ଆଡିଲେଡ୍ ଟେଷ୍ଟ୍‌, ପୂଜାରା ବଞ୍ଚେଇ ଦେଲେ

ଆଡିଲେଡ୍: ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍‌ ଶୃଙ୍ଖଳା ଗୁରୁବାରଠାରୁ ଆରମ୍ଭ ହୋଇଛି। ହେଲେ ଭାରତ ଯେମିତି ଖେଳିବା ଆଶାରେ ଥିଲା ସେମିତି କିଛି ହୋଇନି। ଆଡିଲେଡ୍ ଟେଷ୍ଟ୍‌ର ପ୍ରଥମ ଦିନରେ ହିଁ ଅଷ୍ଟ୍ରେଲୀୟ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ଭାରି ପଡ଼ିଛନ୍ତି। ଅଧିନାୟକ ବିରାଟ କୋହଲି (୩)ଙ୍କ ସହ ପ୍ରାରମ୍ଭିକ ଯୋଡ଼ି ଲୋକେଶ ରାହୁଲ (୨), ମୁରଲୀ ବିଜୟ (୧୧) ଏବଂ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୩) ବିଫଳ ହେବା ପରେ ଚେତେଶ୍ବର ପୂଜରା (୧୨୩ ରନ୍, ୨୪୬ ବଲ୍, ୭ ଚୌକା, ୨ ଛକା)ଙ୍କ ଲଢ଼ୁଆ ଶତକ ବଳରେ ଭାରତ ସମ୍ମାନ ରଖିଛି। ଶୀର୍ଷକ୍ରମ କଙ୍ଗାରୁ ବୋଲରଙ୍କ ବୋଲିଂ କୌଶଳ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ପୂଜାରା ଛୋଟ ବଡ଼ ୮ ଭାଗୀଦାରି କରି ଭାରତ ସ୍କୋରକୁ ଦୁଇ ଶହ ରନ୍ ପାର କରାଇଥି‌ଲେ। ଅପୂର୍ବ ଧୈର୍ଯ୍ୟ ଏବଂ ସାହସର ପରିଚୟ ଦେଖାଇ ସେ ହିଁ ଭାରତର ତ୍ରାଣକର୍ତା ସାଜିଥିଲେ। ରୋହିତ ଶର୍ମା‌ (୩୭), ଋଷବ ପନ୍ତ (୨୫) ଓ ରବିଚନ୍ଦ୍ରନ୍‌ ଅଶ୍ବିନ (୨୫)ଙ୍କୁ ସାଥୀ କରି ଧିରେ ଧିରେ ପାଳିକୁ ଆଗେଇ ଥିଲେ। ୱିକେଟ୍ ସରିଯିବା ଆଶଙ୍କା ଦେଖାଦେବା ପରେ ଶେଷ ଆଡ଼କୁ ଦ୍ରୁତ ବ୍ୟାଟିଂ କରି ସେ ମଧ୍ୟ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚକିତ କରି ଦେଇଥିଲେ। ପ୍ୟାଟ୍ କମିନ୍ସଙ୍କ ଏକ ଚମତ୍କାର ସିଧା ଥ୍ରୋ ବଳରେ ରନ୍ ଆଉଟ୍ ହେବା ପୂର୍ବରୁ ପୂଜାରା ନିଜ ଷୋଡ଼ଶ ଶତକ ପୂରଣ କରି ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଥିଲେ। ଗାଙ୍ଗୁଲି ୧୩୩ ଟେଷ୍ଟ୍‌ରୁ ୧୬ ଶତକ ହାସଲ କରିଥିଲା ବେଳେ ପୂଜାରା ମାତ୍ର ୬୫ ଟେଷ୍ଟ୍‌ରେ ଏହାକୁ ଛୁଇଁ ନେଇଥିଲେ। ତାଙ୍କ ପାଇଁ ହିଁ ଭାରତ ଆଜି ପ୍ରଥମ ଦିନର ୮୭.୫ ଓଭର ଖେଳରେ ୯ ୱିକେଟ୍ ହରାଇ ୨୫୦ ରନ୍‌ରେ ଦିନ ଶେଷ କରିଥିଲା। ଖେଳ ବନ୍ଦ ବେଳକୁ ମହମ୍ମଦ ସାମି ୬ ଏବଂ କ୍ରିଜକୁ ଆସି ନଥିବା ଯଶ୍‌ପ୍ରୀତ ବୁମରା ଅପରାଜିତ ରହିଛନ୍ତି।

ଶୃଙ୍ଖଳା ଆରମ୍ଭ ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବୋଲରଙ୍କୁ କିଭଳି ଆକ୍ରମଣ କରିବେ ତାହା ମୁଖ୍ୟ ଚର୍ଚାର ବିଷୟ ଥିଲା। ଗୁରୁବାର ଖେଳର ପ୍ରଥମ ଅଧିବେସନରେ ମାତ୍ରାଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଭାରତ ପାଇଁ କାଳ ହୋଇଥିଲା। ସେପଟେ ଭାରତୀୟ ଶୀର୍ଷକ୍ରମର କେତେକ ଦାୟିତ୍ବହୀନ ସଟ୍‌ରୁ ଅଷ୍ଟ୍ରେଲିଆ ପୂରା ଫାଇଦା ନେଇଥିଲା। ମୃଦୁ ପାନୀୟ ବିରତି ବେଳକୁ କୋହଲିଙ୍କ ସମେତ ଚାରି ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲା। ଏହା ପରେ ପୂଜାରା ଭାରତୀୟ ପାଳିକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ବଲ୍‌ ନମନୀୟ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଫଳ ତାଙ୍କୁ ମିଳିଥିଲା। ଆଡିଲେଡ୍ ତାପମାତ୍ରା ୪୦ ଡିଗ୍ରି ଛୁଇଁବା ସତ୍ତ୍ବେ ପୂଜାରା ପ୍ରଥମେ ୧୫୩ ବଲରୁ ନିଜ ଅର୍ଧଶତକ ପୂରଣ କରିଥିଲେ। ଏହା ପରେ ୨୩୧ ବଲରୁ ତିନି ଅଙ୍କ ଛୁଇଁଥିଲେ। ଏହି ସ୍ମରଣୀୟ ପାଳି ଭିତରେ ସେ ମଧ୍ୟ ଟେଷ୍ଟ କ୍ରିକେଟରେ ୫,୦୦୦ ରନ୍ ପୂରଣ କରିଥିଲେ। ଅଷ୍ଟ୍ରେଲିଆରେ ବ୍ୟକ୍ତିଗତ ଭାବେ ସେ ମଧ୍ୟ ନିଜର ଦୀଘର୍ତମ ପାଳି ଖେଳିଥିଲେ।

ମୋ ‌ଶ୍ରେଷ୍ଠ ୫ ପାଳି ମଧ୍ୟରୁ ଅନ୍ୟତମ: ପୂଜାରା
ଆଡିଲେଡ୍ ଟେଷ୍ଟ୍‌ରେ ଭାରତର ସମ୍ମାନ ରଖିଥିବା ଚେତେଶ୍ବର ପୂଜାରା ଗୁରୁବାରର ଶତକକୁ ନିଜ ପାଞ୍ଚଟି ଶ୍ରେଷ୍ଠ ପାଳି ମଧ୍ୟରେ ରଖିଛନ୍ତି। ଭାରତକୁ ଆହୁରି ଭଲ ବ୍ୟାଟିଂ କରିବାର ଥିଲା ବୋଲି ସ୍ବୀକାର କରିବା ସହ ପୂଜାରା ଖେଳ ‌ଶେଷ ପରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ସତ କହିବାକୁ ଗଲେ, ଆମକୁ ଆହୁରି ଭଲ ବ୍ୟାଟିଂ କରିବାର ଥିଲା। ହେଲେ ପ୍ରଥମ ଦୁଇ ଅଧିବେସନରେ ସେମାନେ ବହୁତ ଭଲ ବୋଲିଂ କଲେ। ମୁଁ ଖେଳକୁ ନମ୍ବର ଦେଇ ପାରିବି ନାହିଁ, ହେ‌ଲେ ଆଜିର ପାଳି ମୁଁ ଖେଳିଥିବା ଶ୍ରେଷ୍ଠ ପାଞ୍ଚ୍ ମଧ୍ୟରୁ ଅନ୍ୟତମ ବୋଲି ଭାବୁଛି। ପଡ଼ିଆ ଭିତରେ ତାତି ବଢ଼ି ଚାଲିଥିଲା। ହେଲେ ମୁଁ ସେଟ୍ ହୋଇ ସାରିଥିଲି। ମୋ ସ୍ବାଭାବିକ ଖେଳ ଖେଳି ପାରିବି ବୋଲି ଆତ୍ମବିଶ୍ବାସ ଥିଲା। ଅଶ୍ବିନଙ୍କୁ ହରାଇବା ପରେ ରନ୍ ଗତି ବଢ଼ାଇବାକୁ ନିଷ୍ପତ୍ତି ‌ନେଇଥିଲି। ଆଡିଲେଡ୍ ୱିକେଟ୍‌ରେ କିଭଳି ସଟ୍ ଖେଳି ହେବ ତାହା ମୁଁ ଭଲ ଭାବରେ ଜାଣିଥିଲି। ସେହିଭଳି ଅଷ୍ଟ୍ରେଲୀୟ ଖେଳାଳିମାନେ ସ୍ଲେଜିଂ କଲେ ଏହା ତାଙ୍କୁ ଆହୁରି ଭଲ ଖେଳିବାକୁ ଅନୁପ୍ରେରିତ କରିବେ ବୋଲି ପୂଜାରା ମତ ରଖିଥିଲେ।

୫,୦୦୦ କ୍ଲବ୍‌ରେ ପୂଜାରା
ପୂଜାରା ଗୁରୁବାର ୬୫ ଟେଷ୍ଟ ତଥା ୧୦୮ ପାଳିରେ ୫,୦୦୦ ଟେଷ୍ଟ ରନ୍ ପୂରଣ କରିଥିଲେ। ଭାରତ ପାଇଁ ଏହା ପଞ୍ଚମ ଦ୍ରୁତତମ ୫,୦୦୦ ରନ୍ । ଏହି କ୍ଷେତ୍ରରେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର (୯୫) ପ୍ରଥମ, ବୀରେନ୍ଦ୍ର ସେହବାଗ (୯୯) ଦ୍ବିତୀୟ ଏବଂ ସଚିନ ତେନ୍ଦୁଲକର (୧୦୩), ବିରାଟ କୋହଲି (୧୦୫) ତୃତୀୟ ଏବଂ ଚତୁର୍ଥରେ ଅଛନ୍ତି।

ସମ୍ବନ୍ଧିତ ଖବର