ବିଶିଷ୍ଟ ଫୁଟବଲର୍ ପରମାନନ୍ଦ ଖାଲ୍କୋଙ୍କ ପରଲୋକ
ସମ୍ବଲପୁର/କଟକ: ୬୦ ଦଶକର ରାଜ୍ୟର ଶ୍ରେଷ୍ଠ ଫୁଟ୍ବଲର୍ ତଥା ଓଡ଼ିଶା ଦଳର ପୂର୍ବତନ ଅଧିନାୟକ ପରମାନନ୍ଦ ଖାଲ୍କୋ (୯୦)ଙ୍କର ଗୁରୁବାର ବ୍ରଜରାଜନଗରଠାରେ ପରଲୋକ ହୋଇଯାଇଛି। ସେ ୫ ବର୍ଷ ଧରି ସନ୍ତୋଷ ଟ୍ରଫିରେ ଖେଳିଥିଲେ। ମଧ୍ୟ ଭାଗ (ସେଣ୍ଟର୍ ହାଫ୍)ରେ ଖେଳୁଥିବା ପରମାନନ୍ଦ ୨ ବର୍ଷ ସନ୍ତୋଷ ଟ୍ରଫିରେ ଓଡ଼ିଶା ଫୁଟବଲ୍ ଦଳର ଅଧିନାୟକତ୍ବ କରିଥିଲେ। ସେତିକି ବେଳେ ଖାଲ୍କୋ ଭ୍ରାତା (ବ୍ରଦର୍ସ) ଭାବେ ପରିଚିତ ଚାରିଭାଇ ଖାଲ୍କୋ, ଅତି, ନୀତି ଏବଂ ପରମା (ସମସ୍ତଙ୍କ ଡାକ ନାମ) ରାଜ୍ୟ ଫୁଟବଲ୍ ଦଳରେ ଆଧିପତ୍ୟ ବିସ୍ତାର କରିଥିଲେ। ଚାରି ଭାଇଙ୍କ ମଧ୍ୟରେ ସାନ ପରମାନନ୍ଦ ଫୁଟବଲ୍ରେ ସର୍ବାଧିକ ନାଁ କରିଥିଲେ। ତାଙ୍କୁ ସେ ସମୟରେ କୋଲକାତା ଫୁଟବଲ୍ ଲିଗ୍ରୁ ବି ଡାକରା ମିଳିଥିଲା। କିନ୍ତୁ ସେ ଯାଇ ନଥିଲେ। ସେ ସମ୍ବଲପୁର ଫୁଟବଲ୍ର ମେରୁଦଣ୍ଡ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବହୁ ବର୍ଷ ଧରି ଅବିଭକ୍ତ ସମ୍ବଲପୁର ଜିଲ୍ଲା ପାଇଁ ଖେଳିବା ସହ ଖେଳ ପରେ ବି ସମ୍ବଲପୁର ଜିଲ୍ଲା ଦଳ ଗଠନ ଓ ତାଲିମରେ ସଂପୃକ୍ତ ଥିଲେ। ପରମାନନ୍ଦ ବ୍ରଜରାଜନଗରସ୍ଥିତ ଓରିଏଣ୍ଟାଲ୍ ପେପର୍ ମିଲ୍ରେ କାମ କରି ଅବସର ଗ୍ରହଣ କରିଥିଲେ। ତାଙ୍କର ପତ୍ନୀ, ୩ ପୁଅ ଓ ଜଣେ ଝିଅ ଅଛନ୍ତି। ଶେଷ ଶଯ୍ୟା ନିକଟରେ ସାନ ପୁଅ ଅନୁପ ଉପସ୍ଥିତ ଥିଲେ। ଶୁକ୍ରବାର ବ୍ରଜରାଜନଗରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ପରମାନନ୍ଦଙ୍କ ବିୟୋଗରେ ବିଶିଷ୍ଟ କ୍ରୀଡ଼ା ସଂଗଠକ ସଂଗ୍ରାମ କେଶରୀ ସାହାଣୀ, ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ, ମେହେର ଆସୋସିଏସନ୍, ସମ୍ବଲପୁର ମାଷ୍ଟର୍ସ ଆଥ୍ଲେଟିକ୍ ଆସୋସିଏସନ୍, ସମ୍ବଲପୁର ଜିଲ୍ଲା ସନ୍ତରଣ ସଂଘ, ୟଙ୍ଗ ବଏଜ୍ ଆସୋସିଏସନ୍ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯିବା ସହ ପରିବାରବର୍ଗକୁ ସମବେଦନା ଜ୍ଞାପନ କରାଯାଇଛି। ଅନ୍ୟପକ୍ଷରେ ସ୍ବର୍ଗତ ଖାଲ୍କୋଙ୍କ ବିୟୋଗରେ ଓଡ଼ିଶା ଫୁଟବଲ ସ˚ଘ (ଫାଓ) ପକ୍ଷରୁ ସମ୍ପାଦକ ଆଶୀର୍ବାଦ ବେହେରା ଶୋକ ପ୍ରକାଶ କରିଛନ୍ତି।