କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ବିଶ୍ବର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ: ତାରକା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆ ଶନିବାର ନିଜ ଖେଳ ଜୀବନର ଶିଖରରେ ପହଞ୍ଚି ଯାଇଛନ୍ତି। ୬୫ କେଜି ବର୍ଗରେ ପୂନିଆ ଏବେ ବିଶ୍ବର ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ତଥା ଏକ ନମ୍ବର କୁସ୍ତିଯୋଦ୍ଧା ହୋଇଛନ୍ତି। ଏହି ୨୪ ବର୍ଷ ବୟସ୍କ ଯୋଦ୍ଧା ଚଳିତ ଋତୁରେ ୫ ପଦକ ହାସଲ କରିଛନ୍ତି। ଯେଉଁଥିରେ ସାମିଲ ରହିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ସାଙ୍ଗକୁ ବିଶ୍ବ ପ୍ରତିଯୋଗିତାର ରୌପ୍ୟ। ଫଳରେ ୯୬ ପଏଣ୍ଟ୍‌ ସହ ପୂନିଆ ବିଶ୍ବର ଶୀର୍ଷ ମାନ୍ୟତା ହାତେଇ ‌ନେଇଛନ୍ତି। ତାଙ୍କ ପଛକୁ ବିଶ୍ବ ମାନ୍ୟତାର ଦ୍ବିତୀୟ ସ୍ଥାନ ପାଇଥିବା କ୍ୟୁବାର ଆଲେଜାନ୍ଦ୍ର ଏନ୍ରିକ୍‌ ଭ୍ଲାଦେସ୍‌ ତାବିଏର୍‌ ୬୬ ପଏଣ୍ଟ୍‌ ପାଇଛନ୍ତି। ବୁଦାପେଷ୍ଟ ବିଶ୍ବ ପ୍ରତିଯୋଗିତାରେ ତବିଏର୍‌ଙ୍କୁ ପୂନିଆ ପରାସ୍ତ କରି ଦେଇଥିଲେ। ରୁଷିଆର ଅଖ୍‌ମଦ ଚକାଭ୍‌ (୬୨), ନୂଆ ବିଶ୍ବ ବିଜେତା ଟାକୁଟୋ ଓଟୋଗୁରୋ (୫୬) ଏବଂ ତୁର୍କିର ସେଲାହାଟିନ୍‌ କିଲିକ୍‌ସାଲ୍ୟାନ୍‌ (୫୦) ଯଥାକ୍ରମେ ତୃତୀୟରୁ ପଞ୍ଚମ ମାନ୍ୟତା ପାଇଛନ୍ତି। ଆଉ ସବୁଠୁ ଉଲ୍ଲେଖନୀୟ ହେଲା ପୂନିଆ ଏକମାତ୍ର ଭାରତୀୟ ପୁରୁଷ ଭାବେ ବିଶ୍ବ ମାନ୍ୟତାର ଶୀର୍ଷ-୧୦ ମଧ୍ୟରେ ରହିଛନ୍ତି। ତେବେ ୫ ଜଣ ଭାରତୀୟ ମହିଳା ନିଜ ନିଜ ଓଜନ ବର୍ଗରେ ବିଶ୍ବ ମାନ୍ୟତାର ଶୀର୍ଷ-୧୦ ମଧ୍ୟରେ ସ୍ଥାନ ଅକ୍ତିଆର କରିଛନ୍ତି। ସେମାନଙ୍କ ମଧ୍ୟରୁ ପୂଜା ଧଣ୍ଡା ୫୭ କେଜିରେ ଷଷ୍ଠ, ରିତୁ ଫୋଗଟ ୫୦ କେଜିରେ, ସରିତା ମୋର୍‌ ୫୯ କେଜିରେ ସପ୍ତମ, ନଭ୍‌ଜୋତ୍‌ କୌର ୬୮ କେଜିରେ ନବମ ଏବଂ କିରଣ ୭୬ କେଜିରେ ନବମ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର