ପୁଣେ: କୌଣସି ଘରୋଇ ଶୃଙ୍ଖଳାରେ ଭାରତୀୟ କ୍ରିକେଟ୍ ଦଳ ତିନି ବର୍ଷ ତଳେ ଅର୍ଥାତ୍ ୨୦୨୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଛୁଆ ରହିଥିଲା। ଏହା ପୂର୍ବରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଏଭଳି ସ୍ଥିତିରେ ଥିଲା। ଉଭୟ ଥର କିନ୍ତୁ ସଫଳ ପ୍ରତ୍ୟାବର୍ତ୍ତନ କରି ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା। ଏଥର ନ୍ୟୁଜିଲାଣ୍ଡ ବିପକ୍ଷରେ ଠିକ୍ ଏମିତି ପରିସ୍ଥିତିରେ ଅଛି ଟିମ୍ ଇଣ୍ଡିଆ। ଫରକ ଏତିକି ଯେ ଏଥରର ପଥ କିନ୍ତୁ ପୂର୍ବାପେକ୍ଷା ବଂଧୁର ରହିଛି। କାରଣ ଉପରୋକ୍ତ ଦୁଇ ଶୃଙ୍ଖଳା ଚାରିଟିକିଆ ହୋଇଥିଲା ବେଳେ ଏଥରର ଶୃଙ୍ଖଳାରେ ରହିଛି କେବଳ ତିନିଟି ଟେଷ୍ଟ୍। ପୁଣି ଏବେକାର ଦଳ ମାତ୍ର ଦୁଇଟି ଟେଷ୍ଟ୍ ବାକି ଥାଇ ପୂର୍ବରୁ କେବେବି ଏମିତି ସ୍ଥିତିରେ ରହିନାହିଁ। ସେଥିପାଇଁ ଗୁରୁବାରଠାରୁ ଆରମ୍ଭ ହେଉଥିବା ପୁଣେ ଟେଷ୍ଟ୍ ଭାରତ ପାଇଁ ଏକପ୍ରକାର କଠିନ ପରୀକ୍ଷା ସଦୃଶ ହୋଇଛି। ସେପଟେ ୩୬ବର୍ଷର ବ୍ୟବଧାନ ପରେ ଭାରତକୁ ଭାରତରେ ହରାଇ ନ୍ୟୁଜିଲାଣ୍ଡ ପୂରା ଆତ୍ମବିଶ୍ବାସରେ ଥିଲା ବେଳେ ପୁଣେରେ ବେଙ୍ଗାଲୁରୁର ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ଏହା ହେଲେ ଅବିଶ୍ବସନୀୟ ଶୃଙ୍ଖଳା ବିଜୟ ହାସଲ କରି ନ୍ୟୁଜିଲାଣ୍ଡ ଟେଷ୍ଟ୍ କ୍ରିକେଟ୍ରେ ଭାରତର ସ୍ବଳ୍ପ ଦିନର ଦାଦାଗିରିକୁ ଏକପ୍ରକାର ଶେଷ କରିବ। ନିଜ ଇତିହାସରେ ନୂଆ ଅଧ୍ୟାୟ ବି ଯୋଡ଼ିବ। ପୁଣେରେ ସ୍ପିନର୍ଙ୍କୁ ସୁହାଉଥିବା ପିଚ୍ ମିଳିବ ବୋଲି ପୂର୍ବାନୁମାନ ଲଗାଇ କିୱି ବାହିନୀ ମଧ୍ୟ ନିଜ ଦଳରେ ଚାରିଜଣ ସ୍ପିନରଙ୍କୁ ସାମିଲ କରିବାର ସଙ୍କେତ ଦେଇଛି। ଭାରତ ବି ପୂରା ପ୍ରସ୍ତୁତ ରହିଛି। ତେବେ ପୁଣେ ପ୍ରତ୍ୟାବର୍ତ୍ତନର ଚାବିକାଠି ଯେ ଦଳର ଅଲରାଉଣ୍ଡ୍ ପ୍ରଦର୍ଶନ ଉପରେ ନିର୍ଭରଶୀଳ ରହିବ, ସେକଥା ଉଭୟ ଅଧିନାୟକ ରୋହିତ ଶର୍ମା ଓ ପ୍ରଶିକ୍ଷକ ଗୌତମ ଗମ୍ଭୀର ସ୍ବୀକାର କରିଛନ୍ତି।
