ପ୍ରୋ-ଲିଗ୍‌ରେ ସଫଳ ପଦାର୍ପଣ: ଭାରତ ୫-୨ରେ ନେଦରଲାଣ୍ଡ୍ସକୁ ହରାଇଲା

ଭୁବନେଶ୍ବର: ବିଶ୍ବକପ୍‌ ହକି ପରାଜୟର ପ୍ରତିଶୋଧ ଭାରତ ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ରେ ନେଇଛି। ଶନିବାର ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମୁକାବିଲାରେ ‌ବିଶ୍ବ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଘରୋଇ ଭାରତ ୫-୨ ଗୋଲ୍‌ରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ସକୁ ହରାଇ ଦେଇଛି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତ ମ୍ୟାଚ୍‌ ଆରମ୍ଭରୁ ଗୋଲ୍‌ ‌ଅଭିଯାନ ଆରମ୍ଭ କରିଥିଲା। ବିଶ୍ବ ମାନ୍ୟତା‌ର ତୃତୀୟ ସ୍ଥାନରେ ଥିବା ନେଦରଲାଣ୍ଡ୍ସର ଖେଳାଳିଙ୍କୁ ଚକ୍‌ମା ଦେଇ ତ୍ରୟୋଦଶ ସେକେଣ୍ଡ୍‌ରେ ଭାରତ ଆଗୁଆ ହୋଇଥିଲା। ଭାରତ ପକ୍ଷରୁ ରୂପୀନ୍ଦର ପାଲ୍‌ ସିଂହ (୧୨, ୪୬ ମିନିଟ୍‌) ଦୁଇଟି, ଗୁରଜାଣ୍ଟ୍‌ ସିଂହ (୧ ମିନିଟ୍‌), ମନଦୀପ ସିଂହ (୩୪ ମିନିଟ୍‌), ଲଲିତ ଉପାଧ୍ୟୟ (୩୬ ମିନିଟ୍‌), ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ନେଦରଲାଣ୍ଡ୍ସ ପକ୍ଷରୁ ଦୁଇଟି ଗୋଲ୍‌ ଶୁଝିଥିଲେ ଜିପ୍‌ ଜାନସେନ୍‌ (୧୪ ମିନିଟ୍‌), ଜିରନ ହର୍ଟବର୍ଜର (୨୮ ମିନିଟ୍‌)। ଲିଲିତ ଉପାଧ୍ୟାୟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହାକୁ ଅତିଥି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦାନ କରିଥିଲେ। ମ୍ୟାଚ୍‌ ଆରମ୍ଭ ପୂର୍ବରୁ ହକି କିଂବଦନ୍ତି ତଥା ଅଲିମ୍ପିଆନ୍‌ ଏବଂ ହକି ପ୍ରମୋସନ କାଉନ୍‌ସିଲ ଅଧ୍ୟକ୍ଷ ଦିଲୀପ ତିର୍କି ଅତିଥି ଭାବେ ଯୋଗଦେଇ ଉଭୟ ଦଳ ସହ ପରିଚିତ ହୋଇଥିଲେ। ରବିବାର ସଂଧ୍ୟା ୫ଟାରେ ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ।

ପ୍ରଥମ କ୍ବାର୍ଟର୍‌
ତ୍ରୟୋଦଶ ସେକେଣ୍ଡ୍‌ରେ ଭାରତ ଆଗୁଆ (୨-୧)
ଶନିବାର ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ହିଁ ଭାରତ ଆଗୁଆ ହୋଇଯାଇଥିଲା। ତ୍ରୟୋଦଶ ସେକେଣ୍ଡ୍‌ରେ ମନ୍‌ଦୀପ ସିଂହଙ୍କ ଏକ ସୁନ୍ଦର ପାସ୍‌କୁ ଗୁର୍‌ଜାଣ୍ଟ୍‌ ସିଂହ ସିଧା ନେଦରଲାଣ୍ଡ୍ସ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦେଇଥିଲେ। ଏହି ଗୋଲ୍‌ ବଳରେ ଭାରତ ପ୍ରୋ-ଲିଗ୍‌ ପଦାର୍ପଣକୁ ସ୍ମରଣୀୟ କରିଥିଲା। ପ୍ରାରମ୍ଭିକ ଅଗ୍ରଣୀ ନେବାପରେ ଭାରତକୁ ୧୨ ମିନିଟ୍‌ରେ ଏକ ପେନାଲ୍‌ଟି କର୍ଣ୍ଣର ମଳିଥିଲା। ଯାହାକୁ ରୂପୀନ୍ଦର ପାଲ୍‌ ସିଂହ ଗୋଲ୍‌ରେ ପରିଣତ କରି ଭାରତକୁ ୨-୦ରେ ଆଗୁଆ କରିଥିଲେ। ତ୍ରୟୋଦଶ ମିନିଟ୍‌ରେ ନେଦରଲାଣ୍ଡ୍ସକୁ ମିଳିଥିବା ପେନାଲ୍ଟିକୁ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ଅଟକାଇ ଦେଇଥିଲେ। ହେଲେ ୧୪ତମ ମିନିଟ୍‌ରେ ନେଦରଲାଣ୍ଡ୍ସକୁ ମିଳିଥିବା ପରବର୍ତ୍ତୀ ପେନାଲ୍‌ଟି କର୍ନରକୁ ଜିପ୍‌ ଜାନ୍‌ସେନ୍‌ ସଫଳତା ସହ ଭାରତୀୟ ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦେଇଥିଲେ। ଫଳରେ ପ୍ରଥମ କ୍ବାର୍ଟର ୨-୧ରେ ଶେଷ ହୋଇଥିଲା।

ଦ୍ବିତୀୟ କ୍ବାର୍ଟର୍‌
ନେଦରଲାଣ୍ଡ୍ସ ଚମତ୍କାର ଖେଳିଲା (୨-୨)
ଦ୍ବିତୀୟ କ୍ବାର୍ଟରରେ ନେଦରଲାଣ୍ଡ୍ସ ଚମତ୍କାର ଖେଳିଥିଲା। ଭାରତକୁ ଗୋଲ୍‌ ଦେବାକୁ ସୁଯୋଗ ଦେଇନଥିଲା। ଭାରତର ଗୋଲ୍‌ ପୋଷ୍ଟ୍‌ ଉପରକୁ ଘନଘନ ଆକ୍ରମଣ କରିଥିଲା। ଏହାର ଫଳ ସ୍ବରୂପ ଅତିଥି ଦଳ ୨୮ତମ ମିନିଟ୍‌ରେ ଏକ ଚମତ୍କାର ଗୋଲ୍ ଦେଇଥିଲା। ଏହି ମହତ୍ବପୂର୍ଣ୍ଣ ଗୋଲ୍‌ଟି ଜିରନ ହର୍ଟବର୍ଜର ଦେଇଥିଲେ। ଫଳରେ ପ୍ରଥମାର୍ଧ ୨-୨ ଗୋଲ୍‌ରେ ଶେଷ ହୋଇଥିଲା।

ତୃତୀୟ କ୍ବାର୍ଟର୍‌
ଭାରତର ସଫଳ ପ୍ରତ୍ୟାବର୍ତ୍ତନ (୪-୨)
ଦ୍ବିତୀୟ କ୍ବାର୍ଟରରେ ଧିମା ଖେଳିଥିବା ଭାରତ ତୃତୀୟ କ୍ବାର୍ଟର୍‌ରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲା। ଏହି କ୍ବାର୍ଟର୍‌ରେ ଘରୋଇ ଦଳ ଦୁଇଟି ଗୋଲ୍‌ ଦେବାକୁ ସକ୍ଷମ ହୋଇଥିଲା। ୩୪ତମ ମିନିଟ୍‌ରେ ମନ୍‌ପ୍ରୀତ ସିଂହଙ୍କ ସୁନ୍ଦର ପାସ୍‌କୁ ଗୋଲ୍‌ରେ ପରିଣତ କରିଥିଲେ ମନ୍‌ଦୀପ ସିଂହ। ଏହାପରେ ୩୭ତମ ମିନିଟ୍‌ରେ ମନଦୀପ ସିଂହଙ୍କ ସହଯୋଗରେ ଲିଲିତ ଦୁଇଜଣ ଡଚ୍‌ ଖେଳାଳିଙ୍କୁ ପରାସ୍ତ କରି ଗୋଲ୍‌ କରିଥିଲେ। ଏହି ଗୋଲ୍‌ ବଳରେ ଭାରତ ତୃତୀୟ କ୍ବାର୍ଟର ସୁଦ୍ଧା ୪-୨ରେ ଆଗୁଆ ରହିଥିଲା।

ଚତୁର୍ଥ କ୍ବାର୍ଟର୍‌
ନେଦରଲାଣ୍ଡ୍ସ ନିରାଶ (୨-୫)
ପ୍ରଥମ କ୍ବାର୍ଟର୍‌ରେ ‌ଅତିଥି ଦଳ ପଛରେ ପଡ଼ିଥିଲା ବେଳେ ଦ୍ବିତୀୟ କ୍ବାର୍ଟର୍‌ରେ ଭଲ ଖେଳି ସ୍ଥିତି ବରାବର କରିଥିଲା। ତୃତୀୟ କ୍ବାର୍ଟର୍‌ରେ ଏହି ଦଳ ପୂରା ଆତ୍ମ ସମର୍ପଣ କରିଥିଲା। ଚତୁର୍ଥରେ ଏହି ବିଶ୍ବକପ୍‌ ଉପବିଜେତା ଦଳକୁ ନିରାଶ ହେବାକୁ ପଡ଼ିଥିଲ। ଘରୋଇ ଭାରତ ତାକୁ ଫେରିବାର କୌଣସି ସୁଯୋଗ ଦେଇନଥିଲା। ବରଂ ଆଉ ଗୋଟିଏ ଗୋଲ୍‌ ଦେଇ ବିଜୟ ବ୍ୟବଧାନକୁ ବଢ଼ାଇଥିଲା। ଏହି କ୍ବାର୍ଟର ଆରମ୍ଭରୁ ହିଁ ଭାରତକୁ ମିଳିଥିବା ପେନାଲ୍‌ଟି କର୍ନରକୁ ରୂପୀନ୍ଦର ପାଲ୍‌ ସିଂହ (୪୬ ମିନିଟ୍‌) ଗୋଲ୍‌ରେ ପରିଣତ କରି ଯୁଗଳ ସଫଳତା ମୁଠାଇ ଥିଲେ।

ପୁଣି କଳିଙ୍ଗରେ ହକି କ୍ରେଜ୍‌
ବିଶ୍ବକପ୍, ଅଲିମ୍ପିକ୍ସ ଯୋଗ୍ୟତା ପରି ବଡ଼ ପ୍ରତିଯୋଗିତା ଆୟୋଜନ ପରେ କଳିଙ୍ଗ‌କୁ ‌ପୁଣି ହକି କ୍ରେଜ୍‌ ଫେରିଛି। ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ର ଉଦ୍‌ଘାଟନୀ ମୁକାବିଲା‌େର ‌ଘରୋଇ ଭାରତ ଭେଟିଛି ‌ଅତିଥି ନେଦରଲାଣ୍ଡ୍ସକୁ। ପ୍ରାୟ ୨ ମାସ ପରେ ପୁଣି ଥରେ କଳିଙ୍ଗକୁ ହକି ଫେରିଥିବାରୁ ଏହାକୁ ହାତଛଡ଼ା କରି ନଥିଲେ ଦର୍ଶକ। ଶୀତ ରାତିରେ ମଧ୍ୟ ବହୁସଂଖ୍ୟାରେ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ବହୁସଂଖ୍ୟକ ଛାତ୍ରଛାତ୍ରୀ ମଧ୍ୟ ଏହି ମ୍ୟାଚ୍‌ ଦେଖିବାକୁ ସୁଯୋଗ ପାଇଥିଲେ। ବିଶ୍ବକପ୍‌ ବେଳେ ଟିକେଟ୍‌ କଳାବଜାରି ହୋଇଥିଲା ବେଳେ ଏହି ପ୍ରତିଯୋଗିତାର ମ୍ୟାଚ୍‌ ଦିନ ମଧ୍ୟ କାଉଣ୍ଟର ଓ ଅନ୍‌ଲାଇନ୍‌ରେ ଟିକେଟ୍‌ ମିଳୁଥିଲା।
ସଂରକ୍ଷିତ ଖେଳାଳି ଦର୍ଶକ
ଏହି ପ୍ରତିଯୋଗିତା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ହକି ଦଳର ଅଭ୍ୟାସ ଶିବିର ଚାଲିଥିଲା। ଏହି ଶିବିରରୁ ପ୍ରୋ-ଲିଗ୍‌ ଲାଗି ୨୦ ଜଣିଆ ଚୂଡ଼ାନ୍ତ ‌ଦଳ ଘୋଷିତ ହୋଇଥିଲା। ଶିବିରରେ ଥିବା ଅନ୍ୟ ଖେଳାଳିମାନେ ସଂରକ୍ଷିତ ଭାବେ ଭୁବନେଶ୍ବରରେ ରହିଛନ୍ତି। ଫଳରେ ସମସ୍ତ ଖେଳାଳି ନିଜ ଦଳକୁ ସମର୍ଥନ ଦେବା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହି ଖେଳର ମଜା ନେଇଥିଲେ।
ଅମିତ, ବୀରେନ୍ଦ୍ର ଖେଳିଲେ
ଭାରତୀୟ ଦଳରେ ଥିବା ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଖେଳିବାକୁ ସୁଯୋଗ ପାଇଥିଲେ। ପ୍ରଥମ ଏକାଦଶରେ ରହି ନଥିଲେ ମଧ୍ୟ ଉଭୟ ପରବର୍ତୀ ସମୟରେ ପଡ଼ିଆରେ ପ୍ରବେଶ କରିଥିଲେ। ଘରୋଇ ଦର୍ଶକଙ୍କ ସମ୍ମୁଖରେ ନିଜର ପରାକ୍ରମ ଦେଖାଇଥିଲେ। କୌଣସି ଗୋଲ୍‌ରେ ଉଭୟ ଭାଗୀଦାରି ନଥିଲେ ମଧ୍ୟ ଚମତ୍କାର ଖେଳିଥିଲେ।

ସମ୍ବନ୍ଧିତ ଖବର