ଭୁବନେଶ୍ବର: ହକି ଇଣ୍ଡିଆ ଲିଗ୍ ଶେଷ ହେବାର ୧୫ ଦିନ ପରେ ବିଶ୍ବସ୍ତରୀୟ ହକି ପ୍ରତିଯୋଗିତା ଓଡ଼ିଶାକୁ ଫେରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଶନିବାରଠୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ଭାରତ ଲେଗ୍ ଆରମ୍ଭ ହେବାକୁ ଯାଉଛି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଆସନ୍ତାକାଲିଠାରୁ ଘରୋଇ ପଡ଼ିଆରେ ନିଜନିଜର ଅଭିଯାନ ଆରମ୍ଭ କରିବେ। ଏହି ପ୍ରତିଯୋଗିତାର ବିଜେତା ଦଳ ସିଧାସଳଖ ୨୦୨୬ ବିଶ୍ବକପ୍କୁ ଯୋଗ୍ୟତା ଅର୍ଜନ କରିବ। ତେଣୁ ଦୁଇଟି ଯାକ ଦଳ ଏହି ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ପୁରୁଷ ଦଳ ସ୍ପେନ୍ ବିପକ୍ଷରେ ଶନିବାର ଓ ରବିବାର ଦୁଇଟି ମ୍ୟାଚ୍ ଖେଳିବ। ଏହାପରେ ୧୮ ଓ ୧୯ରେ ଜର୍ମାନୀ ଏବଂ ୨୧ ଓ ୨୨ରେ ଆୟର୍ଲାଣ୍ଡ ଏବଂ ୨୪ ଓ ୨୫ରେ ଇଂଲଣ୍ଡ ବିପକ୍ଷରେ ଖେଳି ଘରୋଇ ଲେଗ୍ ଶେଷ କରିବ। ଏହାପରେ ବିଦେଶ ମାଟିରେ ଜୁନ୍ ୭ରୁ ୨୨ ପର୍ଯ୍ୟନ୍ତ ଖେଳିବ। ଏହି ଲେଗ୍ରେ ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ବିପକ୍ଷରେ ଆମଷ୍ଟରଡାମ୍ ଏବଂ ଅଷ୍ଟ୍ରେଲିଆ ଓ ବେଲ୍ଜିୟମ୍ ବିପକ୍ଷରେ ଅନ୍ତ୍ବର୍ପରେ ଖେଳି ପ୍ରୋ ଲିଗ୍ ଅଭିଯାନ ଶେଷ କରିବ।
ଶନିବାର ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ହର୍ମନପ୍ରୀତ ସିଂହ କହିଛନ୍ତି ଯେ ଆମର ସବୁ ଖେଳାଳି ଭଲ ଲୟରେ ଅଛନ୍ତି ଏବଂ ପ୍ରତ୍ୟେକ ମ୍ୟାଚ୍ ଜିତିବା ଲାଗି ଲକ୍ଷ୍ୟ ରଖିଛନ୍ତି। ଆଗାମୀ ବିଶ୍ବକପ୍ ଟିକେଟ୍ ଉପରେ ମଧ୍ୟ ଆମର ନଜର ରହିଛି। ମହିଳା ଦଳ ଶନିବାର ଓ ରବିବାର ଇଂଲଣ୍ଡ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହାପରେ ୧୮ ଓ ୧୯ରେ ସ୍ପେନ୍, ୨୧ ଓ ୨୨ରେ ଜର୍ମାନୀ ଏବଂ ୨୪ ଓ ୨୫ରେ ଗତ ସଂସ୍କରଣ ବିଜେତା ନେଦରଲାଣ୍ଡ୍ସ ବିପକ୍ଷରେ ଖେଳି ଭାରତ ଲେଗ୍ ଶେଷ କରିବ। ଜୁନ୍ ୧୪ରୁ ୨୯ ପର୍ଯ୍ୟନ୍ତ ବିଦେଶ ଲେଗ୍ରେ ଅଷ୍ଟ୍ରେଲିଆ ଓ ଆର୍ଜେଣ୍ଟିନା (ଲଣ୍ଡନ), ବେଲ୍ଜିୟମ୍ (ଅନ୍ତ୍ବର୍ପ), ଚୀନ୍ (ବର୍ଲିନ୍) ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରିବ। ମ୍ୟାଚ୍ ପୂର୍ବରୁ ଭାରତୀୟ ମହିଳା ଦଳ ଅଧିନାୟକ ସଲିମା ଟେଟେ କହିଛନ୍ତି ଯେ ଆମେ ଆହ୍ବାନପୂର୍ଣ୍ଣ ପ୍ରତିଦ୍ବନ୍ଦ୍ବୀଙ୍କୁ ସାମ୍ନା କରିବାକୁ ଯାଉଛୁ। ମୁଁ ନିଶ୍ଚିତ ଯେ ଆମ ଝିଅମାନେ ସବୁପ୍ରକାରର ଚ୍ୟାଲେଞ୍ଜ୍ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଗତ ଥର ଆଶାଜନକ ପ୍ରଦର୍ଶନ ଦେଇପାରି ନଥିଲୁ। କିନ୍ତୁ ଏବେ ମୁଁ ଅନୁଭବ କରୁଛି ସେ ସମୟ ଚାଲିଯାଇଛି ଏବଂ ଆଗାମୀ ମ୍ୟାଚ୍ ଲାଗି ଭଲ ଭାବେ ପ୍ରସ୍ତୁତ ଅଛୁ।