ଗିଲ୍ ଫେରିବେ
ଶୁବମନ୍ ଗିଲ୍ ଏହି ମ୍ୟାଚ୍ରେ ଫେରିବା ନିଶ୍ଚିତ ହେବା ଭାରତ ପାଇଁ ବହୁତ ବଡ଼ ଖୁସି ଖବର ହୋଇଛି। ଦଳର ଆତ୍ମବିଶ୍ବାସ ବି ବଢ଼ିଛି। ସେହିଭଳି ଋଷଭ ପନ୍ତ ପୂରା ଫିଟ୍ ଅଛନ୍ତି ବୋଲି ଗମ୍ଭୀର ସୂଚନା ଦେବା ମଧ୍ୟ ଦଳୀୟ ସନ୍ତୁଳନ ଦୃଷ୍ଟିରୁ ବେଶ୍ ଭଲ ଖବର ହୋଇଛି। ଗିଲ୍ ଫେରିବା ସହ ଅଲରାଉଣ୍ଡର୍ ୱାସିଂଟନ୍ ସୁନ୍ଦର ଦଳରେ ସାମିଲ ହେବା ପରେ ରୋହିତଙ୍କ ପାଇଁ ବିକଳ୍ପ ସଂଖ୍ୟା ବଢ଼ିଛି। ଗିଲ୍ ଫେରିଲେ ସେ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଫଳରେ କୋହଲି ଚତୁର୍ଥ ସ୍ଥାନରେ ଖେଳିବାକୁ ଆସିବେ। ନ୍ୟୁଜିଲାଣ୍ଡର ବାମହାତୀ ବ୍ୟାଟର୍ଙ୍କୁ ଦେଖି ସୁନ୍ଦରଙ୍କୁ ସାମିଲ କରାଯାଇଥିଲେ ବି ସେ ପୁଣେରେ ସୁଯୋଗ ପାଇବାର ସମ୍ଭାବନା ଆପାତତଃ ନାହିଁ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ମଧ୍ୟରେ ଗ୍ଲେନ୍ ଫିଲିପ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ୨୦୨୩ ଡିସେମ୍ବରରେ ନ୍ୟୁଜିଲାଣ୍ଡ ଦଳକୁ ଫେରିବା ପରେ ଫିଲିପ୍ସ ୯ ଟେଷ୍ଟ୍ ଖେଳି ୨୩ ୱିକେଟ୍ କରାୟତ୍ତ କରିଥିଲା ବେଳେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ତାଙ୍କ ପ୍ରଦର୍ଶନ ମ୍ୟାଚ୍ର ଫଳାଫଳ ଉପରେ ନିଶ୍ଚିତ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।
ସର୍ଫରାଜ ନା ରାହୁଲ
ବେଙ୍ଗାଲୁରୁ ଟେଷ୍ଟ୍ରେ ସର୍ଫରାଜ ୧୫୦ ରନ୍ର ଲଢ଼ୁଆ ପାଳି ଖେଳି ସମସ୍ତଙ୍କ ହୃଦୟ ଜିତିଥିଲେ। ପୁଣେରେ କିନ୍ତୁ ଭାରତୀୟ ଚୂଡ଼ାନ୍ତ ଦଳରେ ତାଙ୍କ ସ୍ଥାନ ସନ୍ଦେହ ଘେରରେ ରହିଛି। କାରଣ ଶୁବମନ୍ ଗିଲ୍ ଫେରିବା ପରେ ଭାରତୀୟ ମଧ୍ୟକ୍ରମରେ ସ୍ଥାନ ପାଇବା ଲାଗି ତାଙ୍କୁ କେଏଲ୍ ରାହୁଲଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡ଼ିବ। ବେଙ୍ଗାଲୁରୁରେ ପୂରା ବିଫଳ ହୋଇଥିଲେ ମଧ୍ୟ ଗତବର୍ଷ ମଧ୍ୟକ୍ରମରେ ଖେଳିବା ଆରମ୍ଭ କରିବା ପରଠାରୁ ରାହୁଲ ୬ ଟେଷ୍ଟ୍ ଖେଳି ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ଗତ ସୋମବାର ବାପା ହୋଇଥିବା ସର୍ଫରାଜ ଚାରିଟି ଟେଷ୍ଟ୍ ଖେଳି ୫୮.