‘ବୀର୍ସା ମୁଣ୍ଡା ଷ୍ଟାଡିୟମ୍‌ର ଅଗ୍ରଗତି ଉତ୍ସାହବର୍ଦ୍ଧକ’: ଉଦ୍‌ଘାଟିତ ହେଲା ଅଭ୍ୟାସ ପଡ଼ିଆ ଓ ଷ୍ଟାଡିୟମ୍ କଂପ୍ଲେକ୍ସ

ରାଉରକେଲାରେ ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ପ୍ରତିନିଧି ଦଳ

ରାଉରକେଲା: ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ଓ ରାଜ୍ୟ କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବୁଧବାର ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ପ୍ରତିନିଧି ଦଳ ଷ୍ଟାଡିୟମ ବୁଲି ଦେଖିବାସହ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ। ଏହାସହ ଷ୍ଟାଡିୟମ କମ୍ପ୍ଲେକ୍ସ ପରିସରରେ ନିର୍ମିତ ହକି ଅଭ୍ୟାସ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କେନ୍ଦ୍ରରେ ଏଫ୍‌ଆଇଚ୍‌ ମାନ୍ୟତା ଟର୍ଫ‌୍ ବିଶିଷ୍ଟ ଅଭ୍ୟାସ ପଡ଼ିଆ, ୨୦୦ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା, ଫ୍ଲଡ୍‌ ଲାଇଟ୍‌, ଚେଞ୍ଜିଂ ରୁମ୍‌, ରିକଭରି ଏରିଆ, ଫିଟ୍‌ନେସ କେନ୍ଦ୍ର ସମେତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି। ପ୍ରତିନିଧି ଦଳ ଷ୍ଟାଡିୟମ ସମେତ ନିର୍ମାଣାଧୀନ ଏୟାରପୋର୍ଟ ସଂପ୍ରସାରଣ କାର୍ଯ୍ୟ, ରାସ୍ତା, ଆନୁସଙ୍ଗିକ ଭିତ୍ତିଭୂମି ବିକାଶ, ନବୀକରଣ, ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ଏହି ପ୍ରତିନିଧି ଦଳରେ ଅନ୍ତର୍ଜାତୀୟ ହକି ମହାସଂଘର କାର୍ଯ୍ୟକାରୀ ସଭାପତି ସୈଫ ଅହମଦ, ସିଇଓ ଥିଏରୀ ୱିଲ, ହକି ଇଣ୍ଡିଆ ପ୍ରଶାସନିକ କମିଟି ସଦସ୍ୟ ଡ. ଏସ ୱାଇ କ୍ୟୁରେସୀ, ଜାଫର ଇକ୍‌ୱାଲ, ଇଡ୍‌କୋ ଅଧ୍ୟକ୍ଷ ହେମନ୍ତ ଶର୍ମା, ରାଜ୍ୟ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଭୁପିନ୍ଦର ସିଂହ ପୁନିଆ ପ୍ରମୁଖ ସାମିଲ ଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର, ଏସ୍‌ପି ମୁକେଶ ଭାମୁ ପ୍ରମୁଖ ସାମିଲ ଥିଲେ।

ହକି ମହାସଂଘ ଓ ହକି ଇଣ୍ଡିଆର ପ୍ରତିନିଧି ଏଠାକାର ନିର୍ମାଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ ନିର୍ମାଣାଧୀନ ହକି ଷ୍ଟାଡିୟମର ଅଗ୍ରଗତି ବେଶ୍‌ ସନ୍ତୋଷଜନକ ଓ ଉତ୍ସାହବର୍ଦ୍ଧକ ମଧ୍ୟ। ଏହା କେବଳ ଭାରତର ନୁହେଁ, ବରଂ ବିଶ୍ବର ସର୍ବବୃହତ୍‌ ହକି ଷ୍ଟାଡିୟମ। ଯେଭଳି ଢଙ୍ଗରେ ପ୍ରକଳ୍ପ କାର୍ଯ୍ୟାନ୍ବୟନ କରାଯାଉଛି, ସେଥିପାଇଁ ଓଡିଶା ସରକାର ଓ ହକି ଇଣ୍ଡିଆକୁ ଅଭିନନ୍ଦନ। ରାଉରକେଲା ଓ ଭୁବନେଶ୍ୱରରେ ଏକ ଉତ୍କୃଷ୍ଟ ବିଶ୍ୱକପ୍ ଆୟୋଜନ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ମିଳିତ ପ୍ରୟାସ ଯୋଗୁଁ ଆଗାମୀ ବିଶ୍ବକପ୍‌ ପୁନର୍ବାର ହକି ଜଗତ ଉପରେ ପ୍ରଭାବ ପକାଇବ। ସଫଳ ଆୟୋଜକ ହେବାକୁ ଓଡ଼ିଶାର ଉତ୍ସାହ ଆମ ଭିତରେ ଏଭଳି ଆତ୍ମବିଶ୍ୱାସ ଜନ୍ମାଇଛି। ଆୟୋଜନ ଦାୟିତ୍ବ ସୁରକ୍ଷିତ ହାତରେ ଥିବାରୁ ଓଡ଼ିଶାରେ ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ ବେଳେ ଆମେ ସର୍ବଦା ନିଶ୍ଚିତ ଥାଉ। ଦକ୍ଷ ରାଜନୈତିକ ନେତୃତ୍ବ ଯୋଗୁଁ ଏହା ସମ୍ଭବପର ହୋଇଛି। ସମସ୍ତ ନିର୍ମାଣକାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେବ ବୋଲି ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର