ପଞ୍ଚମକୁ ଉଠିଲା ପଞ୍ଜାବ, ଦିଲ୍ଲୀ ପ୍ଲେ ଅଫ୍‌ରେ

ଦୁବାଇ : କୋଲକାତା ନାଇଟ୍ ରାଇଡର୍ସକୁ ୫ ୱିକେଟ୍‌ରେ ହରାଇ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ କରିଛି। ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଜାବ ପଞ୍ଚମ ବିଜୟ ସହ ସପ୍ତମ ସ୍ଥାନରୁ ପଞ୍ଚମକୁ ଲମ୍ଫ ମାରିଛି। ସମାନ ମ୍ୟାଚ୍‌ରୁ ସପ୍ତମ ପରାଜୟ ସହ କୋଲକାତା ଚତୁର୍ଥରେ ଅପରିବର୍ତିତ ରହିଛି। ପଞ୍ଜାବର ବିଜୟ ପଏଣ୍ଟ ଟେବୁଲରେ ଦ୍ବିତୀୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେ ଅଫ୍‌କୁ ମଧ୍ୟ ଶୁକ୍ରବାର ନିଶ୍ଚିତ କରି ଦେଇଛି। ଶୁକ୍ରବାର ଭଲ ଆରମ୍ଭ ସତ୍ତ୍ବେ କୋଲକାତା ୧୬୫ ରନ୍‌ରେ ସୀମିତ ରହିଥିଲା। ପଞ୍ଜାବ ପାଇଁ କିନ୍ତୁ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ (୬୭, ୫୫ ବଲ୍‌) ଏବଂ ମୟଙ୍କ ଅଗ୍ରୱାଲ୍ (୪୦, ୨୭ ବଲ୍)ଙ୍କ ୭୦ ରନ୍ ଭାଗୀଦାରି ବଡ଼ ସୁଯୋଗ ଦେଇଥିଲା। ବରୁଣ ଚକ୍ରବର୍ତ୍ତୀ ପଞ୍ଜାବକୁ ଯୁଗଳ ଝଟକା ଦେଇଥିଲେ ମଧ୍ୟ ମର୍କରାମ (୧୮) ଏବଂ ସାହାରୁଖ୍ ଖାନ୍ (୨୨*, ୯ ବଲ୍, ୧ ଚୌକା, ୨ ଛକା)ଙ୍କ ପାଳି ନିର୍ଣ୍ଣାୟକ ସାବ୍ୟସ୍ତ ‌ହୋଇଥିଲା। ଶେଷ ଓଭର ବୋଲିଂ କରିଥିବା କୋଲକାତାର ପଞ୍ଚମ ବୋଲର୍‌ ଭେଙ୍କଟେଶ ଆୟର ଦ୍ବିତୀୟ ବଲରେ କେଏଲ୍ ରାହୁଲଙ୍କୁ ଆଉଟ୍ କରି ଦେଇଥିଲେ ମଧ୍ୟ ପରବର୍ତୀ ବଲ୍‌ରେ ସାହାରୁଖ୍ ଖାନ୍ ଛକା ମାରି ମ୍ୟାଚ୍‌ ଶେଷ କରିଥିଲେ। ବାଉଣ୍ଡରି ନିକଟରେ ରାହୁଲ ତ୍ରିପାଠୀ କ୍ୟାଚ୍‌ ଡ୍ରପ୍‌ କରିବା‌ ବେଳେ ବଲ୍ ବାହାରକୁ ପଡ଼ିବାରୁ ଛକା ହୋଇଯାଇଥିଲା। ଶୁକ୍ରବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ କେଏଲ୍‌ ରାହୁଲ (୪୮୯ ରନ୍‌) ମଧ୍ୟ ଅଗ୍ରଣୀ ରନ୍‌ ‌ସ୍କୋରର୍‌ ଭାବେ କମଳା ଟୋପି ହାତେଇଛନ୍ତି।

