ପ୍ରଥମ ମହିଳା ଆଇଓଏ ମୁଖ୍ୟ ହେବେ ପିଟି ଉଷା

ନୂଆଦିଲ୍ଲୀ : କିଂବଦନ୍ତି ଧାବିକା ପିଟି ଉଷା ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି। ଆଇଓଏ ନିର୍ବାଚନ ଡିସେମ୍ବର ୧୦ ତାରିଖରେ ହେବାକୁ ଥିଲା ବେଳେ ଏହି ପଦ ପାଇଁ ପିଟି ଉଷା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ପା‌ୟୋଲି ଏକ୍ସପ୍ରେସ୍‌ ଭାବେ ପରିଗଣିତ ପିଟି ଉଷା ବିନା ପ୍ରତିଦ୍ବନ୍ଦ୍ବିତାରେ ଏହି ପଦ କରାୟତ୍ତ କରିବା ନିଶ୍ଚିତ ହୋଇଛି।

ଏକାଧିକ ଏସିଆ ଓ ୧୯୮୪ ଅଲିମ୍ପିକ୍‌ ୪୦୦ ମିଟର ‌ବାଧାଦୌଡ଼ରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ୫୮ ବର୍ଷୀୟା ପିଟି ଉଷା ରବିବାର ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ୯୫ ବର୍ଷର ଆଇଓଏ ଇତିହାସରେ ପ୍ରଥମ ଅଲିମ୍ପିଆନ୍‌ ଏବଂ ଅନ୍ତର୍ଜାତୀୟ ପଦକ ବିଜୟିନୀ ଭାବେ ଉଷ‌ା ସଭାପତି ହେବାକୁ ଯାଉଛନ୍ତି। ଆଇଓଏ ମୁଖ୍ୟ ହେବାରେ ମହାରାଜା ୟାଦାବିନ୍ଦ୍ର ସିଂହଙ୍କ ପରେ ଉଷା ପ୍ରଥମ କ୍ରୀଡ଼ାବିତ୍‌ ହେବେ। ୧୯୩୪ରେ ଏକମାତ୍ର ଟେଷ୍ଟ କ୍ରିକେଟ୍‌ ଖେଳିଥିବା ସିଂହ ୧୯୩୮ରୁ ୧୯୬୦ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିଥିଲେ। ଅଜୟ ପଟେଲ (ବରିଷ୍ଠ ଉପସଭାପତି), ଗଗନ ନାରଙ୍ଗ (ପୁରୁଷ ଉପସଭାପତି), କଲ୍ୟାଣ ଚୌବେ (ପୁରୁଷ ଯୁଗ୍ମ ସମ୍ପାଦକ) ଏବଂ ସହଦେବ ଯାଦବ (କୋଷାଧ୍ୟକ୍ଷ) ମଧ୍ୟ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏହି ସବୁ ପଦ ପାଇଁ ଜଣେ ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ତେବେ ୨ ଜଣ ମହିଳା ଉପସଭାପତି, ୩ ମହିଳା ଯୁଗ୍ମ ସମ୍ପାଦକ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲା ବେଳେ ୪ କାର୍ଯ୍ୟକାରୀ ସଦସ୍ୟ ଲାଗି ୧୨ ଜଣ ପ୍ରତିଦ୍ବନ୍ଦ୍ବିତାକୁ ଓହ୍ଲାଇଛନ୍ତି। ୨୯ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ‌ପରେ ୩୦ ତାରିଖରେ ପ୍ରତିଦ୍ବନ୍ଦ୍ବୀଙ୍କ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୧ରୁ ୩ ତାରିଖ ମଧ୍ୟରେ ପ୍ରତ୍ୟାହାର ପରେ ୪ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର