ପୁଲ୍ ଅଫ୍ ଡେଥ୍‌ରେ ନେଦରଲାଣ୍ଡ-ଜର୍ମାନି

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍ ରାତି ପାହିଲେ ଉଦ୍‌ଘାଟିତ ହେବ। ଭୁବନେଶ୍ବରରେ ଡେରା ପକାଇଥିବା ବିଶ୍ବର ଶ୍ରେଷ୍ଠ ୧୬ ଦେଶକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି। କେବଳ ପୁଲ୍ ବିଜେତା ସିଧାସଳଖ ‌କ୍ବାର୍ଟରଫାଇନାଲ୍‌ ଖେଳିବା ବ୍ୟବସ୍ଥା ଥିବାବେଳେ ଚତୁର୍ଥ ତଥା ଶେଷ ସ୍ଥାନ ପାଇବା ଦେଶ ଏହି ପର୍ଯ୍ୟାୟରୁ ସ୍ବଦେଶ ଫେରିବ। ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଦଖଲକାରୀ ଦଳଗୁଡ଼ିକୁ ନେଇ ଅତିରିକ୍ତ କ୍ରସ ଓଭର ତଥା ପ୍ଲେ ଅଫ୍‌ ଖେଳାଯିବ। ଯେଉଁଥିରୁ ଅବଶିଷ୍ଟ ୪ କ୍ବାର୍ଟର ଫାଇନାଲିଷ୍ଟ ବାହାରିବେ। ଫଳରେ ଅଧିକାଂଶ ଦଳ ପାଇଁ ଶେଷ ପର୍ଯ୍ୟନ୍ତ ଦ୍ବାର ଉନ୍ମୁକ୍ତ ରହିବ। ପ୍ରତି ମ୍ୟାଚ୍ ରୋମାଞ୍ଚକ ହେବାର ପ୍ରତିଶ୍ରୁତି ‌ରଖିଛି। ପୁଲ ‘ଡି’ ସମ୍ଭାବନା ଓ ସାମର୍ଥ୍ୟ ସମ୍ପର୍କରେ ‘ସମ୍ବାଦ’ର ବିହଙ୍ଗାବଲୋକନ।
ପୁଲ୍ ‘ଡି’ ସବୁଠାରୁ କଷ୍ଟକର ଏବଂ ଅପ୍ରତ୍ୟାଶିତ ଫଳାଫଳ ଦେବାର ଆଶା ରହିଛି। ନେଦରଲାଣ୍ଡ ଏବଂ ଜର୍ମାନି ଶୀର୍ଷ ସ୍ଥାନ ଦଖଲ କରିବାର ଦାବିଦାର ଦେଶ। ଏହି ପୁଲର ସର୍ବୋଚ୍ଚ ମାନ୍ୟତା ଦେଶ ହେଉଛି ନେଦରଲାଣ୍ଡ ଯିଏକି ଏଫଆଇଏଚ୍ ତାଲିକାରେ ୪ରେ ରହିଛି। ଜର୍ମାନି ମାନ୍ୟତା ୬। ନେଦରଲାଣ୍ଡ ୟୁରୋପୀୟ ବିଜେତା ରହିଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ମ୍ୟାକ୍ସ କାଲଡାସଙ୍କ ନିଜ ପ୍ରତିଭାଶାଳୀ ଗୋଷ୍ଠୀରୁ ଶ୍ରେଷ୍ଠତ୍ବ ବାହାର କରିବାରେ ଧୂରନ୍ଧର।‌ କେବଳ ପୁଲ୍ ନୁହେଁ ଭୁବନେଶ୍ବରରେ ବିଶ୍ବ ମୁକୁଟ ଜିତିବାକୁ ସେ ଆଶାବାଦୀ। ତାରକା ମଧ୍ୟକ୍ରମ ଖେଳାଳି ବିଲି ବେକର ଏବଂ ଫବର୍ଟ କେମ୍ପରମ୍ୟାନଙ୍କ ସହିତ ଏହି ଦଳରେ ବହୁ ବିଶ୍ବସ୍ତରୀୟ ପ୍ରତିଭା ଭରପୁର। ଗୋଲସ୍କୋରିଂ ଦକ୍ଷତା ରଖୁଥିବା ମିକ୍ରୋ ପ୍ରୁଇଜର, ପୁନଃସକ୍ରିୟ ଜୋ‌ରୋନ ହେର୍ଟବର୍ଜର ଏବଂ ପେନାଲଟି କର୍ନର ବିସାରଦ ମିଙ୍କ୍‌ ମାନ ଡେର ୱର୍ଦନ ଦଳ ପାଇଁ ମ୍ୟାଚ୍‌ରେ ମୋଡ଼ ଆଣିବା ଭଳି ଦକ୍ଷତା ରଖିଛନ୍ତି।
ଜର୍ମାନି ହେଉଛି ଅନ୍ୟତମ ଦଳ ଯିଏ ପ୍ରଚୁର ପ୍ରତିଭା ‌ନେଇ ଆସିଛି। ଫ୍ଲୋରିଆନ୍ ଫୁକ୍ସ ଏବଂ କ୍ରିଷ୍ଟୋଫର ରୁର ହେଉଛନ୍ତି ବିଶ୍ବଶ୍ରେଣୀୟ ଆକ୍ରାମକ ଖେଳାଳି। ଉଦିତ ତାରକା ଟିମ୍ ହର୍ଜବ୍ରକ୍‌ ଆହତ ସମସ୍ୟାରୁ ଫେରିଥିଲେ ମଧ୍ୟ ଅନ୍ୟମାନଙ୍କଠାରୁ ଭିନ୍ନ ପ୍ରତିଭାର ଖେଳାଳି। ଟବିସ୍ ହକ୍‌, ମ୍ୟାଟସ ଗ୍ରାମବଶ୍ଚ, ଅଧିନାୟକ ମାର୍ଟିନ ହାନର ଦଳର ଅଭିଜ୍ଞ ଖେଳାଳି। ନେଦରଲାଣ୍ଡ ଓ ଜର୍ମାନି ପାଇଁ କିନ୍ତୁ ଆହ୍ବାନ ଆଣିଛନ୍ତି ମାଲେସିଆ ଏବଂ ପାକିସ୍ତାନ। ଏଫଆଇଏଚ୍ ମାନ୍ୟତାରେ ମାଲେସିଆ ୧୨ ଏବଂ ପାକିସ୍ତାନ ୧୩ ନମ୍ବର ସ୍ଥାନରେ ଅଛନ୍ତି। ମାନ୍ୟତା ଭଳି ମଧ୍ୟ ଏହି ଦୁଇ ଦଳର ଦକ୍ଷତା ସମାନ ସ୍ଥିତି ରଖିଛି। ଫୈଜଲ ସାରି ମାଲେସିଆର ଆକ୍ରାମକ ଢ଼ଙ୍ଗର ମଧ୍ୟକ୍ରମ ଖେଳାଳି ଥିବାବେଳେ ରୋଲାଣ୍ଟ୍ ଅଲ୍ଟମ୍ୟାନ୍ସଙ୍କ ପ୍ରଶିକ୍ଷକ ମାଲେସିଆକୁ ଶାଣିତ କରିଛନ୍ତି। ନେଦରଲାଣ୍ଡକୁ ଉଭୟ ପୁରୁଷ (୧୯୯୮) ଏବଂ (୧୯୯୦) ବିଶ୍ବକପ୍ ବିଜେତା କରାଇବା ସହିତ ବିରଳ କୃତିତ୍ବ ରଖିଛନ୍ତି ଖେଳାଳିରୁ ପ୍ରଶିକ୍ଷକ ବନିଥିବା ଅଲଟ୍‌ସମ୍ୟାନ। ସର୍ବାଧିକ ୪ ଥର ବିଜେତା ପାକିସ୍ତାନ ଭୁବନେଶ୍ବରରେ ଭଲ ଖେଳିବାର ଅଭିଜ୍ଞତା ରଖିଥିବାରୁ ବିପର୍ଯ୍ୟୟ ସୃଷ୍ଟି କରିବାର କ୍ଷମତା ଓ ସାମର୍ଥ୍ୟ ରଖିଛି। ସବୁଜ ସାର୍ଟ ଦଳର ଅଧିନାୟକ ମହମ୍ମଦ ରିଜୱାନ ସିନିୟର ମଧ୍ୟ ଭୁବନେଶ୍ବର ଆସିବା ପରେ ଏହି ପଡ଼ିଆକୁ ଭାଗ୍ୟଶାଳୀ ବୋଲି କହିସାରିଛନ୍ତି। ୨୦୧୪ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଏଠାରେ ଫାଇନାଲ ଖେଳି ଅଷ୍ଟ୍ରେଲିଆଠାରୁ ହାରିଥିଲା।

ସମ୍ବନ୍ଧିତ ଖବର