ଆଇପିଏଲ : ୧ ରନ ପାଇଁ ଶତକରୁ ବଞ୍ଚିତ ହେଲେ କ୍ରିସ ଗେଲ୍, ରାଜସ୍ଥାନ ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୫୦ତମ ମ୍ୟାଚରେ  ରାଜସ୍ଥାନ  ଆଗରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଛି ପଂଜାବ ।

ପଞ୍ଜାବ ଦଳ ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୫ ରନ କରିଥିଲା । ଦଳ ପକ୍ଷରୁ କ୍ରିସ ଗେଲ ବିସ୍ଫୋରକ ଇନିଂସ ଖେଳି ୬୩ ବଲରୁ ୯୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୬ ଟି ଚୌକା ମାରିଥିଲେ । ମାତ୍ର ଜୋଫ୍ରା ଆର୍ଚରଙ୍କ ବଲରେ ବୋଲ୍ଡ ହୋଇ ସେ ମାତ୍ର ୧ ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ଦଳର ଅଧିନାୟକ ତଥା ଓପନର କେ.ଏଲ.ରାହୁଲ ୪୬ ରନ କରିଥିଲେ ।

ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । କାରଣ ଦଳ ଏପର୍ଯ୍ୟନ୍ତ ୧୨ ଟି ମ୍ୟାଚ ଖେଳି ୬ ବିଜୟ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି । ପ୍ଲେ ଅପରେ ପହଞ୍ଚିବା ପାଇଁ ୧୬ ପଏଣ୍ଟ ଆବଶ୍ୟକ ହେଉଥିବାରୁ ସେଥିଲାଗି ପଂଜାବକୁ ନିଜର ଅବଶିଷ୍ଟ ୨ଟି ମ୍ୟାଚ ଜିତିବାକୁ ପଡ଼ିବ । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୫ଟିରେ ବିଜୟ ଓ ୭ଟିରେ ପରାଜୟ ବରଣ କରିଛି । ଏହି ଦଳ ୧୦ ପଏଣ୍ଟ ସହ ପ୍ଲେ ଅପ ଦୌଡ଼ରୁ ଏକରକମ ବାଦ ପଡ଼ିଛି ।

ସମ୍ବନ୍ଧିତ ଖବର