ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ ଗସ୍ତ କରୁଥିବା ଭାରତୀୟ ଟେଷ୍ଟ୍ ଦଳକୁ ଶୀର୍ଷକ୍ରମ ବ୍ୟାଟର୍‌ ଚେତେଶ୍ବର ପୂଜାରାଙ୍କୁ ବାଦ୍‌ ଦିଆଯିବା ପ୍ରସଙ୍ଗକୁ ପୂର୍ବତନ କ୍ରିକେଟର ତଥା ପ୍ରଶିକ୍ଷକ ଲାଲଚାନ୍ଦ ରାଜପୁତ ସମର୍ଥନ କରିଛନ୍ତି। ଯୁବ କ୍ରିକେଟର୍‌ଙ୍କୁ ଆଗାମୀ ୨୦୨୩-୨୫ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଚକ୍ର ପାଇଁ ସୁଯୋଗ ଦେବା ଲକ୍ଷ୍ୟରେ ଚୟନ ସମିତି ଦ୍ବାରା ଏହା ଏକ ସକରାତ୍ମକ ପଦକ୍ଷେପ ବୋଲି ସେ କହିଛନ୍ତି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପୂଜାରାଙ୍କ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ବାଦ୍‌ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ ଘରୋଇ କ୍ରିକେଟ୍‌ରେ ସ୍ଥିର ପ୍ରଦର୍ଶନ ଦେଇଆସୁଥିବା ଋତୁରାଜ ଗାଏକ୍ବାଡ, ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ଏହି ଦଳରେ ସ୍ଥାନ ମିଳିଛି।

Advertisment

ରାଜପୁତ କହିଛନ୍ତି ଯେ, ଯୁବ କ୍ରିକେଟର୍‌ଙ୍କୁ ପର୍ଯ୍ୟାୟକ୍ରମେ ଜାତୀୟ ଦଳରେ ସ୍ଥାନ ଦିଆଯିବା ଉଚିତ୍‌। ଗାଏକ୍ବାଡ ଓ ଜୟସ୍ବାଲ୍‌ ଘରୋଇ କ୍ରିକେଟ୍‌ରେ ଅନେକ ରନ୍‌ କରିଛନ୍ତି। ଟେଷ୍ଟ୍‌ ଦଳରେ ସାମିଲ୍‌ ହେବାରୁ ସେମାନଙ୍କର ଆତ୍ମବିଶ୍ବାସ ବଢିବ ଏବଂ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେନ୍ଥ ମଜବୁତ୍‌ ହେବ। ସେମାନଙ୍କ ପରି ଆହୁରି ଅନେକ ଯୁବ ଖେଳାଳି ଧିରେଧିରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ହେଲେ ତିନିବର୍ଷ ଧରି ଭଲ ପ୍ରଦର୍ଶନ ଦେଉଥିଲେ ବି ସର୍ଫରାଜ ଖାନ୍‌ଙ୍କୁ ଅଣଦେଖା କରାଯିବା ପ୍ରଶ୍ନରେ ସେ କହିଛନ୍ତ ଯେ, ଯଦି ଏତେ ପରେ ବି ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳୁନି ତା’ହେଲେ କୌଣସିଠାରେ କିଛି ତ୍ରୁଟି ରହୁଥିବ।

ଯଶପ୍ରୀତ୍‌ ବୁମ୍‌ରା ସୁସ୍ଥ ହୋଇ ଭାରତୀୟ ଦଳକୁ ନଫେରିଲେ ବିଶ୍ବକପ୍‌ରେ ତାଙ୍କର ବଡ଼ ଅଭାବ ଅନୁଭୂତ ହେବ। ଯଦି ସେ ଦଳରେ ସ୍ଥାନ ପାଅନ୍ତି, ତାହେଲେ ବୋଲିଂ କ୍ରମ ଅଧିକ ମଜବୁତ୍‌ ହେବ। ତଥାପି ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ଫାଇଦାରେ ରହିବ। ତାଙ୍କ ଅନୁସାରେ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ସହିତ ପାକିସ୍ତାନ କିମ୍ବା ଦକ୍ଷିଣ ଆଫ୍ରିକା ମଧ୍ୟରୁ କୌଣସି ଗୋଟିଏ ଦଳ ସେମିଫାଇନାଲ୍‌ରେ ପହଞ୍ଚିବେ।