ଭାରତୀୟ କ୍ରିକେଟ୍‌ ଦଳର ଉପକରଣ ପ୍ରାୟୋଜକ ଦୌଡ଼ରେ ପ୍ୟୁମା

ନୂଆଦିଲ୍ଲୀ: ଜର୍ମାନୀର ପ୍ରତିଷ୍ଠିତ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କଂପାନି ‘ପ୍ୟୁମା’ ଭାରତୀୟ କ୍ରିକେଟ୍ ଦଳର ପରବର୍ତ୍ତୀ ଉପକରଣ ପ୍ରାୟୋଜକ ବା କିଟ୍ ପ୍ରାୟୋଜକ ହୋଇପାରେ। ‘ନାଇକ’ ଓହରିବା ପରେ ବିସିସିଆଇ ଏଥିଲାଗି ସାନି ଟେଣ୍ଡର ଆହ୍ବାନ କରିଥିଲା ବେଳେ ପ୍ୟୁମା ଏହି ସ୍ଥାନ ନେବା ଲାଗି ଆଗ୍ରହ ପ୍ରକାଶ କରିଛି। ଏପରିକି କଂପାନି ମଧ୍ୟ ଏକ ଲକ୍ଷ ଟଙ୍କା ଦେଇ ବିଡ୍ କାଗଜପତ୍ର କିଣିଛି। ପ୍ୟୁମାର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଆଦିଦାସ ମଧ୍ୟ ଏହି ଦୌଡ଼ରେ ଥିବା ଜଣାପଡ଼ିଛି। ତେବେ ଏହି କଂପାନି ଆନୁଷ୍ଠାନିକ ଭାବେ ଏଥିନେଇ କୌଣସି ସଙ୍କେତ ଦେଇନାହିଁ। ‘ନାଇକ’ ୨୦୧୬ରୁ ୨୦୨୦ ମସିହା ପର୍ଯ୍ୟନ୍ତର ଚାରି ବର୍ଷୀୟା କାର୍ଯ୍ୟକାଳ ଲାଗି ବିସିସିଆଇକୁ ୩୭୦ କୋଟି ଟଙ୍କା ଦେଉଥିଲା। ତା’ ସହ ୩୦ କୋଟି ଟଙ୍କାର ଅତିରିକ୍ତ ରୟାଲିଟି ବି ପ୍ରଦାନ କରୁଥିଲା। ତେବେ କଂପାନି ଏହି ଚୁକ୍ତି ଅବଧିକୁ ଆଉ ବଢ଼ାଇବାକୁ ମନା କରି ଦେଇଥିଲା।

ସେଥିପାଇଁ ବିସିସିଆଇ ପୁଣି ଥରେ ଟେଣ୍ଡର ଆହ୍ବାନ କରିଥିଲା। ସଂପ୍ରତି କରୋନା ସଙ୍କଟ ପାଇଁ ବଜାର ସ୍ଥିତି ଭଲ ନଥିବାରୁ ଚୁକ୍ତିର ମୂଲ୍ୟ ପୂର୍ବାପେକ୍ଷା ଯଥେଷ୍ଟ କମିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଏପରିକି ଏବେ ଏହା ୨୦୦ କୋଟି ଟଙ୍କାକୁ ଖସି ଯାଇପାରେ ବୋଲି ସେମାନେ ଆଶଙ୍କା ଜାହିର କରିଛନ୍ତି। କିଟ୍ ପ୍ରାୟୋଜକ ଲାଗି ବିସିସିଆଇ ପୂର୍ବରୁ ମ୍ୟାଚ୍ ପିଛା ମୂଳଦର ୮୮ ଲକ୍ଷ ଟଙ୍କା ରଖିଥିଲା ବେଳେ ଏବେ ଏହାକୁ ୬୧ ଲକ୍ଷକୁ କମାଇ ଦେଇଛି।

ସମ୍ବନ୍ଧିତ ଖବର