ରୋହିତଙ୍କ ବିବାଦୀୟ ଆଉଟ୍

ମାଞ୍ଚେଷ୍ଟର: ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ବିବାଦୀୟ ଆଉଟ୍ ନେଇ ବିତର୍କ ଦେଖା ଦେଇଥିଲା। ତୃତୀୟ ଅମ୍ପାୟାର ରୋହିତଙ୍କୁ ବିବାଦୀୟ ଭାବେ ଡିଆରଏସ୍‌ରେ ଆଉଟ୍ ଦେବା ନେଇ ପ୍ରଶଂସକମା‌ନେ କ୍ଷୋଭ ପ୍ରକାଶ କରିଥିଲେ। ଅନେକ ଡିଆରଏସ୍‌ର ସଠିକତା ନେଇ ପ୍ରଶ୍ନ ଉଠାଇଥିଲେ। ଭାରତ ପାଳିର ଷଷ୍ଠ ଓଭରର ଶେଷ ବଲ୍‌ରେ ଏହି ଘଟଣା ଘଟିଥିଲା। କେମାର ରୋଚଙ୍କ ବଲ୍ ରୋହିତଙ୍କ ବ୍ୟାଟ୍ ଅତିକ୍ରମ କରିବା ବେଳେ କିଛି ଶବ୍ଦ ହୋଇଥିଲା। ୱିକେଟ୍ ରକ୍ଷକ ବଲ୍ ଧରିବା କ୍ଷଣି ଉତ୍ସାହିତ ଇଣ୍ଡିଜ୍ ଖେଳାଳି ତୁରନ୍ତ ଆଉଟ୍ ଆବେଦନ କରିଥିଲେ। ହେଲେ ରୋହିତଙ୍କୁ ପଡ଼ିଆ ଅମ୍ପାୟାର ନଟଆଉଟ୍ ଘୋଷଣା କରିଥିଲେ। ଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ଅମ୍ପାୟାରଙ୍କ ଏହି ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ। ଟେଲିଭିଜନ୍ ରିପ୍ଲେ ସହ ସ୍ନିକୋମିଟରରେ ବଲ୍ ବ୍ୟାଟ୍‌ରେ ବାଜିଥିବାର ସ୍ପଷ୍ଟ ପ୍ରମାଣ ମିଳି ନଥିଲା। ବଲ୍ ବ୍ୟାଟ୍ ନୁହେଁ ପ୍ୟାଡ୍‌ରେ ଘସି ହୋଇ ଯାଇଥିବା ରିପ୍ଲେରୁ ଜଣାପଡ଼ୁଥିଲା। ତଥାପି ତୃତୀୟ ଅମ୍ପାୟାର ରୋହିତଙ୍କୁ ଆଉଟ୍ ଘୋଷଣା କରିଥିଲେ। ଫଳରେ ସେ ନିରାଶ ହୋଇ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ଏହା ପରେ ସାମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଥିଲା। ତୃତୀୟ ଅମ୍ପାୟାର ରୋହିତ ପ୍ରଶଂସକଙ୍କ ରୋଷର ଶିକାର ହୋଇଥିଲେ। ଶତ ପ୍ରତିଶତ ନିଶ୍ଚିତ ନହେଲେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ ଘୋଷଣା କରିବା ଠିକ୍ ନୁହେଁ ବୋଲି ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍ ମଧ୍ୟ କହିଥିଲେ। ଦ୍ବନ୍ଦ୍ବ ଥିଲେ ନିଷ୍ପତ୍ତି ସବୁବେଳେ ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ଯିବା ଉଚିତ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ‌ଖେଳାଳି ବ୍ରାଡ୍ ହଜ୍ ମତ ଦେଇଥି‌ଲେ। ତୃତୀୟ ଅମ୍ପାୟାରଙ୍କ ପାଖରେ ଆଧୁନିକ ଜ୍ଞାନ କୌଶଳ ଥିଲେ ମଧ୍ୟ ସେ କିଭଳି ଭୁଲ କରିପାରିବେ ବୋଲି ଅନେକ ପ୍ରଶଂସକ ପ୍ରଶ୍ନ କରିଥିଲେ। ଆଇସିସି ଏଭଳି ଅମ୍ପାୟାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଆହ୍ବାନ କରିଥିଲେ। ଭାରତ କିନ୍ତୁ ୨୯ ରନ୍‌ରେ ତା’ର ପ୍ରଥମ ୱିକେଟ୍ ହରାଇଥିଲା।

ସମ୍ବନ୍ଧିତ ଖବର