ଚେନ୍ନାଇ : ପ୍ରଥମ ମ୍ୟାଚ୍ ଜିତିବା ପରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଏହି ଧାରାକୁ ରୋକିଛି। କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୯ ୱିକେଟ୍ରେ ପରାସ୍ତ କରି ପଞ୍ଚମ ମ୍ୟାଚ୍ରୁ ଦ୍ବିତୀୟ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ପରାଜୟ ବରଣ କରି ଚାପରେ ପଡ଼ିଛି। ଏଥି ସହ ମନ୍ଥର ପିଚ୍ ରଖିଥିବା ଚେନ୍ନାଇ ଚରଣ ଅଭିଯାନକୁ ପଞ୍ଜାବ ବିଜୟରେ ଏବଂ ମୁମ୍ବାଇ ପରାଜୟରେ ଶେଷ କରିଛନ୍ତି। ଶୁକ୍ରବାର ରବି ବିଷ୍ଣୋଇ, ମହମ୍ମଦ ସାମିଙ୍କ ବୋଲିଂ ବଳରେ ପଞ୍ଜାବ ରୋହିତ ଶର୍ମାଙ୍କ ମୁମ୍ବାଇକୁ ୧୩୧/୬ରେ ସୀମିତ ରଖିଥିଲା। ଜବାବରେ ମୟଙ୍କ ଅଗ୍ରୱାଲ୍ (୨୫, ୨୦ ବଲ୍) ସଅଳ ଆଉଟ୍ ହୋଇଥିଲେ ମଧ୍ୟ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି କେଏଲ୍ ରାହୁଲ୍ (୬୦*, ୫୨ ବଲ୍, ୩ ଚୌକା, ୩ ଛକା) ଏବଂ କ୍ରିସ୍ ଗେଲ୍ (୪୩*, ୩୫ ବଲ୍, ୫ ଚୌକା, ୨ ଛକା) ୧୪ ବଲ୍ ପୂର୍ବରୁ ମ୍ୟାଚ୍ ଶେଷ କରିଥିଲେ। ଟ୍ରେଣ୍ଟ୍ ବୋଲ୍ଟଙ୍କୁ ଛକା ଓ ଚୌକା ମାରି ରାହୁଲ ମ୍ୟାଚ୍ ଶେଷ କରିଥିଲେ। ରାହୁଲ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସାମି-ବିଷ୍ଣୋଇ ଚମତ୍କାର
ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍ରୁ ଶନିବାର ବହୁ ପ୍ରତୀକ୍ଷିତ ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା। ରୋହିତଙ୍କ ପାଳି ସତ୍ତ୍ବେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୧୩୧/୬ରେ ସୀମିତ ରହିଯାଇଥିଲା। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଏକମାତ୍ର ପରିବର୍ତ୍ତନ ଭାବେ ଲେଗ୍ସ୍ପିନର୍ ମୁରୁଗାନ୍ ଅଶ୍ବିନଙ୍କ ବଦଳରେ ଅନ୍ୟତମ ଯୁବ ଲେଗ୍ ସ୍ପିନର୍ ରବି ବିଷ୍ଣୋଇ ଚଳିତ ଆଇପିଏଲ୍ର ପ୍ରଥମ ମ୍ୟାଚ୍ ଖେଳିଥିଲେ। ତେବେ ଦୀପକ ହୁଦା ପଞ୍ଜାବକୁ ପ୍ରଥମ ସଫଳତା