ବିଶ୍ବକପ୍‌ ପୂର୍ବରୁ ବଡ଼ ଝଟ୍‌କା

ଦିଲ୍ଲୀ ଲଢ଼େଇକୁ ୩୫ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ନିର୍ଣ୍ଣାୟକ ଦିଲ୍ଲୀ ଦିନିକିଆକୁ ଭାରତ ୩୫ ରନ୍‌ରେ ହାରିଯାଇଛି। ତା’ ସହ ପାଞ୍ଚ ଟିକିଆ ଶୃଙ୍ଖଳାକୁ ୨-୩ରେ ହାତଛଡ଼ା କରିଛି। ୨-୦ରେ ଆଗୁଆ ରହି ହ୍ୟାଟ୍ରିକ୍ ପରାଜୟ ସହ ପ୍ରଥମ ଥର ପାଇଁ ଶୃଙ୍ଖଳା ହାରିବାର ଅଲୋଡ଼ା କୀର୍ତ୍ତିମାନ ଭାରତ ବୁଧବାର କରିଛି। ସେପଟେ ୦-୨ରେ ପଛୁଆ ରହି ଭାରତରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଶୃଙ୍ଖଳା ବିଜୟୀ ହୋଇଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଥିବା ଅଷ୍ଟ୍ରେଲିଆ ମଧ୍ୟ ପାଲଟା ଗସ୍ତରେ ଭାରତଠାରୁ କଡ଼ା ଗଣ୍ଡା କରି ପ୍ରତିଶୋଧ ନେଇଛି। ଭାରତ ମାତ୍ର କିଛି ମାସ ପୂ‌ର୍ବେ ଅଷ୍ଟ୍ରେଲିଆ ଯାଇ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଜିତିଥିଲା। ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଓ ଦିନିକିଆରେ ଏହାକୁ ଶୁଝି ଦେଇଛି। କଙ୍ଗାରୁ ଦଳ ମଧ୍ୟ ୨୦୦୯ ପରେ ପ୍ରଥମ ଥର ପାଇଁ ଭାରତରେ ଶୃଙ୍ଖଳା ବିଜୟୀ ହୋଇଛି। ସେହିଭଳି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୦-୨ରେ ପଛୁଆ ରହି ଶୃଙ୍ଖଳା ଜିତିବାରେ ଏହି ଦଳ ପଞ୍ଚମ ଦେଶ ହେବାର ଗୌରବ ଅର୍ଜନ କରିଛି। ସେପଟେ ବିଶ୍ବକପ୍ ପାଇଁ ମାତ୍ରାଧିକ ପରୀକ୍ଷା ନିରୀକ୍ଷା ଭାରତ ପାଇଁ ଏକପ୍ରକାର କାଳ ହୋଇଛି। ବିଶ୍ବକପ୍ ପୂର୍ବରୁ ଖେଳିଥିବା ଶେଷ ଶୃଙ୍ଖଳାରେ ଦୟନୀୟ ପ୍ରଦର୍ଶନ କରିବା ପରେ ଦଳର ସନ୍ତୁଳନ ‌ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟାଟିଂ, ବୋଲିଂ ସହ କ୍ଷେତ୍ରରକ୍ଷଣ ‌କୌଣସି ଥିରେ ଭାରତ ଏହି ଶୃଙ୍ଖଳାରେ ଦକ୍ଷତା ମୂଳକ ପ୍ରଦର୍ଶନ ନ କରିବା ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି। ୨୦୧୫ରେ ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ଭାରତ ଘରେ ମଧ୍ୟ ପ୍ରଥମ ଶୃଙ୍ଖଳା ପରାଜୟ ବରଣ କରିଛି।

ହ୍ୟାଟ୍ରିକ୍ ପରାଜୟ ସହ ଭାରତ ୨-୩ରେ ଶୃଙ୍ଖଳା ହାରିଲା
ପାଲଟା ଗସ୍ତରେ କଙ୍ଗାରୁ ଦଳର ଘରୋଇ ପରାଜୟ ପ୍ରତିଶୋଧ
ଉସ୍‌ମାନ୍‌ ଖୱାଜା ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି

୨୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଭାରତ ଫିରୋଜ ଶାହା କୋଟ୍‌ଲା ପଡ଼ିଆରେ ପୂର୍ବ କମାଲ ଦେଖାଇବାରେ ଆରମ୍ଭରୁ ଅସମର୍ଥ ହୋଇଥିଲା। ଫଳରେ ନିର୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୩୭ ରନ୍ କରି ପାରିଥିଲା। ପଞ୍ଚମ ଓଭରରେ ଶିଖର ଧାୱନ (୧୨) ଓ ତ୍ରୟୋଦଶ ଓଭରରେ ଅଧିନାୟକ ବିରାଟ କୋହଲି (୨୦)ଙ୍କୁ ହରାଇବା ଝଟ୍‌କାରୁ ଭାରତ ଯେମିତି ଆଉ ମୁକୁଳି ପାରି ନଥିଲା। ଚତୁର୍ଥ ସ୍ଥାନରେ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ (୧୬) ବ୍ୟର୍ଥ ଯିବାକୁ ଦେଇଥିଲେ। ବିଜୟ ଶଙ୍କର (୧୬) ମଧ୍ୟ ବିଜୟ ଆଶା ଦେଇ ପାରି ନଥିଲେ। ଏକା ରୋହିତ ଶର୍ମା (୫୬) ଲଢ଼ିଥିଲେ। ହେଲେ କଙ୍ଗାରୁ ସ୍ପିନର ଆଦାମ ଜାମ୍ପା ଗୋଟିଏ ଓଭରରେ ତାଙ୍କୁ ଓ ରବୀନ୍ଦ୍ର ଜାଦେଜା (୦)ଙ୍କୁ ଆଉଟ୍ କରିବା ପରେ ଅଷ୍ଟ୍ରେଲିଆ ଐତିହାସିକ ଶୃଙ୍ଖଳା ବିଜୟର ବାସ୍ନା ବାରିଥିଲା। କେଦାର ଯାଦବ (୪୪) ଓ ଭୁବନେଶ୍ବର କୁମାର (୪୬) ସପ୍ତମ ୱିକେଟ୍‌ରେ ୯୧ ରନ୍ ଯୋଡ଼ିବା ହିଁ ଭାରତ ପାଇଁ ସମ୍ମାନରକ୍ଷାକାରୀ ଭାଗୀଦାରି ଥିଲା। ରନ୍ ହାର ବଢ଼ି ବଢ଼ି ଚାଲିଥିବାରୁ ଉଭୟ ବଡ଼ ସଟ୍ ଖେଳିବା ପ୍ରୟାସରେ ପ୍ୟାଭିଲିୟନ ଫେରିଥିଲେ। ସେହିଠାରେ ଭାରତ ପରାଜୟ ନିଶ୍ଚିତ ହୋଇଯାଇଥିଲା। ୫୦ତମ ଓଭରର ଶେଷ ବଲ୍‌ରେ କୁଲଦୀପ ଯାଦବଙ୍କ ତିନିଟି ଯାକ ଖାଡ଼ି ଉଡ଼ାଇ ମାର୍କସ୍‌ ଷ୍ଟୋଇନିସ୍ କେବଳ ଯାହା ଔପଚାରିକତା ପୂରଣ କରିଥିଲେ। ଅଷ୍ଟ୍ରେଲିଆର ଏହି ବିଜୟକୁ ଅଧିନାୟକ ଆରୋନ ଫିଞ୍ଚ୍‌ ବି ବିଶ୍ବାସ କରି ପାରି ନଥିଲେ। ବ୍ୟାଟ୍ସମ୍ୟାନ୍‌ଙ୍କ ଦାୟିତ୍ବହୀନ ବ୍ୟାଟିଂ ପରାଜୟର ପ୍ରମୁଖ କାରଣ ଥିଲା ବୋଲି ଅସନ୍ତୁଷ୍ଟ ଭାରତୀୟ ଅଧିନାୟକ କୋହଲି ପରୋକ୍ଷରେ ସଙ୍କେତ ଦେଇଥିଲେ। ଶୃଙ୍ଖଳାରେ ଦୁଇଟି ଲେଖାଏଁ ଶତକ ଏବଂ ଅର୍ଧଶତକ ସହ ୩୮୩ (୫୦, ୩୮, ୧୦୪, ୯୧, ୧୦୦) ରନ୍ କରିଥିବା ଉସମାନ ଖୱାଜା ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ଗସ୍ତ ତାଙ୍କ ସହ ଯୁବ ଅଷ୍ଟ୍ରେଲିଆ ଦଳ ପାଇଁ ଏକବାର ସ୍ମରଣୀୟ ହୋଇ ଯାଇଥିଲା।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଉସମାନ ଖୱାଜା (୧୦୦)ଙ୍କ ଦ୍ବିତୀୟ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୭୨ ରନ୍ କରିଥିଲା। ଖୱାଜା ଏବଂ ଅଧିନାୟକ ଆରୋନ ଫିଞ୍ଚ (୨୭) ପ୍ରଥମ ୱିକେଟ୍‌ରେ ୭୬ ରନ୍ ଯୋଡ଼ିଥିଲେ। ବାମହାତୀ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ଏକ ଫ୍ଲାଇଟେଡ୍ ବଲ୍‌ରେ ଫିଞ୍ଚଙ୍କୁ ବୋଲ୍ଡ କରି ଯୋଡ଼ି ଭାଙ୍ଗିଥିଲେ। ଏହା ପରେ ପିଟର ହ୍ୟାଣ୍ଡସ୍କମ୍ବ (୫୨) ଅଧର୍ଶତକୀୟ ପାଳି ଖେଳି କଙ୍ଗାରୁ ଦଳର ସ୍ଥିତିକୁ ପୂରା ମଜବୁତ କରି ଦେଇଥିଲେ। ୩୩ତମ ଓଭରରେ ଖୱାଜା ଆଉଟ୍ ହେବା ପରେ କିନ୍ତୁ ଖେଳ ନାଟକୀୟ ମୋଡ଼ ନେଇଥିଲା। ଭାରତୀୟ ବୋଲର ଲଗାତାର ଝଟ୍‌କା ଦେବା ସହ ଅଷ୍ଟ୍ରେଲିଆକୁ ଆଶାଜନକ ଭାବେ ରନ୍ ହାର ବଢ଼ାଇବାର ସୁଯୋଗ ଦେଇ ନଥିଲେ। ଯଶ୍‌ପ୍ରୀତ ବୁମରାଙ୍କ ଶୃଙ୍ଖଳିତ ବୋଲିଂ ସହ ଆରପଟୁ ଭୁବନେଶ୍ବର କୁମାର ଓ ମହମ୍ମଦ ସାମିଙ୍କ ଚାପ ପାଇଁ ଅଷ୍ଟ୍ରେଲିଆ ୫୪ ବଲ୍‌ରେ ମାତ୍ର ୭୭ ରନ୍ କରି ୬ ୱିକେଟ୍ ହରାଇଥିଲା। ଚତୁର୍ଥ ମ୍ୟାଚ୍‌ର ନାୟକ ଆଷ୍ଟନ୍ ଟର୍ନର (୨୦) ଓ ମାର୍କସ ଷ୍ଟୋଇନିସ୍ ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ପାରି ନଥିଲେ। ଶେଷ ୧୬ ବଲ୍‌ରେ ପ୍ୟାଟ୍ କମିନ୍ସ (୧୫) ଓ ଝେ ରିଚାର୍ଡସନ୍ (୨୯) ୩୪ ରନ୍ ଯୋଡ଼ିବା ପରେ ଅଷ୍ଟ୍ରେଲିଆ ଅଢ଼େଇ ଶହ ରନ୍ ଟପି ଥିଲା। ଅଷ୍ଟ୍ରେଲିଆ ସନ୍ ମାର୍ସଙ୍କୁ ବାଦ ଦେଇ ଷ୍ଟୋଇନିସଙ୍କୁ ନେଇଥିଲା। ଜାସନ ବେହେରନଡ୍ରଫଙ୍କ ସ୍ଥାନ ନାଥନ ଲାୟନ ନେଇଥିଲେ। ଭାରତ ମଧ୍ୟ ଦୁଇଟି ପରବର୍ତନ ସହ ପଡ଼ିଆକୁ ଓହ୍ଲାଇଥିଲା। ଭାରତ ୟୁଜବେନ୍ଦ୍ର ଚହଲ ଓ ଲୋକେଶ ରାହୁଲଙ୍କ ବଦଳରେ ରବୀନ୍ଦ୍ର ଜାଦେଜା ଏବଂ ମହମ୍ମଦ ସାମିଙ୍କୁ ଖେଳାଇଥିଲା। ହେଲେ ଏସବୁ କିଛି ବି ଅଷ୍ଟ୍ରେଲିଆ ଖେଳାଳିଙ୍କ ଦୃଢ଼ ସଙ୍କଳ୍ପ ଆଗରେ କାମ ଦେଇ ନଥିଲା।

ଗାଙ୍ଗୁଲିଙ୍କ ସମକକ୍ଷ ହେଲେ ରୋହିତ
ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ବୁଧବାର ଦିନିକିଆ ଅନ୍ତର୍ଜାତୀୟରେ ୮୦୦୦ ରନ୍‌ ପୂର୍ଣ୍ଣ କରିଛନ୍ତି। ୩୧ ବର୍ଷୀୟ ରୋହିତ ୨୦୬ ତମ ଦିନିକିଆ ଖେଳି ଏହି ସ୍କୋର୍‌ କରିଥିଲେ। ଫଳରେ ସେ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ ଭାବେ ଏହି ମାଇଲ୍‌ ଖୁଣ୍ଟ ଡେଇଁବାରେ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୨୦୦ ଲେଖାଏଁ ପାଳି ଖେଳି ୮୦୦୦ ରନ୍‌ ପୂର୍ଣ୍ଣ କରିଥିଲେ। ଏହି ତାଲିକାରେ ସେମାନଙ୍କ ଆଗରେ ବିରାଟ କୋହଲି (୧୭୫) ଏବଂ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ ଏବି ଡି’ଭିଲିୟର୍ସ (୧୮୨) ରହିଛନ୍ତି। ବୁଧବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆରେ ୫୬ ରନ୍‌ କରିଥିବା ରୋହିତଙ୍କ ମୋଟ ରନ୍‌ ୮୦୧୦ ରନ୍‌ ହୋଇଛି। ଏହା ମଧ୍ୟରେ ସେ ୨୨ ଶତକ ଓ ୪୧ ଅର୍ଧଶତକ ଜମାଇଛନ୍ତି।

ସମ୍ବନ୍ଧିତ ଖବର