ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ୍ ଦଳରୁ ବାଦ୍ ପଡ଼ିଥିବା ଚେତେଶ୍ବର ପୂଜାରା ରବିବାର ତାଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନର ୧୭ତମ ଦ୍ବିଶତକ ହାସଲ କରିଛନ୍ତି। ରାଜକୋଟରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି ମୁକାବିଲାରେ ପୂଜାରା ୨୪୩ ରନ୍‌ର ପାଳି ଖେଳିଛନ୍ତି। ସୌରାଷ୍ଟ୍ର ମଧ୍ୟାହ୍ନ ଭୋଜନ ବିରତି ବେଳକୁ ୫୭୮/୪ରେ ପାଳି ଘୋଷଣା କରିଥିବା ବେଳେ ପୂଜାରା ଆଗକୁ ବଢ଼ିପାରି ନଥିଲେ। ରଣଜୀ ଟ୍ରଫିରେ କିନ୍ତୁ ଏହା ତାଙ୍କ ଅଷ୍ଟମ ଦ୍ବିଶତକ। ସେ କେବଳ ପରାସ ଡୋଗ୍ରା (୯)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବିଶ୍ବ କ୍ରିକେଟ୍‌ରେ ହର୍ବଟ ସଟ୍‌କ୍ଲିଫ୍‌ ଓ ମାର୍କ ରାମପ୍ରକାଶଙ୍କ ସହ ୧୭ତମ ଶତକ ସହ ପ୍ରଥମ ଶ୍ରେଣୀ ଦ୍ବିଶତକ ତାଲିକାରେ ସମକକ୍ଷ ହୋଇଛନ୍ତି। କିନ୍ତୁ ଅଗ୍ରଣୀ ତାଲିକାରେ ପୂଜାରା ବହୁ ପଛରେ ରହିଛନ୍ତି। ସାର୍ ଡନ୍ ବ୍ରାଡମ୍ୟାନ୍‌ (୩୭), ୱାଲି ହାମଣ୍ଡ୍‌ (୩୬), ପାଟସି ହେଣ୍ଡ୍ରନ୍‌ (୨୨)ଙ୍କ ପଛକୁ ଏହି ୩ ଜଣ ମିଳିତ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି। ପୂଜାରାଙ୍କ ଏହି ପ୍ରଦର୍ଶନ ତାଙ୍କୁ ପୁଣି ଟେଷ୍ଟ୍ ଦଳକୁ ପ୍ରତ୍ୟାବର୍ତ୍ତନ ଲାଗି ସୁଯୋଗ ଦେବ ବୋଲି ଆଶା କରାଯାଉଛି।

Advertisment

ଜାନୁଆରି ୨୫ ତାରିଖରୁ ଭାରତ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ୫ ମାଚ୍‌ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଖେଳିବାକୁ ଯାଉଛି। ପୂଜାରା ଶେଷ ଥର ପାଇଁ ୨୦୨୩ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ଡବଲ୍ୟୁଟିସି ଫାଇନାଲ୍ ଖେଳିଥିଲେ। ସେହି ଫାଇନାଲ୍‌ରେ ପୂଜାରା ଉଭୟ ପାଳିରେ ୪୧ ରନ୍ (୧୪ ଓ ୨୭) ସଂଗ୍ରହ କରିଥିବାବେଳେ ଭାରତ ୨୦୯ ରନ୍‌ରେ ହାରି କ୍ରମାଗତ ସଂସ୍କରଣରେ ଉପବିଜେତା ହୋଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ଲେଖାଏଁ ଟେଷ୍ଟ୍ ଖେଳିଥିବା ବେଳେ ଶୁବମନ ଗିଲ୍‌ ୩ ନମ୍ବରକୁ ଖସିଥିଲେ ଏବଂ ରୋହିତଙ୍କ ସହ ଯଶସ୍ବୀ ଜୟସ୍ବାଲ ପାଳି ଆରମ୍ଭ କରିଥିଲେ।