ଷ୍ଟ୍ରାଇକ୍ ରେଟ୍‌କୁ ନେଇ ପୂଜାରାଙ୍କ ସିଧା କଥା: ନ୍ୟୁଜିଲାଣ୍ଡ ବିଫଳତା ବାଧିଥିଲା

ସେହବାଗ, ୱାର୍ନରଙ୍କ ଭଳି ବ୍ୟାଟିଂ କରିପାରିବିନି, ଲାଲ୍ ବଲ୍‌ରେ କିଛି ସମୟ ନେଲେ ସମସ୍ୟା ନାହିଁ

ନୂଆଦିଲ୍ଲୀ: ‘‘ମୁଁ ଡେଭିଡ୍ ୱାର୍ନର କିମ୍ବା ବୀରେନ୍ଦ୍ର ସେହବାଗ ଭଳି ବିସ୍ଫୋରକ ବ୍ୟାଟିଂ କରି ପାରିବିନାହିଁ। ମୋ ଭଳି ଜଣେ ସାଧାରଣ ବ୍ୟାଟ୍ସମ୍ୟାନ୍ ସମୟ ନେଲେ ସେଥିରେ କିଛି ଅସୁବିଧା ନାହିଁ। ମୋ ଷ୍ଟ୍ରାଇକ୍ ରେଟ୍‌ ଉପରେ କେବଳ ବାହାର ଲୋକ ଅଙ୍ଗୁଳି ନିର୍ଦେଶ କରନ୍ତି। ଦଳ ପକ୍ଷରୁ ଏଥିନେଇ ମୋ ଉପରେ କୌଣସି ଚାପ ନଥାଏ। ଦଳ ମୋତେ ଭଲ ଭାବରେ ଜାଣିଛି। ମୋ ଖେଳିବା ଶୈଳୀର ମହତ୍ବକୁ ବୁଝିଛି। ନିର୍ଦିଷ୍ଟ ସଂଖକ ରନ୍ କରିବାକୁ ମୁଁ ଏତେ ସମୟ କାହିଁକି ନେଉଛି ବୋଲି ଅନେକ ସମୟରେ ପ୍ରଶ୍ନ ହୁଏ। ହେଲେ ମୁଁ ଏହାକୁ ଆଦୌ ଗୁରୁତ୍ବ ଦିଏନି। ଦଳର ବିଜୟକୁ ସୁନିଶ୍ଚିତ କରିବା ମୋ କାମ ଏବଂ ମୁଁ ଏହାକୁ ଠିକ୍ ଭାବରେ କରୁଛି ବୋଲି ଭାବୁଛି।’’ ଭାରତୀୟ କ୍ରିକେଟ୍ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ସଫା ସଫା ଏହା କହିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସବୁବେଳେ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ପୂଜାରା ବିଶ୍ବର ଅନ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ସହ ତାଙ୍କର ତୁଳନା ନ କରିବାକୁ ଗୁରୁବାର ଦେଇଥିବା ସାକ୍ଷାତକାରରେ ଅନୁରୋଧ କରିଛନ୍ତି। କେବଳ କ୍ରିକେଟ୍ କ୍ରିଜ୍ ନୁହେଁ ସାଧାରଣ ଜୀବନରେ ମଧ୍ୟ ବରଫ ଭଳି ଥଣ୍ଡା ରହୁଥିବା ପୂଜାରା ତାଙ୍କ ଷ୍ଟ୍ରାଇକ୍ ରେଟ୍ (ବଲ୍ ପିଛା ରନ୍)କୁ ନେଇ ଯେଉଁ ସବୁ ପ୍ରଶ୍ନ ଉଠୁଛି, ତା’ର କୌଣସି ମୂଲ୍ୟ ନାହିଁ ବୋଲି ସଫା ସଫା ମତ ରଖିଛନ୍ତି।

