ଭୁବନେଶ୍ବର: ଭାନୁଆତୁ ବିପକ୍ଷରେ ଭାରତର ୧-୦ ଗୋଲ୍ ବିଜୟ ପରେ ଘରୋଇ ଦଳ ଅଧିନାୟକ ସୁନୀଲ ଛେତ୍ରୀ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଷ୍ଟାଡିୟମ୍ରେ ଦର୍ଶକମାନେ ଉପସ୍ଥିତ ରହି ଭାରତୀୟ ଦଳକୁ ସମର୍ଥନ କରିଥିବାରୁ ଛେତ୍ରୀ ଧନ୍ୟବାଦ ଦେବା ସହ ଆସନ୍ତା ୧୫ ତାରିଖରେ ଲେବାନନ୍ ବିପକ୍ଷରେ ଖେଳାଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍ରେ ଆହୁରି ଅଧିକ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ୍କୁ ଆସନ୍ତୁ ବୋଲି ଛେତ୍ରୀ ଚାହିଛନ୍ତି। ମ୍ୟାଚ୍ଗୁଡ଼ିକ ଏଠାରେ ଉପଭୋଗୀୟ ହେଉଛି। ଖେଳାଳିମାନେ ଜିତିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି।
ବିଶେଷକରି ଭାରତ ଏଠାରେ ଖେଳୁଥିବାରୁ ଦର୍ଶକମାନେ ସମୟ ବାହାର କରି ଷ୍ଟାଡିୟମ୍କୁ ଆସନ୍ତୁ। ଏଥିସହିତ ଭୁବନେଶ୍ବରର ବାସିନ୍ଦା ସାଇ ଶିବଦୁତଙ୍କ ଖେଳ ଦେଖିବାକୁ ସମସ୍ତେ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଛେତ୍ରୀ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍କୁ ପୂର୍ବରୁ ଦୁଇଥର ଆସିଥିବା ସୂଚନା ଦେଇଥିଲେ। ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ସମୟରେ ଭାରତୀୟ ଦଳର ଖେଳ ଦେଖିବାକୁ ସେ କଳିଙ୍ଗ ଆସିଥିବା କହିଥିଲେ। ଓଡ଼ିଶାର ଦର୍ଶକଙ୍କ ସମର୍ଥନ ସବୁବେଳେ ଖେଳାଳିଙ୍କୁ ଉତ୍ସାହିତ କରୁଛି। ଓଡ଼ିଶା ମଧ୍ୟ ଫୁଟବଲ୍କୁ ସମର୍ଥନ ଦେବାକୁ ଯାଇ ବହୁତ କାମ କରିଥିବାରୁ ଏଠାରେ ଖେଳିବା ଆମ ପାଇଁ ଗର୍ବର କଥା ବୋଲି ଛେତ୍ରୀ କହିଛନ୍ତି।