ଲଣ୍ଡନ : ଚଳିତ ପ୍ରୋ-ଲିଗ୍ ହକି ପ୍ରତିଯୋଗିତାର ଘରୋଇ ଚରଣରେ ଚମତ୍କାର ପ୍ରଦର୍ଶନ ସହ ଟେବୁଲର ଶୀର୍ଷରେ ଥିବା ଭାରତ ବିଦେଶ ଚରଣରେ ଝୁଣ୍ଟିଛି। ଲଣ୍ଡନରେ ଶୁକ୍ରବାର ବେଲ୍ଜିୟମ ବିପକ୍ଷ ପ୍ରଥମ ମ୍ୟାଚ୍କୁ ୨-୧ ଗୋଲ୍ରେ ହାରିଥିବା ଭାରତ ଶନିବାର ଗ୍ରେଟ୍ ବ୍ରିଟେନ୍ଠୁ ୨-୪ ଗୋଲ୍ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଭାରତ (୧୯ ପଏଣ୍ଟ୍) ଟେବୁଲର ଶୀର୍ଷରୁ ଦ୍ବିତୀୟକୁ ଖସିଯାଇଛି। ଦ୍ବିତୀୟରେ ଥିବା ଗ୍ରେଟ୍ ବ୍ରିଟେନ୍ (୨୨ ପଏଣ୍ଟ) ଶୀର୍ଷକୁ ଉଠିଛି।
ଶନିବାର ମ୍ୟାଚ୍ର ଷଷ୍ଠ ମିନିଟ୍ରେ ନର୍ସ ତିମୋଥିଙ୍କ ଫିଲ୍ଡ ଗୋଲ୍ରେ ଘରୋଇ ଇଂଲଣ୍ଡ ଦଳ ଅଗ୍ରଣୀ ନେଇଥିଲା। ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ (୧୩ ମିନିଟ୍) ଏହି ଗୋଲ୍ ଶୁଝି ସ୍ଥିତି ବରାବର କରିଥିଲେ। ପ୍ରଥମ କ୍ବାର୍ଟର ୧-୧ରେ ସରିବା ପରେ ଦ୍ବିତୀୟ କ୍ବାର୍ଟର ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ସର୍ସବି ଥୋମାସ (୩୧ ମିନିଟ୍) ଓ ମର୍ଟନ ଲି’ (୩୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଘରୋଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ୪୨ତମ ମିନିଟ୍ରେ ହର୍ମନପ୍ରୀତ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ସ୍ଥିତି ୨-୩ କରିଥିଲେ। ହେଲେ ୫୩ତମ ମିନିଟ୍ରେ ବନ୍ଦୁରାକ ନିକୋଲାସଙ୍କ ଗୋଲ୍ରେ ଗ୍ରେଟ୍ ବ୍ରିଟେନ୍ ବିଜୟ ବ୍ୟବଧାନକୁ ୪-୨ କରିଥିଲା। ଭାରତ ତା’ର ପରବର୍ତ୍ତୀ ୨ ମ୍ୟାଚ୍ ଜୁନ୍ ୨ ତାରିଖରେ ବେଲ୍ଜିୟମ ଏବଂ ୩ ତାରିଖରେ ଗ୍ରେଟ୍ ବ୍ରିଟେନ୍ ବିପକ୍ଷରେ ଖେଳିବ।