ପୂଜାରା ସାଧାରଣତଃ ମନ୍ଥର ହେଲେ ମହତ୍ବପୂର୍ଣ୍ଣ ଓ ବଡ଼ ପାଳି ଖେଳିବାରେ ବିଶ୍ବାସ ରଖନ୍ତି। ଯାହାର ସଦ୍ୟତମ ଉଦା‌ହରଣ ହେଲା ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଖେଳା ଯାଇଥିବା ରଣଜୀ ଟ୍ରଫି ଫାଇନାଲ୍। ଏଥିରେ ସେ ୨୩୭ ବଲ୍ ଖେଳି ୬୭ ରନ୍ କରିଥିଲେ। ଏହି ପାଳିକୁ ଫଟାଫଟ୍ ବା ଟ୍ବେଣ୍ଟି-୨୦ କ୍ରିକେଟ୍ ଦେଖିବାକୁ ପସନ୍ଦ କରୁଥିବା କ୍ରିକେଟ୍ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରିଥିଲେ। ହେଲେ ପୂଜାରାଙ୍କ ପାଳି ବଳରେ ହିଁ ବେଙ୍ଗଲକୁ ହରାଇ ସୌରାଷ୍ଟ୍ର ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଥିଲା। ଏହା ପରେ ନିନ୍ଦୁକଙ୍କୁ ନିଜ ବ୍ୟାଟ୍‌ରେ ଉତ୍ତର ଦେବାକୁ ପସନ୍ଦ କରୁଥିବା ପୂଜାରା କହିଛନ୍ତି ଯେ ଉଭୟ ମୁଁ ଓ ଦଳ ମୋ ବ୍ୟାଟିଂ ଦକ୍ଷତା ଓ ଖେଳିବା ଶୈଳୀକୁ ଭଲ ଭାବରେ ଜାଣିଛୁ। ସେହବାଗ ଓ ୱାର୍ନରଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ସହ ମୋ ଭଳି ରକ୍ଷଣାତ୍ମକ ବ୍ୟାଟ୍ସମ୍ୟାନଙ୍କର ମଧ୍ୟ ଟେଷ୍ଟ୍ କ୍ରିକେଟ୍‌ରେ ଢେର ମହତ୍ବ ଓ ଆବଶ୍ୟକତା ଅଛି। ଭାରତୀୟ କ୍ରିକେଟ୍ ଦଳ ପାଇଁ ୩ ନମ୍ବରରେ ଖେଳୁଥିବା ପୂଜାରା ଗୁରୁବାର ଦେଇଥିବା ଏହି ସାକ୍ଷାତକାର ଅବସରରେ ଆହୁରି କହିଛନ୍ତି, ‘‘ ଗଣମାଧ୍ୟମରେ ମୋତେ ନେଇ ଅଧିକ ଚର୍ଚା ହୁଏନି। ମୋ ପାଳିକୁ କେବେ କେବେ ଭିନ୍ନ ଭାବେ ଉପସ୍ଥାପିତ କରାଯାଏ। ଏହି କ୍ଷେତ୍ରରେ କିନ୍ତୁ ଦଳୀୟ ଅଧିକାରୀମାନେ ମୋତେ ସଂପୂର୍ଣ୍ଣ ସମର୍ଥନ ଦେଇ ଅସୁଛନ୍ତି। ଅଧିନାୟକ, ପ୍ରଶିକ୍ଷକ କିମ୍ବା ଅନ୍ୟ କାହାଠାରୁ ଏଥିନେଇ କୌଣସି ଚାପ ନାହିଁ। ସୂଚନାଯୋଗ୍ୟ ଯେ ୩୨ ବର୍ଷୀୟ ପୂଜାରାଙ୍କୁ ‘ଦି ୱାଲ’ ରାହୁଲ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଥିଲା ବେଳେ ସେ ୭୭ ଟେଷ୍ଟ୍ ଖେଳି ୪୮.୬୭ ହାରରେ ୫୮୪୦ ରନ୍ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍ ରେଟ୍ ହେଉଛି ୪୬.୧୯। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‌ର ଅନ୍ୟ କେତେକ ବ୍ୟାଟ୍ସମ୍ୟାନ୍ ଯଥା ସଚିନ ତେନ୍ଦୁଲକର (୫୪.୦୮), ସୁନିଲ ଗାଭାସ୍କର (୬୬.୦୪), ବୀରେନ୍ଦ୍ର ସେହବାଗ (୮୨.୨୩), ଭିଭିଏସ୍ ଲକ୍ଷ୍ମଣ (୪୯.୩୭) ଓ ସୌରଭ ଗାଙ୍ଗୁଲି (୫୧.୨୬)ଙ୍କ ଭଳି ଖେଳାଳିଙ୍କ ଟେଷ୍ଟ୍ ଷ୍ଟ୍ରାଇକ୍ ରେଟ୍ ତାଙ୍କଠାରୁ ବେଶ୍ ଭଲ ରହିଛି। ହେଲେ ଦ୍ରାବିଡ଼ (୪୨.୫୧)ଙ୍କଠାରୁ ପୂଜାରାଙ୍କ ଷ୍ଟ୍ରାଇକ୍ ରେଟ୍ ଉନ୍ନତ ରହିଛି। ପୂଜାରା ମାତ୍ର ୬ ଦିନିକିଆ ଓ କୌଣସି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳି ନଥିବାରୁ ଏହି ଦୁଇ ଫର୍ମା‌ଟ୍‌ରେ ଅନ୍ୟମାନଙ୍କ ସହ ତାଙ୍କର ତୁଳନା କରାଯାଇ ନପାରେ।

