ଭୁବନେଶ୍ବର : ଭାରତର ଉଭୟ ପୁରୁଷ ଓ ମହିଳା ଦଳର ଘରୋଇ ପ୍ରୋ ଲିଗ୍ ଅଭିଯାନ ଶନିବାରଠୁ ଆରମ୍ଭ ହେବ। ଉଭୟ ଦଳ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସଠାରେ ସ୍ପେନ୍ ବିପକ୍ଷରେ ଖେଳିବେ। ମହିଳାଙ୍କ ମ୍ୟାଚ୍ ସଂଧ୍ୟା ୫ଟା ଏବଂ ପୁରୁଷଙ୍କ ମ୍ୟାଚ୍ ରାତି ୭.୩୦ରେ ଖେଳାଯିବ। ଏହି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ମ୍ୟାଚ୍ର ସିଧା ପ୍ରସାରଣ ହକି ପ୍ରଶଂସକମାନେ watch.hockey ୱେବ୍ସାଇଟ୍ କିମ୍ବା ଆପ୍ରେ ସିଧାପ୍ରସାରଣ ଦେଖିପାରିବେ।
ଭାରତୀୟ ପୁରୁଷ ଦଳ ତା’ଠୁ କମ୍ ମାନ୍ୟତା ସ୍ପେନ୍କୁ ଭେଟୁଥିବାରୁ ସ୍ଥିର ପ୍ରଦର୍ଶନ ଲକ୍ଷ୍ୟରେ ରହିଛି। ସମାନ ବିରୋଧୀ ବିପକ୍ଷରେ ଖେଳୁଥିବା ମହିଳା ଦଳ ବିଜୟ ଧାରା ବଜାୟ ଲକ୍ଷ୍ୟରେ ରହିବ। ଫ୍ରାନ୍ସକୁ ୫-୦ରେ ହରାଇ ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଥିବା ଟୋକିଓ ଅଲିମ୍ପିକ୍ କାଂସ୍ୟ ବିଜେତା ଭାରତ କିନ୍ତୁ ଫ୍ରାନ୍ସ ବିପକ୍ଷ ଦ୍ବିତୀୟ ମ୍ୟାଚ୍ ୨-୫ରେ ହାରି ଯାଇଥିଲା। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ମ୍ୟାଚ୍ ଜିତି ଥିଲା। ଉଭୟ ଦେଶ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ପୋଷ୍ଟ୍ରମରେ ଖେଳାଯାଇଥିଲା। ଫ୍ରାନ୍ସ ବିପକ୍ଷ ମ୍ୟାଚ୍ ପରାଜୟ ପରେ ହକି ଇଣ୍ଡିଆ ଏହାର କାରଣ ପ୍ରଶିକ୍ଷକ ଗ୍ରାହମ ରିଡ୍ ଓ ଅନ୍ୟ ଅଧିକାରୀଙ୍କୁ ମାଗିଥିଲା। ତେଣୁ ସ୍ପେନ୍ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଦଳ ଭଲ କରିବା ନେଇ ଚାପ ରିଡ୍ଙ୍କ ପ୍ରଶିକ୍ଷକ ମଣ୍ଡଳି ଉପରେ ରହିବ। ଦକ୍ଷଣ ଆଫ୍ରିକାରେ ଭଲ ପ୍ରଦର୍ଶନ ଦେଇଥିବା ଦୁଇ ଯୁବ ତାରକା ଡ୍ରାଗଫ୍ଲିକର ସଞ୍ଜୟ ଓ ଷ୍ଟ୍ରାଇକର ଅଭିଷେକଙ୍କୁ ସ୍ପେନ୍ ବିପକ୍ଷରେ ସୁଯାଗ ମିଳିଛି। ଷ୍ଟ୍ରାଇକର ସୁଖଜିତ ସିଂହ ପଦାର୍ପଣ କରିବାକୁ ଯାଉଛନ୍ତି। ଏହି ଯୁବ ତାରକାମାନେ ଚମତ୍କାର ପ୍ରଦର୍ଶନ ସହ ନିଜ ନିଜର ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛନ୍ତି। ଭାରତ ସ୍ପେନ୍ ବିପକ୍ଷରେ ପୂର୍ବ ଭୁଲ୍କୁ ସୁଧାରି ସ୍ଥିର ପ୍ରଦର୍ଶନ ସହ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସ୍ପେନ୍ ତା’ ପ୍ରଥମ ମୁକାବିଲାରେ ଇଂଲଣ୍ଡଠୁ ୧-୬ ଓ ୨-୩ରେ ହାରିଥିବାରୁ ଘରୋଇ ଦଳ ବିପକ୍ଷ ମ୍ୟାଚ୍ ବେଳେ ଚାପରେ ରହିବ। ଓଡ଼ିଶାରୁ ଦୁଇ ଜଣ ଦୀପସାନ ତିର୍କି ଓ ଶିଳାନନ୍ଦ ଲାକ୍ରା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
ଅନ୍ୟପକ୍ଷରେ ମହିଳା ଦଳ ବିଜୟରୁ ପ୍ରୋ ଲିଗ୍ ଅଭିଯାନ ଆରମ୍ଭ କରିଥିଲା। ଓମାନ୍ର ମସ୍କଟରେ ଖେଳାଯାଇଥିବା ଚୀନ୍ ବିପକ୍ଷ ଦୁଇଟି ମ୍ୟାଚ୍କୁ ଭାରତ ୭-୧ ଓ ୨-୧ରେ ଜିତିଥିଲା। ଏବେ ସମ୍ମୁଖରେ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ସ୍ପେନ୍ ରହିଛି। ସ୍ପେନ୍ ବିଶ୍ବ କପ୍ କାଂସ୍ୟ ବିଜେତା ମଧ୍ୟ। ହେଲେ ଚୀନ୍କୁ ହରାଇ ଦୃଢ଼ ମନୋବଳରେ ଥିବା ଭାରତ ନିଜ ଘରୋଇ ମାଟିରେ ଏହି ମ୍ୟାଚ୍ ଜିତି ବିଜୟ ଧାରା ବଜାୟ ରଖିବା ଅଶାରେ ରହିଛି। ଟୋକିଓ ଅଲିମ୍ପିକ୍ରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିବା ଏହି ଦଳ ପୂରା ବଳ ସହ ପଡ଼ିଆକୁ ଓହ୍ଲାଇବ ବୋଲି ଅଧିନାୟିକା ସବିତା କହିଛନ୍ତି। ମହିଳା ଦଳରେ ଓଡ଼ିଶାରୁ ଦୁଇ ଜଣ ଉପଅଧିନାୟିକା ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ରହିଛନ୍ତି।