ଆଇପିଏଲ : ଚେନ୍ନାଇକୁ ୧୧ରନରେ ହରାଇଲା ପଂଜାବ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ୍ ୨୦୨୨ର ୩୮ତମ ମ୍ୟାଚରେ ଚେନ୍ନାଇକୁ ୧୧ ରନରେ ହରାଇଦେଇଛି ପଂଜାବ । ୧୮୮ ରନର ପିଛା କରିବାକୁ ଯାଇ ଚେନ୍ନାଇ ଆରମ୍ଭରୁ ଅଳ୍ପ ରନ ବ୍ୟବଧାନରେ ୩ଟି ଓ୍ବିକେଟ ହରାଇ ସଂକଟରେ ପଡିଥିଲା । ତେବେ ଓପନର ଋତୁରାଜ ଗାଇକ୍ବାଡ ଓ ଅମ୍ବାତି ରାୟଡୁ ଲଢୁଆ ବ୍ୟାଟିଂ କରି ଦଳପାଇଁ ବିଜୟ ଆଶା ସଂଚାର କରିଥିଲେ । ମାତ୍ର ରାୟଡୁ ଆଉଟ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଶେଷ ବେଳକୁ ରବୀନ୍ଦ୍ର ଜାଦେଜା (୨୧ରନ) ଓ ମହେନ୍ଦ୍ର ସିଂ ଧୋନୀ(୧୨ରନ) ଉଦ୍ୟମ କରିଥିଲେ ବି ଦଳ ୧୧ ରନ ପଛରେ ରହିଯାଇଥିଲା ।

ଏହି ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ୍ ହରାଇ ୧୮୭ ରନ କରିଥିଲା । ଦଳ ପକ୍ଷରୁ ଶିଖର ଧଓ୍ବନ ସର୍ବାଧିକ ୮୮ ରନ କରିଥିଲେ । ସେ ଭାନୁକା ରାଜପକ୍ଷେଙ୍କ ସହ ମିଶି ଶତକୀୟ ଭାଗିଦାରୀ କରିବା ସହ ଦଳ ପାଇଁ ବଡ଼ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ରାଜପକ୍ଷେ ୪୨ ରନ କରିଥିଲେ । ରାଜପକ୍ଷେଙ୍କ ଆଉଟ ପରେ ଆସିଥିବା ଲିଆମ ଲିଭିଙ୍ଗଷ୍ଟୋନ ମାତ୍ର ୭ଟି ବଲରୁ ୧୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଡ୍ବାୟେନ ବ୍ରାଭୋ ୨ଟି ଓ ମହିସ ତିକ୍ଷଣା ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର