ମୁମ୍ବାଇ: ଭାରତୀୟ ଟେଷ୍ଟ୍ ଦଳର ୩ ନମ୍ବର ବ୍ୟାଟର୍ ଚେତେଶ୍ବର ପୂଜାରା ଚଳିତ କାଉଣ୍ଟି ଋତୁରେ ସସେକ୍ସ ପାଇଁ ନେତୃତ୍ବ ପଦାର୍ପଣରେ ଚମକ ଛାଡ଼ିଛନ୍ତି। ଏହି କାଉଣ୍ଟି ଦଳର ନିୟମିତ ଅଧିନାୟକ ଟମ୍ ହେନ୍ସ ଆହତ ଯୋଗୁଁ ପ୍ରାୟ ୬ ମାସ ବାଦ୍ ପଡ଼ିବା ପରେ ପୂଜାରାଙ୍କୁ ଚଳିତ ମିଡିଲସେକ୍ସ ବିପକ୍ଷ ମ୍ୟାଚ୍ରେ ଅଧିନାୟକ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏଭଳି ଏକ ଗୁରୁ ଦାୟିତ୍ବର ସୁଯୋଗକୁ ପଦାର୍ପଣରେ ମଧ୍ୟ ହାତଛଡ଼ା କରିନାହାନ୍ତି ପୂଜାରା। ସେ ଦଳର ନେତୃତ୍ବ ନେବା ପରେ ଚମତ୍କାର ଫର୍ମ ଜାରି ରଖି ଦ୍ବିଶତକ ଜମାଇଛନ୍ତି। ଏପରିକି ଚଳିତ ଋତୁରେ ସେ ୭ ମ୍ୟାଚ୍ରୁ ତୃତୀୟ ଦ୍ବିଶତକ ଜମାଇଛନ୍ତି। ବୁଧବାର ସେ ଶେଷ ବ୍ୟାଟର୍ ଭାେବ ଆଉଟ୍ ହେବା ପୂର୍ବରୁ ୨୩୧ (୪୦୩ ବଲ୍, ୨୧ ଚୌକା, ୩ ଛକା) ରନ୍ କରି ଚଳିତ ଋତୁରେ ତୃତୀୟ ଦ୍ବିଶତକ ପୂରଣ କରିଥିଲେ। ଏହା ମଧ୍ୟ ତାଙ୍କର ପଞ୍ଚମ ଶତକ ଥିଲା। ତାଙ୍କ ଦାୟିତ୍ବବାନ ପାଳି ବଳରେ ସସେକ୍ସ ଲର୍ଡସରେ ଖେଳୁଥିବା ମିଡଲସେକ୍ସ ବିପକ୍ଷ ମ୍ୟାଚ୍ର ପ୍ରଥମ ପାଳିରେ ୫୨୩ ରନ୍ର ବଡ଼ ସ୍କୋର୍ ଛିଡ଼ା କରିଛି। ପୂଜାର ତୃତୀୟ ୱିକେଟ୍ରେ ଟମ୍ ଅଲ୍ସପ୍ (୧୩୫)ଙ୍କ ସହ ୨୧୯ ରନ୍ ଯୋଡ଼ିଥିଲେ।
ଏହି ମ୍ୟାଚ୍ ପୂର୍ବରୁ ପୂଜାରା କାଉଣ୍ଟି ଚାମ୍ପିଅନ୍ସିପ୍ ଡିଭିଜନ୍-୨ରେ ତୃତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହୋଇଥିଲେ। ସେ ୬ ମ୍ୟାଚ୍ରୁ ମୋଟ ୭୬୬ ରନ୍ ସଂଗ୍ରହ କରିଥିଲା ବେଳେ ତାଙ୍କର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର୍ ୨୦୩ ଥିଲା। ଏବେ ୭ ମ୍ୟାଚ୍ ମଧ୍ୟରେ ପୂଜାରା ୩ଟି ଦ୍ବିଶତକ ଏବଂ ୨ ଶତକୀୟ ପାଳି ଖେଳିଛନ୍ତି। ତାଙ୍କ ମୋଟ ରନ୍ ମଧ୍ୟ ୯୯୭* ହୋଇଗଲାଣି। ଏହି ମ୍ୟାଚ୍ରେ ପୂଜାରାଙ୍କ ପ୍ରତିପକ୍ଷ ଦଳରେ ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ଖେଳୁଥିଲା ବେଳେ ସେ ୱିକେଟ୍ ଶୂନ୍ୟ ରହିଛନ୍ତି।
ଅନ୍ୟପକ୍ଷରେ ଆଉ ଜଣେ ଭାରତୀୟ ନଭଦୀପ ସୈନି ମଧ୍ୟ କେଣ୍ଟ୍ ପକ୍ଷରୁ ଖେଳି କାଉଣ୍ଟି ପଦାର୍ପଣ କରିଛନ୍ତି। ୱାର୍ୱିକ୍ସାୟାର ବିପକ୍ଷ ପଦାର୍ପଣ ମ୍ୟାଚ୍ରେ ସେ ବ୍ୟାଟିଂରେ ଖାତା ଖୋଲିପାରିନଥିଲା ବେଳେ ବୋଲିଂରେ ୫ ୱିକେଟ୍ ଦଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/pujara.jpg)