୩୩ ହାରରେ ଗୋଟିଏ ଶତକ ଓ ତିନିଟି ଅର୍ଦ୍ଧଶତକ ବଳରେ ୩୫୦ ରନ୍ କରିଛନ୍ତି। ସେହିଭଳି ବେଙ୍ଗାଲୁରୁ ଟେଷ୍ଟ୍ରେ ସେତେଟା ଭଲ ବୋଲିଂ କରି ନଥିବା ମହମ୍ମଦ ସିରାଜଙ୍କ ସ୍ଥାନରେ ଆକାଶଦୀପଙ୍କୁ ଖେଳାଇବା ମଧ୍ୟ ଭାରତ ପାଇଁ ଆଉ ଏକ ବିକଳ୍ପ ହୋଇପାରେ। ୱାସିଂଟନ୍ ସୁନ୍ଦର ଶେଷ ଦୁଇ ଟେଷ୍ଟ୍ ଲାଗି ଦଳରେ ସାମିଲ ହୋଇଥିଲେ ମଧ୍ୟ ଆର ଅଶ୍ବିନ, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡ଼େଜା ନିଜ ନିଜ ସ୍ଥାନ ବଜାୟ ରଖିପାରନ୍ତି। ନ୍ୟୁଜିଲାଣ୍ଡ ପାଇଁ ମଧ୍ୟ ଅଭିଜ୍ଞ ଟିମ୍ ସାଉଦି ଓ ୱିଲ୍ ଓ’ ରୁର୍କିଙ୍କ ମଧ୍ୟରୁ ଜଣକୁ ନେବାର ସୁଖଦ ସମସ୍ୟା ରହିଛି। ନ୍ୟୁଜିଲାଣ୍ଡ ପାଖରେ ଇଶ୍ ସୋଢ଼ୀ, ମିଚେଲ ସାଣ୍ଟନର୍, ଏଜାଜ ପଟେଲଙ୍କ ଭଳି ବିଶେଷଜ୍ଞ ସ୍ପିନରଙ୍କ ସହ ରାଚିନ ରବୀନ୍ଦ୍ର ଓ ଗ୍ଲେନ୍ ଫିଲିପ୍ସଙ୍କ ଭଳି କାମଚଳା ସ୍ପିନର୍ ରହିବା ଭାରତକୁ ଅଡ଼ୁଆ ହୋଇପାରେ।
ରୋହିତ ବାହିନୀର ଲକ୍ଷ୍ୟ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡର ଆଶା ବିରଳ ଶୃଙ୍ଖଳା ବିଜୟ
ବେଙ୍ଗାଲୁରୁଠୁ ଅଲଗା ପିଚ୍
ପୁଣେ ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି ଏଠାକାର କ୍ୟୁରେଟର୍ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଏହାର ସ୍ବଭାବ ମଧ୍ୟ ଭିନ୍ନ ରହିବ ବୋଲି ସେ କହିଛନ୍ତି। କାରଣ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ପିଚ୍ ଲାଲ୍ ମାଟିରେ ପ୍ରସ୍ତୁତ ହୋଇଥିଲା ବେଳେ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ସଂଘ ଷ୍ଟାଡିୟମ୍ ପିଚ୍ କଳା ମାଟିରେ ପ୍ରସ୍ତୁତ ହୋଇଛି। ସେଥିପାଇଁ ଏଠାକାର ପିଚ୍ରେ ବେଙ୍ଗାଲୁରୁଠାରୁ କମ୍ ବାଉନ୍ସ ରହିବ ବୋଲି ଆକଳନ କରାଯାଉଛି। ସେହିଭଳି ପିଚ୍ରେ ଘାସ ନଥିବାରୁ ଏହା ଦ୍ରୁତ ବୋଲରଙ୍କ ଅପେକ୍ଷା ସ୍ପିନ୍ ବୋଲିଂକୁ ଅଧିକ ଫାଇଦା ଦେବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ ଲଗାଇଛନ୍ତି। ସବୁଠୁ ବଡ଼ କଥା ହେଲା ଆଗାମୀ ୫ ଦିନ ପର୍ଯ୍ୟନ୍ତ ପୁଣେ ପାଗ ପୂରା ଶୁଖିଲା ରହିବ। ଏଣୁ ଉଭୟ ଦଳ ପାଇଁ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ।
ସମ୍ଭାବ୍ୟ ଭାରତ: ଯଶସ୍ବୀ ଜୟସ୍ବାଲ, ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ, କେଏଲ୍ ରାହୁଲ/ସର୍ଫରାଜ ଖାନ୍, ରବୀନ୍ଦ୍ର ଜାଡ଼େଜା, ଆର୍ ଅଶ୍ବିନ, କୁଲଦୀପ ଯାଦବ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ/ଆକାଶ ଦୀପ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: ଟମ୍ ଲାଥାମ (ଅଧିନାୟକ), ଡେଭନ୍ କନୱେ, ୱିଲ୍ ୟଙ୍ଗ, ରାଚିନ ରବୀନ୍ଦ୍ର, ଡାରେଲ ମିଚେଲ, ଟମ୍ ବ୍ଲଣ୍ଡେଲ୍, ଗ୍ଲେନ୍ ଫିଲିପ୍ସ, ମିଚେଲ ସାଣ୍ଟନର୍, ଟିମ୍ ସାଉଦି/ୱିଲ ଓ’ରୁର୍କି, ମ୍ୟାଟ୍ ହେନ୍ରି, ଏଜାଜ ପଟେଲ।
ସଂଖ୍ୟା ଖେଳ: କେଏଲ୍ ରାହୁଲ ଟେଷ୍ଟ୍ କ୍ରିକେଟ୍ରେ ୩୦୦୦ ରନ୍ ପୂରଣ କରିବାଠାରୁ ମାତ୍ର ୧୯ ରନ୍ ଦୂରରେ ରହିଛନ୍ତି। ସୁଯୋଗ ମିଳିଲେ ସେ ଏହି ମାଇଲଖୁଣ୍ଟ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୧୩ରୁ ୨୦୨୨ ମସିହା ମଧ୍ୟରେ ଭାରତୀୟ କ୍ରିକେଟ୍ ଦଳ ଘରୋଇ ପରିବେଶରେ ମାତ୍ର ଦୁଇଟି ଟେଷ୍ଟ୍ ହାରିଥିଲା। ୨୦୨୨ରୁ୨୪ ଭିତରେ କିନ୍ତୁ ତିନିଟି ଟେଷ୍ଟ୍ ହାରି ସାରିଲାଣି। ୨୦୨୩ ପୂର୍ବରୁ ନ୍ୟୁଜିଲାଣ୍ଡ ବୋଲର ମ୍ୟାଟ୍ ହେନରି ୪୦.୨୪ ହାରରେ ୧୭ ଟେଷ୍ଟ୍ ଖେଳି ୫୩ ୱିକେଟ୍ ଅକ୍ତିଆର କରିଥିଲେ। ୨୦୨୩ ପରେ ମାତ୍ର ୨୧.୨୬ ହାରରେ ୫୦ ୱିକେଟ୍ ନେଇ ସାରିଲେଣି। ଏଣୁ ତାଙ୍କ ପ୍ରଦର୍ଶନ ପୁଣେ ଟେଷ୍ଟ୍ରେ ନ୍ୟୁଜିଲାଣ୍ଡ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ ରହିବ।