ସିଡନି: ବିରାଟ କୋହଲି ଭାରତୀୟ କ୍ରିକେଟ୍ର ରାଜା ହୋଇପାରନ୍ତି, କିନ୍ତୁ ଚେତେଶ୍ବର ପୂଜାରା ହେଉଛନ୍ତି ତାଙ୍କ ରାଜକୀୟ ରାଇଜର ସବୁଠୁ ଯୋଗ୍ୟ ଏବଂ ଗୁଣପ୍ରସନ୍ନ ବ୍ୟକ୍ତି। ସାଧାରଣତଃ ଉଦାରତା ଦେଖାଉନଥିବା ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ଇଆନ୍ ଚାପେଲ୍ ଏଭଳି ମତ ଦେଇଛନ୍ତି। ପୂଜାରା ଯେ ଏକାକୀ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଆଧିପତ୍ୟ ବିସ୍ତାର କରିଥିଲେ ତା ନୁହେଁ, ସାଥୀ ଖେଳାଳିଙ୍କୁ ମଧ୍ୟ ବୋଲରଙ୍କୁ ନୟାନ୍ତ କରିବାକୁ ବାଟ ଦେଖାଇଥିଲେ। ଭାରତ ପାଇଁ ଏହି ଶୃଙ୍ଖଳାରେ ଅନେକ କିଛି ସକାରାତ୍ମକ ଦିଗ ମିଳିଛି। କେବଳ ବିଜୟ ନୁହେଁ, ପୂଜାରାଙ୍କ ସଂକଳ୍ପବଦ୍ଧତାରୁ ଅନେକ କିଛି ଉତ୍ପନ୍ନ ବି ହୋଇଛି। ଅଷ୍ଟ୍ରେଲିଆରେ ଏକ ଶୃଙ୍ଖଳାରେ ୩ ଶତକ ହାସଲ କରିବା ତାଙ୍କୁ ସୁନୀଲ ଗାଭାସ୍କରଙ୍କ ସହ ତୁଳନୀୟ କରିଛି। ଗାଭାସ୍କର ମଧ୍ୟ ୧୯୭୭-୭୮ରେ ସମାନ କୃତିତ୍ବ ଅର୍ଜନ କରିଥିଲେ। ୭ ପାଳିରୁ ୫୨୧ ରନ୍ ସଂଗ୍ରହ କରିବା, ୧୮୬୭ ମିନିଟ୍ ବ୍ୟାଟିଂ କରିବା ଏବଂ ମୋଟ ୧୨୫୮ ବଲ୍ ଖେଳିବା ଆଦି ପୂଜାରାଙ୍କୁ ସର୍ବୋତ୍କୃଷ୍ଟ ମାନ୍ୟତା ଦେଇଛି ତଥା ଉଚ୍ଚତ୍ତମ ଶିଖରରେ ପହଞ୍ଚାଇଛି। ଭାରତର ଶୃଙ୍ଖଳା ବିଜୟରେ ପୂଜାରା ପ୍ରମୁଖ ଭୂମିକା ତୁଲାଇଛନ୍ତି। ଘରୋଇ ଅଷ୍ଟ୍ରେଲିଆ ଦଳ ଶୃଙ୍ଖଳା ସାରା ବିରାଟ କୋହଲିଙ୍କ ଉପରେ ଏକାଗ୍ର ହୋଇଯିବା ସମ୍ଭବତଃ ପୂଜାରାଙ୍କ ପାଇଁ ସହଜ ହୋଇଯାଇଥିଲା। ପୂଜାରା ଅଧିକ ଏକାଗ୍ର ହୋଇ ଅଷ୍ଟ୍ରେଲିଆର ଶୀର୍ଷସ୍ଥାନୀୟ ପେସ୍ ବୋଲରଙ୍କ ମୁକାବିଲା କରିବା ସବୁଠାରୁ ଉଲ୍ଲେଖନୀୟ। ତାଙ୍କ ପାଇଁ ସିଡନିରେ ଭାରତର ନିମ୍ନକ୍ରମ ବ୍ୟାଟସମ୍ୟାନ୍ ବି ସହଜରେ ରନ୍ ସଂଗ୍ରହ କରିଥିଲେ। ବିଶ୍ବ କ୍ରିକେଟ୍ରେ ପୂଜାରା ଜଣେ ଫଳପ୍ରଦ ସ୍ପଷ୍ଟବାଦୀ ଏବଂ ପଦ୍ଧତିର ଶିଷ୍ୟ ବୋଲି ଚାପେଲ୍ କହିଥିଲେ। ତଥାପି ପୂଜାରାଙ୍କ ବ୍ୟାଟିଂରେ ଏକ ସମସ୍ୟା ରହିଥିବା ଦର୍ଶାଇଥିଲେ ଚାପେଲ। ପୂଜାରାଙ୍କ ସମସ୍ୟା ହେଉଛି ସେ ରନ୍ ସ୍କୋର୍ କରିବା କଥା ଚିନ୍ତା କରନ୍ତି ନାହିଁ। ନେଟ୍ସରେ ବ୍ୟାଟିଂ କରିବା ଭଳି ବଲ୍ ପରେ ବଲ୍ ଖେଳି ଚାଲନ୍ତି, ଯାହା ସେ କରିବା କଥା ନୁହେଁ ବୋଲି ଚାପେଲ୍ ମତ ଦେଇଛନ୍ତି। ବିରାଟ କୋହଲିଙ୍କ ପ୍ରଶଂସା କରିବାକୁ ବି ଭୁଲି ନ ଥିଲେ ଚାପେଲ। ସବୁ ଫର୍ମାଟରେ ସେ ଯେଭଳି ଖେଳୁଛନ୍ତି ଏହା ମୋତେ ପ୍ରଭାବିତ କରିଛି। ମୁଁ ତାଙ୍କୁ କେଉଁ ସ୍ଥାନରେ ରଖିବି ସେଥିରେ ଯାଏ ଆସେ ନାହିଁ, କିନ୍ତୁ ଏ ଯୁଗର ଚାମ୍ପିଅନ୍ ନିଶ୍ଚିତ ଅନ୍ୟ ଯୁଗର ବି ଚାମ୍ପିଅନ୍ ଖେଳାଳି ବୋଲି ଚାପେଲ୍ ପ୍ରକାଶ କରିଥିଲେ। ସବୁ ଫର୍ମାଟରେ ସେ ପାରମ୍ପରିକ ସଟ୍ ଖେଳି ରନ୍ କରିବା ମୋତେ ଆତ୍ମସନ୍ତୋଷ ଦେଉଛି ବୋଲି କହିଥିଲେ ଚାପେଲ୍ ବ୍ରଦର୍ସଙ୍କ ମଧ୍ୟରେ ବଡ଼ ଇଆନ୍।
Advertisment
Sambad is now on WhatsApp
Join and get latest news updates delivered to you via WhatsApp