ହୋଭ୍ (ଇଂଲଣ୍ଡ): ଭାରତୀୟ ଟେଷ୍ଟ୍ ବିଶେଷଜ୍ଞ ଚେତେଶ୍ବର ପୂଜାରା ଚଳିତ ରୟାଲ ଲଣ୍ଡନ ଦିନିକିଆ କପ୍ ପ୍ରତିଯୋଗିତାରେ ବ୍ୟକ୍ତିଗତ ତୃତୀୟ ଶତକ ହାସଲ କରିଛନ୍ତି। ପ୍ରଥମେ ୱାର୍ୱିକ୍ସାୟାର ବିପକ୍ଷରେ ୭୯ ବଲ୍ରୁ ୧୦୭ ଏବଂ ପରେ ସରେ ବିପକ୍ଷରେ କ୍ୟାରିୟର ଶ୍ରେଷ୍ଠ ଲିଷ୍ଟ-ଏ ସ୍କୋର୍ ୧୭୪ ରନ୍ କରିଥିବା ପୂଜାରା ମଙ୍ଗଳବାର ମିଡଲସେକ୍ସ ବିପକ୍ଷ ମ୍ୟାଚ୍ରେ ୯୦ ବଲ୍ରୁ ୧୩୨ ରନ୍ କରି ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ୭୫ ବଲ୍ରୁ ଶତକ ଜମାଇଥିବା ପୂଜାରା ସରେ ବିପକ୍ଷ ମ୍ୟାଚ୍ରେ ୧୩୨ ରନ୍ର ପାଳି ମଧ୍ୟରେ ୨୦ ଚୌକା ଓ ୨ ଛକା ମାରିଥିଲେ। ପୂଜାରା ଚଳିତ ପ୍ରତିଯୋଗିତାରେ ସସେକ୍ସର ନେତୃତ୍ବ ଭାର ଗ୍ରହଣ କରିଥିଲା ବେଳେ ଏପର୍ଯ୍ୟନ୍ତ ୮ ପାଳିରୁ ମୋଟ ୬୧୪ ରନ୍ ସଂଗ୍ରହ କରିସାରିଲେଣି। ଏଥିରେ ୩ ଶତକ ସାମିଲ ରହିଛି। ୮ ପାଳିରେ ପୂଜାରାଙ୍କ ସ୍କୋର୍ ଯଥାକ୍ରମେ ୯ (୧୬ ବଲ୍), ୬୩ (୭୧ ବଲ୍), ୧୪* (୭ ବଲ୍), ୧୦୭ (୭୯ ବଲ୍), ୧୭୪ (୧୩୧ ବଲ୍), ୪୯* (୬୮ ବଲ୍), ୬୬ (୬୬ ବଲ୍), ୧୩୨ (୯୦ ବଲ୍) ରହିଛି। ଚଳିତ ଋତୁରେ ପୂଜାରା ମଧ୍ୟ ୫୦୦ ରନ୍ ଅତିକ୍ରମ କରିବାରେ କେବଳ ଦ୍ବିତୀୟ ବ୍ୟାଟର୍ ହୋଇଛନ୍ତି।
ରୟାଲ ଲଣ୍ଡନ କପ୍ରେ ତୃତୀୟ ଶତକ ହାସଲ ପରେ ପୂଜାରା ମଧ୍ୟ ଲିଷ୍ଟ-ଏ କ୍ରିକେଟ୍ (ଅତି କମ୍ରେ ୧୦୦ ପାଳି)ରେ ଦ୍ବିତୀୟ ସର୍ବୋଚ୍ଚ ବ୍ୟାଟିଂ ହାରିହାରିର କୀର୍ତ୍ତିମାନ ବହନ କରିଛନ୍ତି। ଏକ୍ଷେତ୍ରରେ ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ପାକିସ୍ତାନ ଅଧିନାୟକ ବାବର ଆଜମ୍ଙ୍କୁ ଟପିଯାଇଥିଲେ। ନିଜ କ୍ୟାରିୟରରେ ୧୦୯ ପାଳିରୁ ପୂଜାରାଙ୍କ ବର୍ତମାନର ହାରାହାରି ୫୭.୪୮ ରହିଛି। ଯାହାକି କେବଳ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟର୍ ମାଇକେଲ ବେଭାନ (୫୭.୮୬, ୩୮୫ ପାଳି) ତାଙ୍କ ଉପରକୁ ରହିଛନ୍ତି। ଅନ୍ୟପକ୍ଷରେ ବାବରଙ୍କ ହାରାହାରି ୫୬.୫୬ (୧୫୩ ପାଳି) ଏବଂ କୋହଲିଙ୍କ ହାରାହାରି ୫୬.୬୦ (୨୮୬ ପାଳି) ପୂଜାରାଙ୍କ ପଛରେ ପଡ଼ିଯାଇଛି।
ଏହା ପୂର୍ବରୁ କାଉଣ୍ଟି ଚାମ୍ପିଅନ୍ସିପ୍ ଡିଭଜନ୍-୨ରେ ନିଜ କ୍ଲବ୍ ପକ୍ଷରୁ ପୂଜାରା ୧୩ ପାଳିରୁ ୧୦୯୪ ରନ୍ ସଂଗ୍ରହ କରିଥିଲେ। ଯେଉଁଥିରେ ୩ ଦ୍ବିଶତକ ସହ ମୋଟ ୫ ଶତକ ସାମିଲ ଥିଲା। ସେଥିରେ ତାଙ୍କର ହାରାହାରି ୧୦୯.୪୦ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/pujara.jpg)