ଦେଇଥିଲେ। ହୁଦାଙ୍କ ପ୍ରଥମ ଓଭର ଶେଷ ବଲ୍କୁ କ୍ବିଣ୍ଟନ୍ ଡି’କକ୍ କଭର ଉପରେ ଖେଳିବାକୁ ଚେଷ୍ଟା କରୁଥିବା ବେଳେ ମିଡ୍ ଅନ୍ରେ ମୋଜେସ୍ ହେନରିକ୍ସଙ୍କ ହାତରେ ଧରାପଡ଼ିଯାଇଥିଲେ। ଏହା ପୂର୍ବରୁ ମୁମ୍ବାଇ କିନ୍ତୁ ଚଳିତ ଋତୁର ସବୁଠୁ କମ୍ ପାୱାର ପ୍ଲେ ସ୍କୋର୍ (୬ ଓଭରରେ ୨୧/୬) କରିଥିଲା। ଏଭଳି ପ୍ରଭାବ ବିସ୍ତାର ପାଇଁ ଦୀପକ ହୁଦା (୨-୦-୫-୧), ମୋଜେସ୍ ହେନରିକ୍ସ (୩-୦-୧୨-୦)ଙ୍କ ପ୍ରଥମ ସ୍ପେଲ୍ ଏବଂ ମହମ୍ମଦ ସାମିଙ୍କ ପ୍ରଥମ ଓଭର (୧-୦-୪-୦) ଦାୟୀ ରହିଥିଲା। ପ୍ରତ୍ୟାବର୍ତନ ମ୍ୟାଚ୍ର ପ୍ରଥମ ଓଭରରେ ରବି ବିଷ୍ଣୋଇ ବାମହାତୀ ଈଶାନ କିଶନଙ୍କୁ ଶିକାର କରିଥିଲେ। ସଂଘର୍ଷରତ ଈଶାନ ୧୭ ବଲ୍ରୁ ମାତ୍ର ୬ ରନ୍ କରିଥିଲେ। ଏହା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଭଲ ଭାଗୀଦାରି ହୋଇଥିଲା। ୯.୧ ଓଭରରେ ଏହି ମୁମ୍ବାଇକର ଯୋଡ଼ି ୭୯ ରନ୍ ଯୋଡି ଲଢ଼ୁଆ ସ୍କୋର୍ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ମୁମ୍ବାଇର ନିର୍ଭରଯୋଗ୍ୟ ସୂର୍ଯ୍ୟକୁମାର ଯାଦବ (୩୩, ୨୭ ବଲ୍)ଙ୍କୁ ଆଉଟ୍ କରି ବିଷ୍ଣୋଇ ପୁଣି ଥରେ ପଞ୍ଜାବ ଶିବିରରେ ଉଲ୍ଲାସ ଖେଳାଇ ଦେଇଥିଲେ। ପରବର୍ତୀ ଓଭରରେ ରୋହିତ ଶର୍ମା (୬୩, ୫୨ ବଲ୍)ଙ୍କୁ ମହମ୍ମଦ ସାମି ଆଉଟ୍ କରି ମୁମ୍ବାଇ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏକ ଫୁଲ୍ ଟସକୁ ରୋହିତ ଠିକରେ ଖେଳି ନପାରି ଡିପ ସ୍କୋୟାର୍ ଲେଗ୍ରେ ଫାବିଏଁ ଆଲେନଙ୍କ ହାତରେ ଧରାପଡ଼ିଥିଲେ। ପାଣ୍ଡ୍ୟା ଭ୍ରାତା ବିଫଳ ହେବା ମୁମ୍ବାଇକୁ ଆଉ ସୁଯୋଗ ଦେଇନଥିଲା। କିରଣ ପୋଲାର୍ଡ (୧୬*, ୧୨ ବଲ୍, ୧ ଛକା) ଶେଷ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ବିଶେଷ କିଛି କରିପାରିନଥିଲେ। ଶେଷ ୪ ଓଭରରେ ୪ ୱିକେଟ୍ ହରାଇ ମୁମ୍ବାଇ ୨୬ ରନ୍ ଯୋଡ଼ି ପାରିଥିଲା। ମହମ୍ମଦ ସାମି ଏବଂ ରବି ବିଷ୍ଣୋଇ ସମାନ ବୋଲିଂ ଚିତ୍ର ୪-୦-୨୧-୨ ପାଇଥିଲେ।