ଜର୍ମାନି ବିପକ୍ଷ ପ୍ରୋ-ଲିଗ୍‌ ହକି: ଅମିତ ପୁଣି ଅଧିନାୟକ

ଭୁବନେଶ୍ବର: ଓଡ଼ିଆ ପୁଅ ତଥା ରକ୍ଷଣଭାଗ ଖେଳାଳି ଅମିତ ରୋହିଦାସ ପୁଣି ଭାରତୀୟ ହକି ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଜର୍ମାନି ବିପକ୍ଷ ପ୍ରୋ-ଲିଗ୍‌ ଲାଗି ସୋମବାର ଘୋଷିତ ୨୨ ଜଣିଆ ଦଳର ନେତୃତ୍ବ ଭାର ତାଙ୍କୁ ମିଳିଛି। ଏହି ଦଳରେ ଅନ୍ୟତମ ଓଡ଼ିଆ ଶିଳାନନ୍ଦ ଲାକ୍ରା ମଧ୍ୟ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ତାରକା ଡ୍ରାଗଫ୍ଲିକର ହର୍ମନପ୍ରୀତ ସିଂହ ଉପଅଧିନାୟକ ରହିଛନ୍ତି। ଗୁରୁବାର ଓ ଶୁକ୍ରବାର ଜର୍ମାନି ବିପକ୍ଷରେ ଭାରତ କଳିଙ୍ଗ ଷ୍ଟାଡିୟମରେ ଏହି ଡବଲ ହେଡର ମ୍ୟାଚ୍‌ ଖେଳିବ। ସଂପ୍ରତି ଭାରତ ୨୧ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ରହିଥିଲା ବେଳେ ଜର୍ମାନି (୧୭ ପଏଣ୍ଟ୍‌) ଦ୍ବିତୀୟରେ ରହିଛି।

‘‘ଚଳିତ ବର୍ଷର ପ୍ରୋ ଲିଗ୍‌ ଆମକୁ ଭଲ ଦଳ ଗଠନ ଏବଂ ରଣନୀତି ପ୍ରସ୍ତୁତ ଲାଗି ସୁଯୋଗ ଦେଇଛି। ଆମକୁ କ’ଣ କରିବାକୁ ପଡ଼ିବ ଏବଂ କ’ଣ ଆବଶ୍ୟକତା ଏବଂ କେଉଁଥିରେ ଆମକୁ ଉନ୍ନତି କରିବାକୁ ପଡ଼ିବ ତାହା ଶିଖିଛୁ। ଚଳିତ ସପ୍ତାହରେ ଜର୍ମାନି ବିପକ୍ଷରେ ଖେଳିବୁ। ଚଳିତ ବର୍ଷର ଏହା ଆମର ଶେଷ ଘରୋଇ ଚରଣ। ସଂପ୍ରତି ଆମ‌େ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ରହିଛୁ। ଜର୍ମାନି ବିପକ୍ଷରେ ଜିତି ଏହା ବଜାୟ ରଖିବା ଉପରେ ଯଥା ସମ୍ଭବ ଚେଷ୍ଟା କରିବୁ’’ ବୋଲି ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌ କହିଛନ୍ତି। ଭାରତ ଚଳିତ ପ୍ରୋ-ଲିଗ୍‌ରେ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ଦୁଇ ଥର ୧୦-୨ରେ ହରାଇଥିଲା। ସେଠାରେ ଫ୍ରାନ୍ସ ବିପକ୍ଷରେ ଗୋଟିଏ ୫-୦ରେ ଜିତିଥିଲା ଏବଂ ଅନ୍ୟଟି ୨-୫ରେ ହାରିଥିଲା। ଏହା ପରେ ଘରେ ସ୍ପେନ୍‌ ବିପକ୍ଷରେ ଗୋଟିଏ ୫-୪ରେ ଜିତିଥିଲା ବେଳେ ଅନ୍ୟଟି ୩-୫ରେ ହାରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ୪-୩ରେ ଜିତିଥିଲା ବେଳେ ୨-୨ (୧-୩) ସୁଟ୍‌ଆଉଟ୍‌ ହୋଇଥିଲା ଏବଂ ନିକଟରେ ୩-୩ (୩-୨ ସୁଟ୍‌ଆଉଟ୍‌) ଓ ୪-୩ରେ ଇଂଲଣ୍ଡକୁ ହରାଇଥିଲା।

ଭାରତୀୟ ଦଳ: ଶ୍ରୀଜେସ, କ୍ରିଷନ ବି ପାଠକ (ଗୋଲ୍‌ରକ୍ଷକ), ବରୁଣ କୁମାର, ଅମିତ ରୋହିଦାସ, ସୁରେନ୍ଦର କୁମାର, ଯୁଗରାଜ ସିଂହ, ହର୍ମନପ୍ରୀତ ସିଂହ, ଜର୍ମନପ୍ରୀତ ସିଂହ, ଗୁରିନ୍ଦର ସିଂହ (ରକ୍ଷଣଭାଗ), ନୀଳକାନ୍ତ ଶର୍ମା, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ଶମଶେର ସିଂହ, ହାର୍ଦିକ ସିଂହ, ମୋଇରାଙ୍ଗଥେମ ରବିଚନ୍ଦ୍ର ସିଂହ (ମଧ୍ୟଭାଗ), ସୁଖଜୀତ ସିଂହ, ଅଭିଷେକ, ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଦିଲପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ (ଅଗ୍ରଭାଗ)।

ସମ୍ବନ୍ଧିତ ଖବର