ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ମୁଖ୍ୟ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣି ତାଙ୍କୁ ବହିଷ୍କାର ଦାବିରେ ୧୧ ଦିନ ଧରି ଯନ୍ତରମନ୍ତରଠାରେ ଧାରଣା ଚଳାଇଥିବା କୁସ୍ତିଯୋଦ୍ଧାମାନଙ୍କୁ ବୁଧବାର ଭାରତୀୟ ଅଲିମ୍ପିକ୍ ସଂଘ (ଅଇଓଏ) ସଭାପତି ପିଟି ଉଷା ଭେଟିଛନ୍ତି। ଏହି ଅବସରରେ ଉଷା ଧାରଣାସ୍ଥଳରେ ପହଞ୍ଚି ସାକ୍ଷୀ ମଲ୍ଲିକ, ଭିନେଶ ଫୋଗତ ଏବଂ ବଜରଙ୍ଗ ପୂନିଆଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ସେ ସଂପର୍କରେ ଉଷା ଗଣମାଧ୍ୟମକୁ କିଛି ନକହି ଧାରଣାସ୍ଥଳ ଛାଡ଼ିଥିଲା ବେଳେ ଉଷା ଆମକୁ ସହାୟତାର ପ୍ରତିଶୃତି ଦେଇଛନ୍ତି ବୋଲି କହିଛନ୍ତି ବଜରଙ୍ଗ। ‘‘ଉଷା ଆମକୁ ଭେଟିଥିଲେ ଏବଂ ତାଙ୍କର ସମର୍ଥନ ଯୋଗାଇଦେବାର ପ୍ରତିଶୃତି ରଖିଛନ୍ତି। ଉଷା କହିଥିଲେ, ସେ ପ୍ରଥମେ ଜଣେ ଆଥ୍ଲେଟ୍ ଏବଂ ପରେ ଜଣେ ପ୍ରଶାସିକା। ତେଣୁ ନ୍ୟାୟ ପାଇଁ ସେ ଆମକୁ ସହାୟତା ଯୋଗାଇଦେବେ ବୋଲି ପ୍ରତିଶୃତି ଦେଇଥିବା’’ ଗଣମାଧ୍ୟମକୁ କହିଛନ୍ତି ବଜରଙ୍ଗ। କୁସ୍ତିଯୋଦ୍ଧାମାନେ ବିଶୃଙ୍ଖଳିତ ଆଚରଣ କରିଥିବା ନେଇ ପୂର୍ବରୁ ଦେଇଥିବା ମୋର ବୟାନକୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଇଥିଲା ବୋଲି ଉଷା ଧାରଣାସ୍ଥଳରେ କୁସ୍ତିଯୋଦ୍ଧାମାନଙ୍କୁ ଭେଟିବା ବେଳେ ସଫେଇ ଦେଇଥିଲେ। ତେବେ ପ୍ରଥମେ ସେ ଯାହା କହିଥିଲେ ଆମେ ଅସନ୍ତୁଷ୍ଟ ଥିଲୁ। ହେଲେ ଏବେ ତାଙ୍କ ବୟାନକୁ ଭୁଲ୍ ଭାବେ ଚିତ୍ରିତ କରାଯାଇଥିବା କହିବା ପରେ ଆମର ମନୋଭାବ ବଦଳିଛି ବୋଲି ବଜରଙ୍ଗ କହିଛନ୍ତି।
ବୁଧବାର ସାକ୍ଷାତ ବେଳେ ଆମେ ତାଙ୍କୁ ନ୍ୟାୟ ଚାହୁ ବୋଲି କହିଥିଲୁ। ଆମେ ସରକାର କିମ୍ବା ବିରୋଧୀ ବା ଅନ୍ୟ କେହି ହୁଅନ୍ତୁ ସେମାନଙ୍କ ସହ ଲଢ଼େଇ କରୁନୁ। ଆମେ ଏଠାରେ କୁସ୍ତିର ସୁରକ୍ଷା ପାଇଁ ଧାରଣା ଦେଇଛୁ। ଯଦି ଏହି ପ୍ରସଙ୍ଗର ସମାଧାନ ହୋଇଗଲା ଏବଂ ଯଦି ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଆଣିଥିବା ଅଭିଯୋଗ ପ୍ରମାଣିତ ହୁଏ ତାହାଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଉଚିତ ବୋଲି ପିଟି ଉଷାଙ୍କୁ କହିଥିଲେ ବଜରଙ୍ଗ। ତେଣୁ ଡବ୍ଲୁଏଫ୍ଆଇ ମୁଖ୍ୟ ଗିରଫ ନହେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ବୋଲି ସେ ଚେତାଇ ଦେଇଥିଲେ। ସରକାର କିମ୍ବା ଆଇଓଏ ପକ୍ଷରୁ ପ୍ରସଙ୍ଗର ସମାଧାନ ପାଇଁ ଉଷା ଆସିଥିଲେ କି ବୋଲି ପଚରାଯିବାରୁ ବଜରଙ୍ଗ କହିଥିଲେ, ସେମିତି କିଛି ଆମେ ଅନୁଭବ କରିନୁ। ବରଂ ସେ ଆମ ସହିତ ଅଛନ୍ତି ବୋଲି କେବଳ କହିଥିବା ବଜରଙ୍ଗ ସୂଚନା ଦେଇଥିଲେ। ପୁଣି ଉଷାଙ୍କ ସହ ସାକ୍ଷାତକୁ ନେଇ ସେମାନେ ସନ୍ତୁଷ୍ଟ ହୋଇଥିଲେ କି ବୋଲି ପଚରାଯିବାରୁ ବଜରଙ୍ଗ ଭିନ୍ନ ଢଙ୍ଗରେ ଜବାବ ରଖିଥିଲେ। ସେ ଆମକୁ ପ୍ରତିଶୃତି ଦେଇଥିବାରୁ, ନିଶ୍ଚିତ ପୂରଣ କରିବେ ବୋଲି ଆମର ବିଶ୍ବାସ ରହିଛି। ହେଲେ ସବୁକିଛି ଠିକ୍ଠାକ୍ ନହେବା ଏବଂ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ଧାରଣାରେ ବସି ରହିବୁ ବୋଲି ଉଷାଙ୍କୁ ସ୍ପଷ୍ଟ କରିଦେଇଥିବା ବଜରଙ୍ଗ କହିଛନ୍ତି।
ସୁପ୍ରିମକୋର୍ଟ ଗଲେ ମହିଳା କୁସ୍ତିଯୋଦ୍ଧା
ନୂଆଦିଲ୍ଲୀ: ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ୍ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ୭ ମହିଳା କୁସ୍ତିଯୋଦ୍ଧା ବୁଧବାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ମୁଦ୍ରିତ ଲଫାପାରେ ଆଫିଡେଭିଟ୍ ରୁଜୁ କରିବା ପାଇଁ ଏହି ମହିଳାମାନେ ତାଙ୍କ ଓକିଲଙ୍କ ଜରିଆରେ ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡ଼ିଛନ୍ତି। ଏପ୍ରିଲ ୨୮ ତାରିଖରେ ଦିଲ୍ଲୀ ପୁଲିସ ବ୍ରିଜ୍ଭୂଷଣଙ୍କ ନାମରେ ଦୁଇଟି ଏଫ୍ଆଇଆର୍ ଦାୟର କରିଥିଲା। ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟା ସୁପ୍ରିମକୋର୍ଟକୁ ଅବଗତ କରାଇଥିଲେ।
ବୁଧବାର ଅଭିଯୋଗକାରୀ ମହିଳା କୁସ୍ତିଯୋଦ୍ଧାଙ୍କ ଓକିଲ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ୍ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ହାଜର ହୋଇଥିଲେ। ଅଦାଲତଙ୍କ ନିକଟରେ ମୁଦ୍ରିତ ଲଫାପାରେ ଆଫିଡେଭିଟ୍ ରୁଜୁ କରିବାକୁ ସେ ଅନୁମତି ଲୋଡ଼ିଛନ୍ତି। ଏହି ମାମଲାର ଶୁଣାଣୀ ଗୁରୁବାର ହେବାର ଅଛି। ଅଭିଯୋଗକାରୀଙ୍କ ଓକିଲ କହିଛନ୍ତି, ସଲିସିଟର ଜେନେରାଲଙ୍କୁ ଆଫିଡେଭିଟ୍ କପି ଦେବାରେ କୌଣସି ସମସ୍ୟା ନାହିଁ। ହେଲେ ଏହା ସାଧାରଣରେ ପ୍ରକାଶ ପାଇବା ଉଚିତ ନୁହେଁ। ଏହାକୁ ଗ୍ରହଣ କରି ଖଣ୍ଡପୀଠ ମଧ୍ୟ ସଂପୃକ୍ତ ଓକିଲଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ସଲିସିଟର ଜେନେରାଲଙ୍କୁ ଆଗୁଆ ଆଫିଡେଭିଟ୍ କପି ଗୁରୁବାର ସୁଦ୍ଧା ମୁଦ୍ରିତ ଲଫାପାରେ ପହଞ୍ଚାଇବାକୁ ନିର୍ଦେଶ ଦେଇଛନ୍ତି। ତେବେ ଏହି କପିକୁ ସେ ତଦନ୍ତକାରୀ ଅଧିକାରୀଙ୍କୁ ସେୟାର କରିପାରିବେ କି ବୋଲି ମେହେଟାଙ୍କ ପ୍ରଶ୍ନରେ ଖଣ୍ଡପୀଠ ସବୁଜସଂକେତ ଦେଇଛନ୍ତି।