ଭୁବନେଶ୍ବର: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି କଥା। ରାଜ୍ୟରେ ବିଧିବଧ କ୍ରୀଡ଼ା ନୀତି ନଥିବାରୁ ବର୍ଷ ବର୍ଷ ଧରି ଏହାକୁ ନେଇ ପ୍ରଶ୍ନ ଉଠିଥାଏ। ଏବେ ସରକାର ଗତବର୍ଷଠାରୁ କ୍ରୀଡ଼ା ନୀତି ପ୍ରଣୟନ ଲାଗି ଅଣ୍ଟା ଭିଡିଥିବା ବେଳେ ପ୍ରଥମରୁ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି। ସବୁଠାରୁ ବଡ଼ କଥା ହେଲା କ୍ରୀଡ଼ା ବିକାଶରେ ପ୍ରମୁଖ ଭୂମିକା ତୁଲାଉଥିବା ରାଜ୍ୟ କ୍ରୀଡ଼ା ସଂଘଗୁଡିକ ମଧ୍ୟରୁ ଏହା ବିରୋଧର ସ୍ବର ଉଠିଛି। ପ୍ରଥମେ ଆଗକୁ ଆସିଛି ରାଜ୍ୟ ଶକ୍ତିଉତ୍ତୋଳନ ସଂଘ। ଉଚ୍ଚତମ ନ୍ୟାୟାଳୟର ଦ୍ବାରସ୍ଥ ହେବା ପରେ ଏବେ କ୍ରୀଡ଼ା ସଂଘ ନିକଟରେ ନିଜ ଆପତ୍ତି ଉପସ୍ଥାପନ କରିଛି। ରାଜ୍ୟର ସମସ୍ତ କ୍ରୀଡ଼ା ସଂଘଗୁଡିକୁ ଉପେକ୍ଷା କରି ସରକାର ଗୋପନଭାବେ କାହିଁକି କ୍ରୀଡ଼ା ନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଶକ୍ତିଉତ୍ତୋଳନ ସଂଘର ସମ୍ପାଦକ ଇଂ ଚିତ୍ତରଂଜନ ସ୍ବାଇଁ କହିଥିଲେ, ରାଜ୍ୟ ସରକାରଙ୍କ 'ଓଡ଼ିଶା କ୍ରୀଡ଼ା ପ୍ରାଧିକରଣ ଆଇନ-୧୯୯୪' ଧାରା-୩ ଅନୁସାରେ 'ଓଡ଼ିଶା କ୍ରୀଡ଼ା ପ୍ରାଧିକରଣ' ଗଠନ କରାଯିବ ଏବଂ ରାଜ୍ୟରେ କ୍ରୀଡ଼ା ପରିଚାଳନାରେ ଏହା ସର୍ବୋଚ୍ଚ ନୀତି ନିର୍ଧାରଣକାରୀ ସଂସ୍ଥା ହେବ। ଯେଉଁଥିରେ ସରକାରଙ୍କ ପକ୍ଷରୁ ସଭାପତି ନିଯୁକ୍ତ ସହିତ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଉପାଧ୍ୟକ୍ଷ ରହିବେ। ଏଥି ସହିତ ବିଭାଗର ନିର୍ଦେଶକ, ବିଧାନସଭାର ଦୁଇ ଜଣ ସଦସ୍ୟ, ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚଶିକ୍ଷାର ୩ ନିର୍ଦେଶକ, ପୁଲିସ ଡିଜି, ଆଇଜି, ଡିଆଇଜି, ଏନସିସି ଓଡ଼ିଶାର ସଭ୍ୟ ରହିବେ। ୮ ଜଣ ସଦସ୍ୟ ରହିବେ ଯେଉଁମାନଙ୍କ ମଧ୍ୟରେ ୨ ଜଣ ମହିଳାଙ୍କ ସହ ଜଣେ ଲେଖାଏଁ ତଫସିଲଭୁକ୍ତ ଜାତି ଏବଂ ଜନଜାତି ସଦସ୍ୟଙ୍କୁ ସରକାର ମନୋନୀତ କରିବେ। ଏହି ୮ ଜଣ ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡ଼ା ବିକାଶରେ ଯୋଗଦାନ, କ୍ରୀଡ଼ା ସଂଗଠନ କର୍ମକର୍ତା ହୋଇଥିବା ମଧ୍ୟ ବିଧେୟ ରହିଛି। ସରକାର କିନ୍ତୁ ଏସବୁକୁ ଉପେକ୍ଷା କରି 'ଓଡ଼ିଶା କ୍ରୀଡ଼ାନୀତି-୨୦୧୯'କୁ ରାଜ୍ୟ ବିଧାନସଭାରେ ପ୍ରଣିତ କରିଥିବାରୁ ଏହା ୧୯୯୪ କ୍ରୀଡ଼ା ପ୍ରାଧିକରଣ ଆଇନର ଉଲ୍ଲଂଘନ କରୁଛି। ରାଜ୍ୟର ବିଭିନ୍ନ କ୍ରୀଡ଼ା ସଂଘ ଆଶଙ୍କା କରୁଛନ୍ତି ସରକାର ନିଜ ମନମୁଖି କାମକୁ ଜାରି ରଖିବା ଲାଗି ସମସ୍ତ ରାଜ୍ୟ ସଂଘକୁ ଦୂରେଇ ରଖିବା ଲାଗି ପ୍ରୟାସ କରୁଛନ୍ତି। ଯୁକ୍ତିବିହୀନ ଭାବେ ସରକାର ଶକ୍ତିଉତ୍ତୋଳନକୁ 'ସି'ରୁ 'ଡି' ଗ୍ରୁପ୍କୁ ଖସାଇ ଦେବା ପରେ ରାଜ୍ୟ ସଂଘ ଏଭଳି ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ଲାଗି ବାଧ୍ୟ ହୋଇଛି ବୋଲି ଇଂ ସ୍ବାଇଁ ପ୍ରକାଶ କରିଛନ୍ତି। ରବିବାରର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ସନ୍ଦୀପ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ। ନିଜ ନିଜ ସ୍ବାଧୀନତା ହରାଇବା ପୂର୍ବରୁ ସମସ୍ତ ଖେଳର ରାଜ୍ୟ କ୍ରୀଡ଼ା ସଂଘ ଏବଂ ଓଡ଼ିଶା ଅଲିମ୍ପିକ୍ସ ସଂଘ ଏକାଠି ହେବାକୁ ମଧ୍ୟ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/sfhsfh8987987sfhssfhfhfh.jpg)