ଲଣ୍ଡନ୍‌: ଅକ୍ଟୋବର ଓ ନଭେମ୍ବରରେ ଆୟୋଜିତ ହେବ ଟ୍ବେଣ୍ଟି-୨୦ ବିଶ୍ବକପ୍‌। ଏହା ପୂର୍ବରୁ ଯଦି କରୋନା ମହାମାରୀ ନିୟନ୍ତ୍ରଣକୁ ଆସିଥିବ ତେବେ ଏକ ପାଞ୍ଚ ସପ୍ତାହବ୍ୟାପୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍। କରୋନା ପାଇଁ ଆଇପିଏଲ୍ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏବେ ଯାହା ପରିସ୍ଥିତି ରହିଛି ମାସେ ମଧ୍ୟରେ ଏଥିରେ ସୁଧାର ଆସିବା ସମ୍ଭାବନା କମ୍‌ ରହିଛି। ଫଳରେ ମେ’ରେ ଏକ ଛୋଟ ଆଇପିଏଲ୍‌ ହେବାର ସମ୍ଭାବନା ମଧ୍ୟ କମ୍‌ ରହିଛି।
ମୁଁ ଭାବୁଛି ଯେ ସେପ୍ଟେମ୍ବରରେ ଆରମ୍ଭ ହୋଇ ୫ ସପ୍ତାହ ବିଶିଷ୍ଟ ଆଇପିଏଲ୍‌ ବିଶ୍ବକପ୍‌ ପର୍ଯ୍ୟନ୍ତ ଆୟୋଜିତ ହେଉ। ଫଳରେ ‌ବିଶ୍ବକପ୍‌ ପୂର୍ବରୁ ଖେଳାଳିମାନେ ଭଲ ଅଭ୍ୟାସର ସୁଯୋଗ ପାଇଯିବେ। ଯାହା ସେମାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସହଯୋଗ କରିବ ବୋଲି ଭନ୍‌ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ସେପ୍ଟେମ୍ବରରେ ୟୁଏଇରେ ଆୟୋଜିତ ହେବାକୁଥିବା ଏସିଆ କପ୍‌ରେ ଭାରତ ଖେଳିବ। ଏହା ପରେ ଇଂଲଣ୍ଡ ୩ ଲେଖ‌ାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବାକୁ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ଏସବୁ ସହ ସେପ୍ଟେମ୍ବରରେ ଭାରତରେ ମୌସୁମୀ ଥିବ। ଫଳରେ ଭନ୍‌ଙ୍କ ପ୍ରସ୍ତାବ କାର୍ଯ୍ୟକାରୀ ସମ୍ଭାବନା କମ୍‌ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ କ’ଣ ହେବ କହି ହେଉନି। ଏତେ ଆଗରୁ ଏଭଳି ପ୍ରସ୍ତାବକୁ ଗ୍ରହଣ କରିବା ବିସିସିଆଇ ପାଇଁ ସମ୍ଭବ ନୁହେଁ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅକ୍ଟୋବର ୧୮ ତାରିଖରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇଂଲଣ୍ଡରେ ଆୟୋଜନ ହେବା ଲାଗି ସ୍ଥିର ହୋଇଛି।