ଧର୍ମଶାଳା: ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୩୭ ରନ୍ରେ ହରାଇ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍ ପଏଣ୍ଟ୍ ଟେବୁଲ୍ର ଦ୍ବିତୀୟକୁ ଉନ୍ନୀତ ହୋଇଛି। ରବିବାର ପଞ୍ଜାବ ୨୩୭ ରନ୍ର ବଡ଼ ବିଜୟ ଲକ୍ଷ୍ୟ ଦେଇଥିଲା। ଜବାବରେ ପାୱାର ପ୍ଲେ’ ଭିତରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଋଷଭ ପନ୍ତ୍ଙ୍କ ଲକ୍ଷ୍ନୌ ଶେଷରେ ୭ ୱିକେଟ୍ ହରାଇ ୧୯୯ ରନ୍ରେ ଅଟକି ଯାଇଥିଲା। ଅଧିନାୟକ ପନ୍ତଙ୍କ ବିଫଳତା ଧାରା ଜାରି ରହିଥିଲା ବେଳେ ଯୁବ ତାରକା ଆୟୁଷ ବଡୋନି ୪୦ ବଲ୍ରୁ ୭୪ ରନ୍ର ପାଳି ଖେଳି ଦଳକୁ କେବଳ ବଡ଼ ପରାଜୟର ଲଜ୍ଜାରୁ ରକ୍ଷା କରିଥିଲେ। ଏକାଦଶ ମ୍ୟାଚ୍ରୁ ପଞ୍ଜାବର ଏହା ସପ୍ତମ ବିଜୟ ଏବଂ ସେହି ଏକାଦଶ ମ୍ୟାଚ୍ରୁ ଲକ୍ଷ୍ନୌର ଷଷ୍ଠ ପରାଜୟ ଥିଲା।
ପୂର୍ବରୁ ଲକ୍ଷ୍ନୌ ଟସ୍ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମ ଓଭରର ପଞ୍ଚମ ବଲ୍ରେ ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟଙ୍କୁ ହରାଇବା ସତ୍ତ୍ବେ ଅନ୍ୟତମ ଓପନର୍ ପ୍ରଭସିମରନ୍ ସିଂହ (୪୮ ବଲ୍ରୁ ୯୧ ରନ୍)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏକ ବଡ଼ ସ୍କୋର୍ ପାଇଁ ମୂଳଦୁଆ ପକାଇ ନେଇଥିଲା। ବ୍ୟାଟିଂରେ ପଦୋନ୍ନତି ପାଇଥିବା ଜୋସ୍ ଇଙ୍ଗ୍ଲିସ୍ ଓ ଅଧିନାୟକ ଶ୍ରେୟସ୍ ଆୟର ମଧ୍ୟ ଯଥାକ୍ରମେ ୩୦ ଓ ୪୫ ରନ୍ର ଦ୍ରୁତ ଓ ଉପଯୋଗୀ ପାଳି ଖେଳିଥିଲେ। ତେବେ ଶେଷ ୩ ଓଭରରେ ଶଶାଙ୍କ ସିଂହଙ୍କ ୧୫ ବଲ୍ ୩୩* ରନ୍ ଏବଂ ମାର୍କୋ ଷ୍ଟୋଇନିସଙ୍କ ୫ ବଲ୍ ୧୫* ରନ୍ର ବିସ୍ଫୋରକ ବ୍ୟାଟିଂ ବଳରେ ୨୩୬/୫ର ବଡ଼ ସ୍କୋର୍ କରି ନେଇଥିଲା। ଲକ୍ଷ୍ନୌର ଦୁଇ ଦ୍ରୁତ ବୋଲର ମୟଙ୍କ ଯାଦବ (୦/୬୦) ଓ ଆୱେସ୍ ଖାନ୍ (୦/୫୭) ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଇମ୍ପାକ୍ଟ ପ୍ଲେୟାର ଆକାଶ ସିଂହ (୨/୩୦), ଦିଗବେଶ ରାଠୀ (୨/୪୬) ଓ ପ୍ରିନ୍ସ ଯାଦବ (୧/୪୩) ହିଁ ପଞ୍ଜାବକୁ କିଛିଟା ଅଡ଼ୁଆରେ ପକାଇଥିଲେ। ପ୍ରଭସିମରନ୍ ତାଙ୍କ ଆକର୍ଷଣୀୟ ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍: ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୨୩୬/୫ (ପ୍ରଭସିମରନ୍ ସିଂହ ୯୧, ଶ୍ରେୟସ୍ ଆୟର ୪୫, ଶଶାଙ୍କ ସିଂହ ୩୩*, ଜୋସ୍ ଇଙ୍ଗ୍ଲିସ୍ ୩୦, ଆକାଶ ସିଂହ ୨/୩୦, ଦିବବେଶ ରାଠୀ ୨/୪୬, ପ୍ରିନ୍ସ ଯାଦବ ୧/୪୩)। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ୨୦ ଓଭରରେ ୧୯୯/୭ (ଆୟୁଷ ବଡୋନି ୭୪, ଅବଦୁଲ ସମଦ ୪୫, ଅର୍ଶଦୀପ ସିଂହ ୩/୧୬, ଅଜମତୁଲ୍ଲା ଓମରଜାଇ ୨/୩୩)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/05/cPwR5qg5xkdApYdr7dsD.jpg)