ଭୁବନେଶ୍ବର: ଏଠାରେ ଚାଲିଥିବା ପିଏସ୍ପିବି ଇଣ୍ଟର ୟୁନିଟ୍ ଚେସ୍ ପ୍ରତିଯୋଗିତାର ଦଳଗତ ବିଭାଗରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ (ଆଇଓସି)-ଏ’ ଦଳ ବିଜେତା ହୋଇଛି। ଏହି ଦଳ ୩-୧ ଗେମ୍ ପଏଣ୍ଟରେ ଓଏନ୍ଜିସିକୁ ପରାସ୍ତ କରିଥିଲା। ସେହିପରି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ୨.୫-୧.୫ ଗେମ୍ ପଏଣ୍ଟରେ ଇଣ୍ଡିଆନ୍ ଅଏଲ କର୍ପୋରେସନ-ବି’ ଦଳକୁ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଛି। ଆଇଓସି-ଏ’ ଦଳରେ ଗ୍ରାଣ୍ଡ ମାଷ୍ଟର ଆର୍ ପ୍ରଜ୍ଞାନନ୍ଦ, ସାଧୱାନୀ ରୌନିକ, ମୁରଲୀ କାର୍ତ୍ତିକେୟନ, ସୂର୍ଯ୍ୟଶେଖର ଗାଙ୍ଗୁଲି ଏବଂ ବି ଅଧିବନ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଗ୍ରାଣ୍ଡମାଷ୍ଟର ଅଭିଜିତ କୁନ୍ତେ ଦଳର ପ୍ରବନ୍ଧକ ଥିଲେ। ସେଭଳି ଓଏନ୍ଜିସି ଦଳରେ ଗ୍ରାଣ୍ଡମାଷ୍ଟର ବିଦିତ ସନ୍ତୋଷ ଗୁଜରାଟୀ, ଶଶିକିରଣ କ୍ରିଷ୍ଣନନ୍, କୁନେରୁ ହମ୍ପି, ଏସ୍ପି ସେତୁରମଣ, ଦୀପ୍ ସେନଗୁପ୍ତା ରହିଥିଲେ। ଆନ୍ତର୍ଜାତିକ ମାଷ୍ଟର କେ ପୁନୁସ୍ବାମୀ ପ୍ରବନ୍ଧକ ଦାୟିତ୍ବରେ ଥିଲେ।
ଅପରପକ୍ଷେ ସୋମବାରଠୁ ରାପିଡ୍ ପର୍ଯ୍ୟାୟ ଚେସ୍ ପ୍ରତିଯୋଗିତା ଆରମ୍ଭ ହୋଇଛି। ୯ ରାଉଣ୍ଡ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୪ଜଣ ଗ୍ରାଣ୍ଡମାଷ୍ଟର, ୪ଜଣ ଆନ୍ତର୍ଜାତିକ ମାଷ୍ଟର ଓ ଜଣେ ମହିଳା ଗ୍ରାଣ୍ଡମାଷ୍ଟରଙ୍କ ସହ ୬୪ ଜଣ ଅଂଶଗ୍ରହଣ କରିଛନ୍ତି। ବିଦିତ ସନ୍ତୋଷ ଗୁଜରାଟୀଙ୍କୁ ଟପ୍ ସିଡ୍ର ମାନ୍ୟତା ମିଳିଛି। ସୋମବାର ଖେଳାଯାଇଥିବା ୬ ରାଉଣ୍ଡ ଖେଳ ଶେଷ ସୁଦ୍ଧା ସନ୍ତୋଷଙ୍କ ସହ, ବି ଅଧିବନ, ଶଶିକରଣ କ୍ରିଷ୍ଣନନ୍ ୫ ପଏଣ୍ଟ ଲେଖାଏଁ ପାଇ ମିଳିତ ଅଗ୍ରଣୀ ପାଇଛନ୍ତି। ମଙ୍ଗଳବାର ଅବଶିଷ୍ଟ ରାଉଣ୍ଡଗୁଡ଼ିକ ଅନୁଷ୍ଠିତ ହେବା ସହ ପ୍ରତିଯୋଗିତା ଉଦ୍ଯାପିତ ହେବ।