ନ୍ୟୁଜିଲାଣ୍ଡ ବିଫଳତା ବାଧିଥିଲା
ନ୍ୟୁଜିଲାଣ୍ଡ ଗସ୍ତର ଲଜ୍ଜାଜନକ ୨-୦ ମୂଳପୋଛ ନେଇ ମଧ୍ୟ ପୂଜାରା ମୁହଁ ଖୋଲିଛନ୍ତି। ଏହି ବିଷୟରେ ନିଜ ଭାବନା ବ୍ୟକ୍ତ କରିବାକୁ ଯାଇ ସେ କହିଛନ୍ତି ଯେ ନ୍ୟୁଜିଲାଣ୍ଡ ଗସ୍ତ ପୂରା ବ୍ୟାଟିଂ ବାହିନୀ ପାଇଁ ବେଶ୍ କଷ୍ଟକର ଓ ଆହ୍ବାନପୂର୍ଣ୍ଣ ଥିଲା। ଆମେ ୦-୨ ପରାଜୟରେ ଅନ୍ତର୍ଜାତୀୟ ଋତୁ ‌‌ଶେଷ କରିଥିଲୁ। ଯାହା ଦୁଃଖଦ ବିଷୟ ଥିଲା। ପୂଜାରା ଚଳିତ ଋତୁରେ ପାଞ୍ଚଟି ଅର୍ଧଶତକ ଅର୍ଜନ କରିଛନ୍ତି। ‌ସେଥିମଧ୍ୟରୁ ନ୍ୟୁଜିଲାଣ୍ଡରେ ଗୋଟିଏ ଅର୍ଧଶତକ ପାଇଛନ୍ତି। ହେଲେ ନିଜ ୧୮ ଅନ୍ତର୍ଜାତୀୟ ଶତକରେ ଆଉ ଗୋଟିଏ ଶତକ ଯୋଡ଼ିବାକୁ ସକ୍ଷମ ହୋଇ ପାରିନାହାନ୍ତି। ଲୋକମାନେ ମୋ ବ୍ୟାଟ୍‌ରୁ ବଡ଼ ପାଳି ଆଶା କରନ୍ତି। ମୁଁ ମଧ୍ୟ ନିଜକୁ ଏଥିନେଇ ସବୁବେଳେ ଆହ୍ବାନ ଦେଇଥାଏ। ଶତକ ଅର୍ଜନ କରିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଏ। ହେଲେ ଟେଷ୍ଟ୍ କ୍ରିକେଟ୍‌ରେ ୫୦ ପାଖାପାଖି ବ୍ୟାଟିଂ ହାର ରହିବାର ମାନେ ହେଉଛି, ଆପଣ ପ୍ରତ୍ୟେକ ଦ୍ବିତୀୟ ପାଳିରେ ଗୋଟିଏ ଅର୍ଧଶତକ ଅର୍ଜନ କରୁଛନ୍ତି। ମୁଁ ମୋ ପାଇଁ ସବୁବେଳେ ଉଚ୍ଚ ଲକ୍ଷ୍ୟ ରଖିଥାଏ। ଏଣୁ ଚଳିତ ଋତୁରେ କରିଥିବା ପ୍ରଦର୍ଶନ ନେଇ ଆଦୌ ଖୁସି ନାହିଁ ବୋଲି ସେ ମତ ରଖିଛନ୍ତି। ପ୍ରଶଂସକଙ୍କ ପାଇ ତାଙ୍କ ପାଳି ଦେଖିବା ବରକ୍ତିକର, ସମୟ ସାପେକ୍ଷ ଲାଗିପାରେ। ପୂଜାରାଙ୍କୁ କିନ୍ତୁ ପ୍ରତିପକ୍ଷକୁ ଘଣେଇବା ବହୁତ ଭଲ ଲାଗେ। ‌ତାଙ୍କ ଭଳିଆ ପାରମ୍ପରିକ ଓ କୁଶଳୀ ବ୍ୟାଟ୍ସମ୍ୟାନ୍ କାହିଁକି ଆସୁନାହାନ୍ତି ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ରଖି ପୂଜାରା କହିଛନ୍ତି ଯେ ମୁଁ ଭାବୁନି ଏଭଳି କ୍ରିକେଟ୍ କଳାର ଅଧୋପତନ ‌ହୋଇଛି। ସମ୍ଭବତଃ ଯୁବ ତାରକା ଧଳା ବଲ୍ କ୍ରିକେଟ୍‌କୁ ଅଧିକ ଭଲ ପାଉଛନ୍ତି। ସୀମିତ ଓଭର କ୍ରିକେଟରେ ଅଧିକ ଅର୍ଥ ରୋଜଗାର କରିବାର ସୁଯୋଗ ରହିବା ଏହାର ଏକ କାରଣ ହୋଇପାରେ। ଏଥିରେ କୌଣସି ଅସୁବିଧା ନାହିଁ। ହେଲେ ସେମାନଙ୍କୁ ବୁଝିବାକୁ ହେବ ଯେ ଟେଷ୍ଟ୍ କ୍ରିକେଟ ହିଁ ଅସଲ କ୍ରିକେଟ୍। ପାଞ୍ଚ ଦିନିକିଆ କ୍ରିକେଟ୍‌ର ପ୍ରଦର୍ଶନ ବଳରେ ହିଁ ଜଣଙ୍କ ଦକ୍ଷତାର ଆକଳନ ହେବ। କରୋନା ଆତଙ୍କ ପାଇଁ ପୂଜାରା ସଂପ୍ରତି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହି ନିଜ ପରିବାର ସହ ସମୟ କଟାଉଛନ୍ତି।

ସମ୍ବନ୍ଧିତ ଖବର