ଲକ୍ଷ୍ନୌ: ୱିକେଟ୍‌ରକ୍ଷକ ବ୍ୟାଟର୍ ପ୍ରଭସିମ୍ରନ୍ ସିଂହ (୬୯)  ଏବଂ ଅଧିନାୟକ ଶ୍ରେୟସ୍ ଆୟର (୫୨*)ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ଏକତରଫା ଭାବେ ୮ ୱିକେଟ୍‌ରେ ପରାସ୍ତ କରିଛି। ତା’ ସହିତ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପଞ୍ଚମରୁ ଦ୍ବିତୀୟକୁ ଉଠିଛି ପଞ୍ଜାବ। ଅନ୍ୟପକ୍ଷରେ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ତୃତୀୟରୁ ଷଷ୍ଠ ସ୍ଥାନକୁ ଖସିଛି। ମଙ୍ଗଳବାର ଲକ୍ଷ୍ନୌ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ପଞ୍ଜାବ ୨୨ ବଲ୍ ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ହାସଲ କରି ନେଇଥିଲା। ପ୍ରଭସିମରନ୍ ଓ ଶ୍ରେୟସଙ୍କ ଛଡ଼ା ନେହଲ ୱାଧେରା ୨୫ ବଲ୍‌ରୁ ୪୩* ରନ୍‌ର ଦର୍ଶନୀୟ ପାଳି ଖେଳିଥିଲେ। ଅଧିନାୟକ ଶ୍ରେୟସ୍ ଓ ସେ ଅବିଭାଜିତ ତୃତୀୟ ୱିକେଟ୍‌ରେ ୬୭ ରନ୍ ଯୋଡ଼ି ପଞ୍ଜାବକୁ ସହଜ ବିଜୟ ଉପହାର ଦେଇଥିଲେ। 

Advertisment

ପଞ୍ଜାବ ଟସ୍ ଜିତି ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଧିନାୟକ ଶ୍ରେୟସ୍ ଆୟରଙ୍କ ଏହି ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖି ପଞ୍ଜାବ ବୋଲର୍‌ମାନେ ପାୱାର ପ୍ଲେ’ ଭିତରେ ପ୍ରତିପକ୍ଷ ଅଧିନାୟକ ଋଷଭ ପନ୍ତଙ୍କ ସହ ଲକ୍ଷ୍ନୌର ତିନିଜଣ ଶୀର୍ଷକ୍ରମ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ୨୭ କୋଟି ଟଙ୍କାରେ ବିକ୍ରି ହୋଇଥିବା ପନ୍ତ ଲଗାତାର ତୃତୀୟ ମ୍ୟାଚ୍ ପାଇଁ ବିଫଳ ହେବା ସହ କାମଚଳା ସ୍ପିନର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନିଜ ୱିକେଟ୍ ଟେକି ଦେଇଥିଲେ। ତେବେ ନିକୋଲାସ ପୂରନ୍ (୩୦ ବଲ୍‌ରୁ ୪୪ ରନ୍) ଓ ଆୟୁଷ ବଡୋନି (୩୩ ବଲ୍‌ରୁ ୪୧ ରନ୍)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ଲକ୍ଷ୍ନୌ ରନ୍ ଗତି ସେତେଟା କମି ନଥିଲା। ଅଷ୍ଟମରେ ଆସିଥିବା ଅବଦୁଲ ସମାଦ ମାତ୍ର ୧୨ ବଲ୍‌ରୁ ୨୭ ରନ୍‌ର ବିସ୍ଫୋରକ ପାଳି ଖେଳିବାରୁ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୧ ରନ୍ କରି ନେଇଥିଲା। ଅର୍ଶଦୀପ ସିଂହ ୪୩ ରନ୍ ବ୍ୟୟ କରି ୩ ୱିକେଟ୍ କରାୟତ୍ତ କରିଥିଲେ। 

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ୨୦ ଓଭରରେ ୧୭୧/୭ (ନିକୋଲାସ ପୂରନ ୪୪, ଆୟୁଷ ବଡୋନି ୪୧, ଏଦେନ ମାରକ୍ରମ ୨୮,  ଅବଦୁଲ ସମଦ ୨୭, ଅର୍ଶଦୀପ ସିଂହ ୩/୪୩, ଗ୍ଲେନ୍ ମ୍ୟାକ୍ସୱେଲ୍ ୧/୨୨, ଲୋକି ଫର୍ଗୁସନ୍ ୧/୨୬, ମାର୍କୋ ୟାନସେନ ୧/୨୮)। ପଞ୍ଜାବ କିଙ୍ଗ୍ସ ୧୬.୨ ଓଭରରେ ୧୭୭/୨ (ପ୍ରଭସିମ୍ରନ୍ ସିଂହ ୬୯, ଶ୍ରେୟସ୍ ଆୟର ୫୨*, ନେହଲ ୱାଧେରା ୪୩*, ଦିଗ୍ବେସ ରାଠୀ ୨/୩୦)।