ଭାରତୀୟ ହକି ଖେଳାଳିଙ୍କ ନାମାନୁସାରେ ୧୦ଟି ସରକାରୀ ସ୍କୁଲ୍‌ର ପୁନଃନାମକରଣ କଲା ପଞ୍ଜାବ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟୀ ହୋଇଥିବା ଭାରତୀୟ ହକି ଖେଳାଳିଙ୍କ ନାମାନୁସାରେ ରବିବାର ଦିନ ପଞ୍ଜାବ ପ୍ରାୟ ୧୦ଟି ସରକାରୀ ସ୍କୁଲ୍‌ର ପୁନଃନାମକରଣ କରିଛି।

ପଞ୍ଜାବ ସ୍କୁଲ୍‌ ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର୍‌ ସିଂହ କହିଛନ୍ତି, ଭାରତୀୟ ପୁରୁଷ ହକି ଦଳରେ ଥିବା କେତେକ ପଞ୍ଜାବୀ ଖେଳାଳିଙ୍କ ନାମାନୁସାରେ ରାଜ୍ୟ ସରକାରୀ ସ୍କୁଲ୍‌ଗୁଡ଼ିକର ପୁନଃନାମକରଣ ହେବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅନୁମୋଦନ କରିଛନ୍ତି।

ରାଜ୍ୟ ଶିକ୍ଷାମନ୍ତ୍ରୀ କହିଛନ୍ତି, ହକି ଦଳର ଅଧିନାୟକ ମନପ୍ରୀତ୍ ସିଂହଙ୍କ ନାମାନୁସାରେ, ଜଳନ୍ଧର ଅନ୍ତର୍ଗତ ମିଥାପୁର ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ପୁନଃନାମିତ କରାଯାଇଛି। ସମ୍ପ୍ରତି ସେ ସ୍କୁଲ୍‌ର ନାଁ ହେବ ‘ଅଲିମ୍ପିଆନ୍‌ ମନ୍‌ପ୍ରୀତ୍‌ ସିଂହ ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’।

Image Courtesy of Business Today

ଅମୃତସରର ତିମ୍ମୋୱାଲ୍‌ରେ ଥିବା ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ଉପଅଧିନାୟକ ହରମନ୍‌ପ୍ରୀତ୍‌ ସିଂହଙ୍କ ନାମାନୁସାରେ ପୁନଃନାମିତ କରାଯାଇଛି। ସେ ଟୋକିଓ ଅଲିମ୍ପିକ୍‌ ହକି କ୍ରୀଡ଼ାରେ ଭାରତ ପକ୍ଷରୁ ସର୍ବାଧିକ ୬ଟି ଗୋଲ୍‌ ଦେଇଥିଲେ।

ସେହିପରି, ଅମୃତସରର ଅଟ୍ଟାରି ‘ଗଭର୍ଣ୍ଣମେଣ୍ଟ୍‌ ସିନିଅର୍‌ ସେକେଣ୍ଡାରି ସ୍କୁଲ୍‌’କୁ ଶାମଶେର୍‌ ସିଂହ, ଫରିଦକୋଟସ୍ଥିତ ଗଭର୍ଣ୍ଣମେଣ୍ଟ୍‌ ମିଡଲ୍‌ ସ୍କୁଲ୍‌କୁ (ଗର୍ଲସ୍‌ ବେସିକ୍) ରୁପିନ୍ଦରପାଲ୍‌ ସିଂହ, ଜଳନ୍ଧରର କୁଶରୋପୁର ‘ଗଭର୍ଣ୍ଣମେଣ୍ଟ୍‌ ମିଡଲ୍‌ ସ୍କୁଲ୍‌’କୁ ହାର୍ଦ୍ଦିକ ସିଂହ, ଅମୃତସରସ୍ଥିତ ଖଲାଇହରା ଗଭର୍ଣ୍ଣମେଣ୍ଟ୍‌ ପ୍ରାଇମେରି ସ୍କୁଲ୍‌କୁ ଗୁରଜନ୍ତ ସିଂହଙ୍କ ନାମାନୁସାରେ ପୁନଃନାମିତ କରାଯାଇଛି।

ଏହାଛଡ଼ା, ଗୁରଦାସପୁର ଅନ୍ତର୍ଗତ ଚହଲ କଲାଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ସିମରଣଜିତ୍ ସିଂହଙ୍କ ନାମାନୁସାରେ ନାମିତ କରାଯାଇଛି। ଶିକ୍ଷାମନ୍ତ୍ରୀ କହିଛନ୍ତି, ଭାରତୀୟ କ୍ରୀଡ଼ା କ୍ଷେତ୍ରକୁ ପଞ୍ଜାବର ସ୍ବର୍ଣ୍ଣିମ ଅବଦାନ ରହିଛି। ହରିୟାଣା ପରେ ପଞ୍ଜାବ ଅଲିମ୍ପିକ୍‌ କ୍ରୀଡ଼ାକୁ ୨୦ଜଣ ଖେଳାଳି ପଠାଇ ଦେଶର ଦ୍ବିତୀୟ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର