ଲଣ୍ଡନ: ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ) ଦ୍ବାରା ସ୍ବୀକୃତ ଏଲ୍ଇଡି ବଲ୍ବ ସଂଲଗ୍ନ ବେଲ୍ସକୁ ନେଇ ଏବେ ବିବାଦ ଉପୁଜିଛି। ଚଳିତ ବିଶ୍ବକପ୍ରେ ଷ୍ଟମ୍ପ୍ସରେ ବଲ୍ ବାଜିବା ସତ୍ତ୍ବେ ଏହି ଜିଙ୍ଗ୍ ବେଲ୍ସ ଖସୁନଥିବାରୁ ଏହାର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବେଲ୍ସ ଖସୁନଥିବାରୁ ବ୍ୟାଟ୍ସମ୍ୟାନ୍ଙ୍କୁ ଫାଇଦା ମିଳୁଛି ଏବଂ ବୋଲର ନିରାଶ ହେଉଛନ୍ତି। ଚଳିତ ବିଶ୍ବକପ୍ରେ ଏଭଳି ଘଟଣା ପ୍ରାୟ ୫ ଥର ଦେଖାଗଲାଣି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍ରେ ଯଶ୍ପ୍ରୀତ୍ ବୁମ୍ରାଙ୍କ ବୋଲିଂରେ ଡେଭିଡ୍ ୱର୍ନର ଆଉଟ୍ ନହେବା ଜିଙ୍ଗ୍ ବେଲ୍କୁ ଅଧିକ ବିବାଦ ଘେରକୁ ଟାଣିଛି। ୱର୍ନର ବ୍ୟାଟିଂ କରୁଥିଲା ବେଳେ ବୁମ୍ରାଙ୍କ ଏକ ବଲ୍ ଷ୍ଟମ୍ପ୍ସରେ ବାଜିଥିଲା। ହେଲେ ବେଲ୍ ନଖସିବାରୁ ୱର୍ନର ନିଶ୍ଚିତ ଆଉଟ୍ ହେବାରୁ ବର୍ତିଯାଇଥିଲେ। ଏହା ପୂର୍ବରୁ ଚଳିତ ବିଶ୍ବକପ୍ରେ ଆଉ ୪ ଥର ଏଭଳି ଘଟିସାରିଛି। ସେମଧ୍ୟରୁ ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍-ଶ୍ରୀଲଙ୍କା, ଅଷ୍ଟ୍ରେଲିଆ-ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ-ବାଂଲାଦେଶ ମ୍ୟାଚ୍ ସାମିଲ ରହିଛି। ଶେଷ ଥର ପାଇଁ ରବିବାର ଏଭଳି ଘଟଣା ଘଟିବା ପରେ ଉଭୟ ଦଳର ଅଧିନାୟକ ବିରାଟ କୋହଲି ଓ ଆରୋନ୍ ଫିଞ୍ଚ୍ ମଧ୍ୟ ଜିଙ୍ଗ୍ ବେଲ୍ର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ଉପରେ ପଦକ୍ଷେପ ନିଆଯାଉ ବୋଲି ଉଭୟେ ଆହ୍ନାନ ଦେଇଛନ୍ତି। ହେଲେ ଆଇସିସି ଜିଙ୍ଗ୍ ବେଲ୍କୁ ସମର୍ଥନ କରୁଛି। ଆଇସିସିର କହିବା କଥା ହେଲା ସାଧାରଣ ଭାବେ ସମସ୍ତ ସ୍ତରର କ୍ରିକେଟ୍ରେ ବ୍ୟବହୃତ କାଠ ନିର୍ମିତ ବେଲ୍ ଅଧିକ ଓଜନିଆ ଥିଲା। ତାହା ତୁଳନାରେ ଏବେ ବ୍ୟବହୃତ ହେଉଥିବା ଜିଙ୍ଗ୍ ବେଲ୍ ହାଲୁକା ରହିଛି। ତେଣୁ ବେଲ୍ ନଖସିବାକୁ ନେଇ ବିବାଦ ଉପୁଜିବା ଉଚିତ ନୁହେଁ ବୋଲି ଆଇସିସି କହିଛି। ତେବେ ଚଳିତ ବିଶ୍ବକପ୍ରେ ରବିବାର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ରେ ବୁମ୍ରା ବନାମ ୱର୍ନରଙ୍କ ବାଦ୍ ଆଉ ଯେଉଁ ୪ ଥର ଜିଙ୍ଗ୍ ବେଲ୍କୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ତା’ ଉପରେ ନଜର ପକାଇବା।
।ରସିଦ୍ ବନାମ ଡି’କକ୍: ଦକ୍ଷିଣ ଆଫ୍ରିକା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ ଡି’କକ୍ ଇଂଲଣ୍ଡ ସ୍ପିନର ଆଦିଲ ରସିଦ୍ଙ୍କ ବଲ୍ରେ ବର୍ତି ଯାଇଥିଲେ। ରସିଦ୍ଙ୍କ ବୋଲିଂରେ ଡି’କକ୍ ରିଭର୍ସ ସୁଇପ୍ ଖେଳୁଥିଲା ବେଳେ ବଲ୍ ଡି’କକ୍ଙ୍କ ବ୍ୟାଟ୍ରୁ ଖସି ଲେଗ୍ ଷ୍ଟମ୍ପ୍ରେ ମାଡ ହୋଇଥିଲା। ହେଲେ ବେଲ୍ ଅବିଚଳିତ ରହିଥିଲା। ଯାହାଫଳରେ ଡି’କକ୍ କେବଳ ଆଉଟ୍ରୁ ବର୍ତିନଥିଲେ, ୪ ରନ୍ ମଧ୍ୟ ପାଇଥିଲେ।
।ବୋଲ୍ଟ ବନାମ କରୁଣାରତ୍ନେ: ନ୍ୟୁଜିଲାଣ୍ଡ୍ ଦ୍ରୁତ ବୋଲର ଟ୍ରେଣ୍ଟ୍ ବୋଲ୍ଟଙ୍କ ବୋଲିଂରେ ସିଂହଳୀ ବ୍ୟାଟ୍ସମ୍ୟାନ୍ ଦିମୁତ କରୁଣାରତ୍ନେ ଥାର୍ଡ ମ୍ୟାନ୍ ଅଞ୍ଚଳକୁ ଖେଳିବାର ପ୍ରୟାସ କଲା ବେଳେ ବଲ୍ ଷ୍ଟମ୍ପ୍କୁ ଧକ୍କା ଦେଇଥିଲା। ହେଲେ ବେଲ୍ ଆଦୌ ଖସିନଥିଲା। ଏଥିରେ ବୋଲ୍ଟ ନିରାଶ ହୋଇଥିଲା ବେଳେ କରୁଣାରତ୍ନେ ଜୀବନଦାନ ପାଇଥିଲେ।
।ଷ୍ଟାର୍କ ବନାମ ଗେଲ୍: ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବୋଲିଂରେ ୱେଷ୍ଟଇଣ୍ଡିଜ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ଙ୍କୁ ଅମ୍ପାୟାର କ୍ୟାଚ୍ ଆଉଟ୍ ଦେଇଥିଲେ। ୱିକେଟ୍ରକ୍ଷକ ଏହି କ୍ୟାଚ୍ ଧରିଥିଲେ। ତାଙ୍କ ବ୍ୟାଟ୍ରେ ବଲ୍ ବାଜିଥିବାର ଶବ୍ଦ ଶୁଣି ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଦେଇଥିଲେ। ହେଲେ ଗେଲ୍ ଏହି ନିଷ୍ପତ୍ତିର ରିଭ୍ୟୁ ମାଗିଥିଲେ। ତେବେ ବଲ୍ ତାଙ୍କ ବ୍ୟାଟ୍ରେ ନୁହେଁ, ଅଫ୍ ଷ୍ଟମ୍ପ୍ରେ ବାଜି ୱିକେଟ୍ରକ୍ଷକଙ୍କ ହାତକୁ ଯାଇଥିବା ରିଭ୍ୟୁରୁ ସ୍ପଷ୍ଟ ହୋଇଥିଲା। ସେତେବେଳେ ମଧ୍ୟ ଷ୍ଟମ୍ପ୍ସରୁ ବେଲ୍ ଖସିନଥିଲା।
।ଷ୍ଟୋକ୍ସ ବନାମ ସାଇଫୁଦିନ୍: ବାଂଲାଦେଶର ମହମ୍ମଦ ସାଇଫୁଦିନ୍ ବ୍ୟାଟିଂ କରୁଥିଲା ବେଳେ ଇଂଲଣ୍ଡ୍ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କ ଏକ ବଲ୍ ଷ୍ଟମ୍ପ୍ସରେ ବାଜିଥିଲା। କିନ୍ତୁ ବେଲ୍ ତା’ ସ୍ଥାନରେ ନିଶ୍ଚଳ ରହିଥିଲା। ଯାହା ଫଳରେ ସାଇଫୁଦିନ୍ ଆଉଟ୍ରୁ ବର୍ତି ଯାଇଥିଲେ।