ପୂର୍ବରୁ ପ୍ରାରମ୍ଭିକ ବ୍ୟାଟର୍‌ ଭେଙ୍କଟେଶ ଆୟର (୬୭ ରନ୍‌, ୪୯ ବଲ୍‌, ୯ ଚୌକା, ୧ ଛକା)ଙ୍କ ଦ୍ବିତୀୟ ଅର୍ଦ୍ଧଶତକ ବଳରେ କୋଲକାତା ୧୬୫ ରନ୍‌ କରିଥିଲା। ଶୁବମନ ଗିଲ୍‌ (୭)ଙ୍କ ଆଉ ଏକ ବିଫଳତା ପରେ ଆୟର ଏବଂ ରାହୁଲ ତ୍ରିପାଠୀ ୯ ଓଭରରେ ୭୨ ରନ୍‌ ଯୋଡ଼ି କୋଲକାତାର ଦୃଢ଼ ମୂଳଦୁଆ ପକାଇଥିଲେ। ରାହୁଲ ତ୍ରିପାଠୀ ୨୬ ବଲ୍‌ରୁ ୩୪ ରନ୍‌ କରି ଲେଗ୍ ସ୍ପିନର୍‌ ରବି ବିଷ୍ଣୋଇଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ପୂର୍ବରୁ ଗିଲ୍‌ଙ୍କୁ ତାଙ୍କ ରାଜ୍ୟ ସାଥୀ ଅର୍ଶଦୀପ ସିଂହ ବୋଲ୍ଡ କରି ଦେଇଥିଲେ। ପରେ ଅର୍ଶଦୀପ ଜମି ଆସୁଥିବା ନୀତୀଶ ରାଣା (୩୧, ୧୮ ବଲ୍‌) ଏବଂ ପୂର୍ବତନ ଅଧିନାୟକ ଦୀନେଶ କାର୍ତ୍ତିକ (୧୧)ଙ୍କୁ ଆଉଟ୍ କରି ୪-୦-୩୨-୩ ବୋଲିଂ ଚିତ୍ର ପାଇଥିଲେ। ମହମ୍ମଦ ସାମି (୧/୨୩) ଏବଂ ରବି ବିଷ୍ଣୋଇ (୨/୨୨)ଙ୍କ ବଢ଼ିଆ ବୋଲିଂ କାରଣରୁ କୋଲକାତା କିନ୍ତୁ ଶେଷ ଓଭରଗୁଡିକରେ ଆଶାଜନକ ରନ୍‌ କରିପାରିନଥିଲା। କୋଲକାତାର ପ୍ରତିଟି ବିଦେଶୀ ଅଧିନାୟକଙ୍କ ଭଳି ଇଅନ୍ ମୋର୍ଗାନଙ୍କ ବିଫଳତା ଜାରି ରହିଥିଲା। ପଞ୍ଜାବର ପଞ୍ଚମ ବୋଲର ଭୂମିକା ତୁଲାଇ ନୂଆ ବଲ୍‌ରୁ ଅଭିଯାନ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍‌ ଖେଳାଳି ଫାବିଏଁ ଆଲେନ୍‌ କିନ୍ତୁ ମହଙ୍ଗା (୦/୩୮) ସାବ୍ୟସ୍ତ ହୋଇଥିଲେ। ଶେଷ ୫ ଓଭରରେ ୪ ୱିକେଟ୍ ହରାଇବାରୁ କୋଲକାତା ମାତ୍ର ୪୪ ରନ୍‌ ଯୋଡ଼ିବାରୁ ଆଶାଠାରୁ ୧୫-୨୦ ରନ୍‌ କମ୍ କରିଥିଲା।

ଶନିବାର ଦୁଇଟି ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ-ଦିଲ୍ଲୀ କ୍ୟାପିଟାଲ୍ସ (ଅପରାହ୍ନ ୩.୩୦) ଏବଂ ରାଜସ୍ଥାନ ରୟାଲ୍ସ-ଚେନ୍ନାଇ ସୁପର୍‌ କିଙ୍ଗ୍ସ (ରାତି ୭.୩୦) ପ୍ଲେ ଅଫ୍‌ ଚିତ୍ରକୁ କ୍ରମେ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର