ସୁନିତାଙ୍କୁ ହକି ଇଣ୍ଡିଆ ସଭାପତିଙ୍କ ପ୍ରୋତ୍ସାହନ, ଦାଦନରୁ ଫେରି ହକି ଅଧିନାୟିକା

ଭୁବନେଶ୍ବର/ସମ୍ବଲପୁର : ଦାଦନରୁ ଫେରି ହକି ଅଧିନାୟିକା ପାଲଟିଥିବା ସମ୍ବଲପୁର ଜିଲ୍ଲାର ଆଦିବାସୀ ବାଳିକା ସୁନିତା ଲୁଗୁନଙ୍କୁ ପ୍ରୋତ୍ସାହିତ କରିଛି ଦିଲୀପ ତିର୍କି ସ୍ପୋର୍ଟ୍ସ ରିସର୍ଚ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ୍‌ (ଡିଟିଏସ୍‌ଆର୍‌ଡି) ଫାଉଣ୍ଡେସନ ଓ ହେଲ୍‌ଥ ଅନ୍‌ ଟପ୍‌। ଉଭୟ ମିଳିତ ଭାବେ ସୁନିତାଙ୍କୁ ହକି କିଟ୍‌ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଡିଟିଏସ୍‌ଆର୍‌ଡି ତଥା ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଏହି କିଟ୍‌ ସୁନିତାଙ୍କୁ ପ୍ରଦାନ କରିଥିଲେ। ଏଥି ସହ ୨୧ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଏହି ଉତ୍ସବରେ ଡିଟିଏସ୍‌ଆର୍‌ଡି ସମ୍ପାଦକ ଦିବାକର ପରିଛା, ପରିଚାଳନା ନିର୍ଦେଶକ ପ୍ରାଇମ ଅଭିଳାଷ, ‌ହେଲ୍‌ଥ ଅନ୍‌ ଟପ୍‌ ସିଇଓ ଗୌରବ ରାଲନ ଏବଂ ସହିଦ ମାଧୋ ସିଂହ ହକି ଏକାଡେମୀର ସଂପାଦକ ଲକ୍ଷ୍ମୀଧର ମହାନ୍ତି ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଏକଦା ଜାତୀୟ ବିଦ୍ୟାଳୟ ହକିରେ ଖେଳିଥିବା ସୁନିତା +୨ ଉତ୍ତୀର୍ଣ୍ଣ ହେବା ପରେ ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ରୋଜଗାର ପାଇଁ ଚେନ୍ନାଇ ଚାଲିଯାଇଥିଲେ। ସେଠାରେ ସେ ସିଲେଇ ଉଦ୍ୟୋଗରେ କାମ କରି ପରିବାର ପାଇଁ କିଛିଟା ରୋଜଗାର କରୁଥିଲେ। ତେବେ ସହିଦ ମାଧୋ ସିଂହ ଏକାଡେମୀ ପାଇଁ ଖେଳାଳି ଚୟନ ବେଳେ ସୁନିତାଙ୍କ ସଂପର୍କରେ ଜାଣି ତାଙ୍କୁ ଚେନ୍ନାଇରୁ ଫେରାଇ ଅଣାଯାଇଥିଲା ଓ ଅନ୍ତଃଜିଲ୍ଲା ମହିଳା ହକି ପ୍ରତିଯୋଗିତା ପାଇଁ ଏକାଡେମୀ ଦଳର ଅଧିନାୟିକା ମନୋନୀତ କରା ଯାଇଥିଲା। ଏ ଖବର ‘ସମ୍ବାଦରେ ପ୍ରକାଶ ପାଇବା ପରେ ସୁନିତା ରାତାରାତି ରାଜ୍ୟ କ୍ରୀଡ଼ାର ଏକ ସମ୍ବେଦନଶୀଳ ଚେହେରା ପାଲଟି ଯାଇଥିଲେ। ଏହାପରେ ତାଙ୍କୁ ସବୁ ପ୍ରକାର ସହାୟତା ପାଇଁ ଶ୍ରୀ ତିର୍କି ପ୍ରତିଶ୍ରୁତି ଦେଇଥିବା ବେଳେ କିସ୍ ବିଶ୍ବବିଦ୍ୟାଳୟ ପକ୍ଷରୁ ପାଠପଢ଼ା ଓ ଖେଳରେ ସହଯୋଗ ନିମନ୍ତେ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର