ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍ରେ ସୌରାଷ୍ଟ୍ର ତାରକା ଚେତେଶ୍ବର ପୂଜାରଙ୍କ ବିଫଳତା ଜାରି ରହିଛି। ପ୍ରଥମ ପାଳିରେ ମାତ୍ର ୧ ରନ୍ କରିଥିବା ସୌରାଷ୍ଟ୍ରର ଏହି ଭରସାଯୋଗ୍ୟ ଖେଳାଳି ଦ୍ବିତୀୟ ପାଳିରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଛନ୍ତି। ୨୦୬ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ସୌରାଷ୍ଟ୍ର ବୁଧବାର ଚତୁର୍ଥ ଦିବସ ଷ୍ଟମ୍ପ୍ ଅପସାରଣ ବେଳକୁ ୫ ୱିକେଟ୍ ବିନିମୟରେ ୫୮ ରନ୍ କରି ସଙ୍କଟରେ ପଡ଼ିଛି। ଅନ୍ୟପକ୍ଷରେ ବିଦର୍ଭ ଲଗାତାର ଦ୍ବିତୀୟ ଥର ଲାଗି ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛି। ପ୍ରଥମ ପାଳିରେ ବିଦର୍ଭ ଅକ୍ଷୟ କାର୍ନେକରଙ୍କ (୭୩*) ଅର୍ଧଶତକ ବଳରେ ୩୧୨ ରନ୍ କରିଥିଲା ବେଳେ ସୌରାଷ୍ଟ୍ର ସ୍ନେଲ୍ ପଟେଲ (୧୦୨)ଙ୍କ ଶତକ ସହାୟତାରେ ୩୦୭ ରନ୍ କରିଥିଲା। ୫ ରନ୍ରେ ଆଗୁଆ ଥିବା ବିଦର୍ଭ ମଙ୍ଗଳବାରର ଷ୍ଟମ୍ପ୍ସ ଅପସରଣ ବେଳକୁ ୫୫/୨ କରିଥିଲା। ବୁଧବାର ଏଥିରେ ଆଉ ମାତ୍ର ୧୪୫ ରନ୍ ଯୋଡ଼ି ବଳକା ୮ ୱିକେଟ୍ ହରାଇଥିଲା। ଗଣେଶ ସତୀଶ ୩୫, ମୋହିତ କାଲେ ୩୮ ଏବଂ ସରୱାତେ ୪୯ ରନ୍ କରିଥିଲେ। ସୌରାଷ୍ଟ୍ର ପକ୍ଷରୁ ସଫଳ ବୋଳର ଭାବେ ଧର୍ମେନ୍ଦ୍ରସିଂହ ଜାଦେଜା ୬ ଏବଂ କମଲେଶ୍ ମକ୍ୱାନା ୨ ୱିକେଟ୍ ପାଇଥିଲେ। ୨୦୬ ରନ୍ର ବିଜୟ ଲକ୍ଷ୍ୟକୁ ନେଇ ଖେଳୁଥିବା ସୌରାଷ୍ଟ୍ର ବୁଧବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ୫୮ ରନ୍ରେ ୫ ୱିକେଟ୍ ହରାଇଛି। ମ୍ୟାଚ୍ ଆଉ ଗୋଟିଏ ଦିନ ଥିଲା ବେଳେ ଦଳ ବିଜୟଠୁ ୧୪୮ ରନ୍ ପଛରେ ରହିଛି। ବିଶ୍ବରାଜ ଜାଦେଜା ୨୩* ଓ କମଲେସ ମାକୱାନା ୨* ରନ୍ରେ ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ୫ ୱିକେଟ୍ ସଫଳତା ପାଇଥିବା ବିଦର୍ଭର ବାମହାତୀ ସ୍ପିନର ଆଦିତ୍ୟ ସରୱାତେ ଦ୍ବିତୀୟ ପାଳିରେ ୩ ୱିକେଟ୍ ଅକ୍ତିଆର କରିଥିଲା ବେଳେ ଉମେଶ ଯାଦବ ଓ ଅକ୍ଷୟ ୱାଖାରେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ବୁଧବାର ଚତୁର୍ଥ ଦିବସରେ ମୋଟ ୧୩ ୱିକେଟ୍ର ପତନ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି ୧୨୦.୨ ଓଭରରେ ୩୧୨ (ଅକ୍ଷୟ କାର୍ନେକର ୭୩*, ଅକ୍ଷୟ ୱାଦକର ୪୫, ଜୟଦେବ ଉନାଦକଟ ୩/୫୪, ଚେତନ ସକାରିଆ ୨/୪୪)। ଦ୍ବିତୀୟ ପାଳି ୯୨.୫ ଓଭରରେ ୨୦୦ (ଆଦିତ୍ୟ ସରୱାତେ ୪୯*, ମୋହିତ କାଲେ ୩୮, ଗଣେଶ ସତୀଶ ୩୫, ଧର୍ମେନ୍ଦ୍ରସିଂହ ଜାଦେଜା ୬/୯୬, କମଲେଶ୍ ମକ୍ୱାନା ୨/୫୧)। ସୌରାଷ୍ଟ୍ର ପ୍ରଥମ ପାଳି ୧୧୭ ଓଭରରେ ୩୦୭ (ସ୍ନେଲ୍ ପଟେଲ ୧୦୨, ଜୟଦେବ ଉନାଦକଟ ୪୬, ଆଦିତ୍ୟ ସରୱାତେ ୫/୯୮, ଅକ୍ଷୟ ୱାଖରେ ୪/୮୦, ଉମେଶ ଯାଦବ ୧/୫୯)। ଦ୍ବିତୀୟ ପାଳି ୨୮ ଓଭରରେ ୫୮/୫ (ବିଶ୍ବରାଜ ଜାଦେଜା ୨୩*, ଆଦିତ୍ୟ ସରୱାତେ ୩/୧୩।