ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୩୧ତମ ମ୍ୟାଚରେ ପଞ୍ଜାବ ୧୩ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ମୁମ୍ବାଇ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଓ ୱିକେଟ ରକ୍ଷକ ଇଶାନ କିଶାନ ଓପନିଂ କରିଥିଲେ। ପ୍ରାରମ୍ଭରେ ଇଶାନ ୧ ରନ କରି ଅର୍ସଦୀପ ସିଂଙ୍କ ବଲରେ ମାଥ୍ୟୁ ସର୍ଟଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ପ୍ରଥମରୁ ମୁମ୍ବାଇକୁ ଝଟକା ଲାଗିଥିବାବେଳେ କାମେରୁନ ଗ୍ରୀନ ରୋହିତଙ୍କୁ ଠିକ ସହଯୋଗ କରିଥିଲେ। ଉଭୟେ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ରୋହିତ ୪୪ ରନ କରିଥିବାବେଳେ ଲିଭିଂ ଷ୍ଟୋନଙ୍କ ବଲ ଖେଳି ନପାରି ତାଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। ପରେ ସୂର୍ଯ୍ୟକୁମାର ଯାଦବ ଆସି ୫୭ ରନ କରି ଅର୍ସଦୀପ ସିଂଙ୍କ ବଲରେ ଅଥର୍ବ ଟାଇଡେଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ। କାମେରୁନ ଗ୍ରୀନ ୬୭ ଓ ଟିମ ଡାଭିଡଙ୍କ ୨୫ ରନ ବଳରେ ମୁମ୍ବାଇ ୨୦୧ ରନ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ଅର୍ସଦୀପ ସିଂ ୪ଟି ୱିକେଟ ନେଇଥିବାବେଳେ ନାଥାନ ଏଲିସ ଓ ଲିଭିଂ ଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

ଏହି  ମ୍ୟାଚରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୧୪ ରନ କରିଥିଲା । ଦଳ ପକ୍ଷରୁ ସାମ କୁରାନ ୫୫ରନ କରିଥିବାବେଳେ ହରପ୍ରିତ ସିଂ ଭାଟିଆ ୪୧ରନ କରିଥିଲେ । ସେହିପରି ପ୍ରଭସିମରନ ସିଂ ୨୬ରନ ଓ ଅଥର୍ବ ଟାଇଡ୍ ୨୯ରନ କରିଥିଲେ । ଶେଷ ଓଭର ଜିତେଶ ଶର୍ମା ମାତ୍ର ୭ଟି ବଲରୁ ୪ଟି ଛକା ସହାୟତାରେ ୨୫ରନ କରି ଦଳୀୟ ସ୍କୋରକୁ ୨୦୦ ଟପାଇବାରେ ସହାୟକ ହୋଇଥିଲେ ।

ମୁମ୍ବାଇ ପକ୍ଷରୁ କାମରୁନ ଗ୍ରୀନ ଓ ପିୟୁଷ ଚାଓ୍ବଲା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡ୍ରଫ ଓ ଜୋଫ୍ରା ଆର୍ଚର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଲକ୍ଷ୍ନୌକୁ ୭ ରନରେ ହରାଇଦେଇଥିଲା ଗୁଜରାଟ ।