ଜୟପୁର: ୫ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୭ ୱିକେଟ୍‌ରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସ ପଏଣ୍ଟ୍ ଟେବୁଲ୍‌ ଶୀର୍ଷକୁ ଉଠିବା ସହ ୧/୨ ସ୍ଥାନରେ ରହିବା ନିଶ୍ଚିତ କରିଛି। ଏଥିସହ ଗୁରୁବାର କ୍ବାଲିଫାୟାର୍‌-୧ରେ ଖେଳିବା ମଧ୍ୟ ସ୍ପଷ୍ଟ ହୋଇଛି। ପରାଜୟ ସହ ମୁମ୍ବାଇ ଚତୁର୍ଥ ସ୍ଥାନରେ ରହିବା ବି ନିଶ୍ଚିତ ହୋଇଛି। ଯୋଜନାହୀନ ଭାବେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୧୮୪ ରନ୍‌ରେ ସୀମିତ ରହିଯାଇଥିଲା। ୧୮୫ ରନ୍‌ର ଲକ୍ଷ୍ୟକୁ ହାସଲ କରିବା ପଞ୍ଜାବ କିଙ୍ଗ୍ସ ପାଇଁ ଆଦୌ କଷ୍ଟକର ହୋଇନଥିଲା। ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ (୩୫ ବଲ୍‌ରୁ ୬୨ ରନ୍) ଏବଂ ଜୋସ୍ ଇଙ୍ଗ୍‌ଲିସ୍ (୪୨ ବଲ୍‌ରୁ ୭୩ ରନ୍)ଙ୍କ ଅର୍ଦ୍ଧଶତକ ପାଳି ପଞ୍ଜାବ ପାଇଁ ଯଥେଷ୍ଟ ହୋଇଥିଲା। ମଙ୍ଗଳବାର ଶେଷ ଲିଗ୍‌ରେ ଆର୍‌ସିବି-ଏଲ୍‌ଏସ୍‌ଜି ମୁହାଁମୁହିଁ ହେବେ। ଆର୍‌ସିବି ବିଜୟୀ ହେଲେ ପଞ୍ଜାବକୁ କ୍ବାଲିଫାୟାର୍‌-୧ରେ ଭେଟିବ। ହାରିଗଲେ ମୁମ୍ବାଇ ଇଣ୍ଡିଆନ୍ସ ସହ ଶୁକ୍ରବାର ଏଲିମିନେଟ୍‌ର ଖେଳିବ। ଦ୍ବିତୀୟ କ୍ବାଲିଫାୟାର୍‌ ରବିବାର ଖେଳାଯିବା ପରେ ଜୁନ୍‌ ୩ ତାରିଖରେ ଫାଇନାଲ୍ ଖେଳାଯିବ।

Advertisment

 ସୋମବାର ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ ପାଇଁ ଡାକିଥିଲେ ପଞ୍ଜାବ ଅଧିନାୟକ ଶ୍ରେୟସ ଆୟର। ରିୟାନ ରିକେଲଟନ୍‌ (୨୦ ବଲ୍‌ରୁ ୨୭ ରନ୍) ଓ ରୋହିତ ଶର୍ମା (୨୧ ବଲ୍‌ରୁ ୨୪ ରନ୍‌) ସତର୍କତାର ସହ ବ୍ୟାଟିଂ କରିବାରୁ ମୁମ୍ବାଇ ପାୱାର ପ୍ଲେ ୬ ଓଭର ଭିତରେ ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ଉଭୟ କିନ୍ତୁ ଲମ୍ବା ଖେଳିପାରିନଥିଲେ। ତିଳକ ବର୍ମା (୧) ବିଫଳ ହେବା ମୁମ୍ବାଇକୁ ଚାପରେ ପକାଇଥିଲେ ମଧ୍ୟ ସୂର୍ଯ୍ୟକୁମାର ୟାଦବ (୩୯ ବଲ୍‌ରୁ ୫୭ ରନ୍) ଶେ‌ଷ ବଲ୍‌ରେ ଆଉଟ୍ ହେବା ପୂର୍ବରୁ ପାଳିକୁ ଏକପ୍ରକାର ସଜାଡ଼ି ନେଇଥିଲେ। ଶେଷ ଭାଗରେ ହାର୍ଦିକ ପାଣ୍ଡ୍ୟା (୧୫ ବଲ୍‌ରୁ ୨୬ ରନ୍) ଏବଂ ନମନ ଧୀର (୧୨ ବଲ୍‌ରୁ ୨୦ ରନ୍) ଭଲ ଅବଦାନ ରଖିଥିଲେ। ୩ ଦ୍ରୁତ ବୋଲର ଅର୍ଶଦୀପ ସିଂହ, ମାର୍କୋ ୟାନସେନ୍‌, ବିଜୟ କୁମାର ବୈଶାକ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୮୪/୭ (ସୂର୍ଯ୍ୟକୁମାର ୟାଦବ-୫୭, ରିୟାନ ରିକେଲଟନ୍‌-୨୭, ହାର୍ଦିକ ପାଣ୍ଡ୍ୟା-୨୬, ରୋହିତ ଶର୍ମା-୨୪, ନମନ ଧୀର-୨୦, ଅର୍ଶଦୀପ ସିଂହ-୨/୨୮, ମାର୍କୋ ୟାନସେନ୍‌-୨/୩୪, ବିଜୟ କୁମାର ବୈଶାକ-୨/୪୪, ହରପ୍ରୀତ୍ ବ୍ରାର୍‌-୧/୩୬)। ପଞ୍ଜାବ କିଙ୍ଗ୍ସ ୧୮.୨ ଓଭରରେ ୧୮୭/୩ (ଜୋସ୍ ଇଙ୍ଗଲିସ୍‌-୭୩, ପ୍ରିୟାଂଶ ଆର୍ଯ୍ୟ-୬୨, ଶ୍ରେୟସ ଆୟର-୨୦*, ମିଚେଲ୍ ସାଣ୍ଟନର୍‌-୨/୪୧, ଯଶପ୍ରୀତ୍ ବୁମରା-୧/୨୩)।