷ୍ଠ ସଂସ୍କରଣ ପାଇଁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁଥିବା ଏହି ଚୟନର ପ୍ରଥମ ଦିନରେ ୬୫ଜଣ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ଭିତରୁ ଓଡ଼ିଶାରୁ ୫୭ଜଣ ଖେଳାଳି ସାମିଲ ଥିଲେ। ଏହାବ୍ୟତୀତ ମ୍ୟାଚ ପରିଚାଳନା ଅଧିକାରୀ ପାଇଁ ଓଡ଼ିଶାରୁ ୨୫ଜଣ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରୁ ୧୦ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ବଛାଯାଇଛି। ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛଇ।
ଦିଲ୍ଲୀ, ରାଜସ୍ଥାନ, ମୁମ୍ବାଇ, ଇମ୍ଫାଲ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ଚଣ୍ଡିଗଡ଼, ହରିୟାଣା ଇତ୍ୟାଦିସ୍ଥାନରେ ଚୟନ ପ୍ରକ୍ରିୟା କରାଯିବା ପରେ ୧୨ତମ ସ୍ଥାନ ଭାବେ କଟକକୁ ବଛାଯାଇଥିଲା। ଏସବୁ ସ୍ଥାନମାନଙ୍କରୁ ଖେଳାଳିମାନଙ୍କୁ ଚୟନ କରାଯାଇ ମୁମ୍ବାଇଠାରେ ହେବାକୁଥିବା ଚୂଡ଼ାନ୍ତ ପର୍ଯ୍ୟାୟରେ ସୁଯୋଗ ଦିଆଯିବ। ସେଠାରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ପ୍ରୋ-କବାଡ଼ି ପାଇଁ ମୌକା ଦିଆଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଚୟନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଖେଳାଳିଙ୍କ ବୟସ ୧୮ରୁ ୨୨ ବର୍ଷ ପର୍ଯ୍ୟନ୍ତ ଏବଂ ମ୍ୟାଚ ପରିଚାଳନା ଅଧିକାରୀ ପାଇଁ ସର୍ବାଧିକ ବୟସ ୪୦ ବର୍ଷ ବୋଲି ଧାର୍ଯ୍ୟ କରାଯାଇଥିଲା। ଭାରତୀୟ ଦଳର ପ୍ରଶିକ୍ଷକ ହାତାନ୍‌ କୁମାର, ଗୁଜୁରାଟ ଫର୍ଚୁନଜିଆଣ୍ଟ୍ସର ପ୍ରଶିକ୍ଷକ ମନପ୍ରୀତ୍‌ ସିଂହ ଖେଳାଳିମାନଙ୍କ ଚୟନକୁ ପରିଚାଳନା କରିଥିଲେ। ପଞ୍ଚମ ସଂସ୍କରଣର ଶ୍ରେଷ୍ଠ ମ୍ୟାଚ ପରିଚାଳନା ଅଧିକାରୀ ଅଜିତ କୁମାର ପରିଚାଳନା ଅଧିକାରୀଙ୍କ ଚୟନ କରିଥିଲେ।
ଗତ ଡିସେମ୍ବର ମାସରେ କଟକରେ ଜାତୀୟ କନିଷ୍ଠ କବାଡ଼ି ପ୍ରତିଯୋଗିତା ସଫଳତାର ସହ ଆୟୋଜନ ହୋଇଥିଲାବେଳେ ଏଠାକାର ଭିତ୍ତିଭୂମିକୁ ମହାସଂଘ ଓ ପ୍ରୋ-କବାଡ଼ିର ଅଧିକାରୀମାନେ ପ୍ରଶଂସା କରିଥିଲେ। ତେଣୁ ଏଠାରେ ପ୍ରୋ-କବାଡ଼ି ହେବାର ସମ୍ଭାବନା ରହିଥିବା ସେତେବେଳେ ସଙ୍କେତ ମିିଳିଥିଲା। ଏବେ ପ୍ରଥମ ପର୍ଯ୍ୟାୟରେ କଟକରେ ଏହି ପୋସାଦାର ପ୍ରତିଯୋଗିତାର ଚୟନ ଶିବିର ଆୟୋଜନ ହୋଇଥିଲାବେଳେ ଆଗାମୀ ବର୍ଷମାନଙ୍କରେ ଏଠାରେ ପ୍ରୋ-କବାଡ଼ି ଆୟୋଜନ ପାଇଁ ଉଦ୍ୟମ କରାଯିବ ବୋଲି ଓଡ଼ିଶା କବାଡ଼ି ସଂଘର ସମ୍ପାଦକ ଅଜୟ ବେହେରା କହିଛନ୍ତି।