ଆଇସିସି ଟେଷ୍ଟ ମାନ୍ୟତା: ଦ୍ୱିତୀୟକୁ ଫେରିଲେ ପୂଜାରା ଓ ଜାଦେଜା

ଦୁବାଇ: ମଙ୍ଗଳବାର ପ୍ରକାଶିତ ଆଇସିସି ଟେଷ୍ଟ୍‍ ମାନ୍ୟତାରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦ୍ୱିତୀୟ ସ୍ଥାନକୁ ଫେରିଥିଲା ବେଳେ ଅଧିନାୟକ ବିରାଟ କୋହଲି ପୂର୍ବ ପରି ପଞ୍ଚମରେ ସ୍ଥିର ରହିଛନ୍ତି। ପୂଜାରା ଶ୍ରୀଲଙ୍କା ବିପକ୍ଷ ନାଗପୁର ଟେଷ୍ଟ୍‍ରେ ଶତକ ହାସଲ ପରେ ନିଜ ପଏଣ୍ଟ୍‌ ସଂଖ୍ୟା ୮୮୮ରେ ପହଞ୍ଚାଇଥିଲେ। ପଞ୍ଚମରେ ଥିବା କୋହଲି ଏବଂ ପୂଜାରାଙ୍କ ପଏଣ୍ଟ୍‌ ବ୍ୟବଧାନ ମାତ୍ର ୧୧ ରହିଛି। ତେବେ ଆସେସ୍‌ରେ ୧୪୧ ରନ୍‌ କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ସର୍ବାଧିକ ୯୪୧ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ ତୃତୀୟ, ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ଚତୁର୍ଥ ଏବଂ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ନର୍‌ ଷଷ୍ଠରେ ରହିଛନ୍ତି। ଶ୍ରୀଲଙ୍କା ବିପକ୍ଷ ନାଗପୁର ଟେଷ୍ଟ୍‍ରେ ଶତକ ହାସଲ କରିଥିବା ଅନ୍ୟ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମୂରଲୀ ବିଜୟ ୨୮ ଏବଂ ରୋହିତ ଶର୍ମା ୪୬ତମ ସ୍ଥାନକୁ ଲମ୍ଫ ଦେଇଛନ୍ତି। ହେଲେ ଲୋକେଶ ରାହୁଲ ଗୋଟିଏ ସ୍ଥାନ ଖସି ନବମ, ଆଜିଙ୍କ୍ୟ ରାହାଣେ ପଞ୍ଚଦଶ ଏବଂ ଶିଖର ଧାଓ୍ଵାନ୍‌ ୨୯ତମ ସ୍ଥାନରେ ରହିଛନ୍ତି।

ସେହିପରି ବୋଲର୍‌ଙ୍କ ମାନ୍ୟତାରେ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ପୁଣି ଥରେ ଦ୍ୱିତୀୟକୁ ଫେରିଥିଲା ବେଳେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ଶ୍ରେଷ୍ଠ ୧୦କୁ ଫେରିଛନ୍ତି। ୩୦୦ ଓ୍ଵିକେଟ୍‌ କ୍ଲବ୍‌ରେ ସାମିଲ ହୋଇଥିବା ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଚତୁର୍ଥରେ ରହିଥିଲା ବେଳେ ଭୁବନେଶ୍ୱର କୁମାର ୨୮ ଏବଂ ଈଶାନ୍ତ ଶର୍ମା ୩୦ତମ ସ୍ଥାନ ପାଇଛନ୍ତି। ଅଲ୍‌ରାଉଣ୍ଡର୍‌ ତାଲିକାରେ ଅଶ୍ୱିନ ତୃତୀୟକୁ ଫେରିଥିଲା ବେଳେ ବାଲାଂଦେଶର ସାକିବ ଅଲ୍‌ ହାସନ୍‌ ଓ ଭାରତୀୟ ସ୍ପିନର ରବୀନ୍ଦ୍ର ଜାଦେଜା ଶୀର୍ଷ ଦୁଇ ସ୍ଥାନରେ ଅପରିବର୍ତିତ ରହିଛନ୍ତି।

ସମ୍ବନ୍ଧିତ ଖବର