ଲକ୍ଷ୍ନୌ : ଚଳିତ ଆଇପିଏଲ୍ର ୨୧ତମ ମ୍ୟାଚ୍ରେ ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍କୁ ପଞ୍ଜାବ କିଙ୍ଗ୍ସ ୨ ୱିକେଟ୍ରେ ରୋମାଞ୍ଚକ ଭାବେ ହରାଇ ଦେଇଛି। ଲକ୍ଷ୍ନୌ ୧୫୯ ରନ୍ କରିଥିବା ବେଳେ ପଞ୍ଜାବ ୩ ବଲ୍ ପୂର୍ବରୁ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ପଞ୍ଜାବର ଏହା ପଞ୍ଚମରୁ ତୃତୀୟ ବିଜୟ ହୋଇଥିବା ବେଳେ ରାହୁଲଙ୍କ ଦଳ ୫ ମ୍ୟାଚ୍ରୁ ଦ୍ବିତୀୟ ପରାଜୟ ବରଣ କରିଛି।
ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଟସ୍ ଜିତିଥିଲେ ମଧ୍ୟ ନିୟମିତ ଅଧିନାୟକ ଶିଖର ଧାୱନଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। କାନ୍ଧରେ ଅସୁବିଧା କାରଣରୁ ସାମ୍ କରନ୍ ଦଳର ନେତୃତ୍ବ ନେଇଥିଲେ। ପ୍ରତିପକ୍ଷ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ କରନ୍। କେଏଲ ରାହୁଲ୍ ଓ କାଏଲ ମାୟର୍ସ ପ୍ରଥମ ୱିକେଟ୍ ପାଇଁ ୫୩ ରନ୍ କରିଥିଲେ। ୱିକେଟ୍ ହରାଇନଥିଲେ ମଧ୍ୟ ପାୱାର ପ୍ଲେ ୬ ଓଭରରୁ ଘରୋଇ ଦଳ ୪୯ ରନ୍ ସଂଗ୍ରହ କରିଥିଲା। କାଏଲ ମାୟର୍ସଙ୍କୁ ସ୍ପିନର ହରପ୍ରୀତ୍ ବ୍ରାର୍ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଦୀପକ ହୁଡ଼ା, ନିକୋଲାସ୍ ପୂରନ, ଆୟୂଷ ବାଦୋନୀ ନିରାଶ କରିଥିଲେ। କୃନାଲ ପାଣ୍ଡ୍ୟା ଓ ମାର୍କସ ଷ୍ଟୋଇନିସ୍ ଭଲ ଆରମ୍ଭ କରିଥିଲେ ମଧ୍ୟ ଆଗକୁ ବଢ଼ିପାରିନଥିଲେ। ୧୯ତମ ଓଭର ପର୍ଯ୍ୟନ୍ତ ଖେଳି କେଏଲ୍ ରାହୁଲ୍ ୫୬ ବଲ୍ରୁ ୭୪ ରନ୍ କରିବାରୁ ଲକ୍ଷ୍ନୌ ୧୫୯ ରନ୍ କରିପାରିଥିଲା। ସାମ କରନ୍ ଚମତ୍କାର ବୋଲିଂ କରି ୪-୦-୩୧-୩ ବୋଲିଂ ଚିତ୍ର ପାଇଥିବା ବେଳେ କାଗିସୋ ରବାଦା ୨ ୱିକେଟ୍ ନେଇଥିଲେ। ଅର୍ଶଦୀପ ସିଂହ, ହରପ୍ରୀତ୍ ବ୍ରାର, ସିକନ୍ଦର ରାଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଜବାବରେ ପାୱାର ପ୍ଲେ ଭିତରେ ୩ ୱିକେଟ୍ ହରାଇ ପଞ୍ଜାବ କିଙ୍ଗ୍ସ ମାତ୍ର ୪୫ ରନ୍ କରିଥିଲା। ଅଥର୍ବ ଟାଇଡେ, ପ୍ରଭସିମ୍ରନ ସିଂହ, ହରପ୍ରୀତ ସିଂହ ଭାଟିଆ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ଜମ୍ମୁର ଯୁବ ଦ୍ରୁତ ବୋଲର ଯୁଦ୍ଧବୀର ସିଂହ ପ୍ରଥମ ଦୁଇ ୱିକେଟ୍ ଅକ୍ତିଆର କରିବା ପରେ ଅଭିଜ୍ଞ ଲେଗସ୍ପିନର୍ ରବି ବିଷ୍ଣୋଇ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। କୃନାଲ ପାଣ୍ଡ୍ୟା ଓ କୃଷ୍ଣାପା ଗୌତମ ମଧ୍ୟ ପଞ୍ଜାବକୁ ହାତ ଖୋଲା ସଟ୍ ମାରିବାକୁ ଦେଇନଥିଲା। ଅଭିଜ୍ଞ ଜିମ୍ବାୱେ ଅଲରାଉଣ୍ଡର୍ ସିକନ୍ଦର ରାଜା କିନ୍ତୁ ବଢ଼ିଆ ବ୍ୟାଟିଂ କରି ୩୪ ବଲ୍ରୁ ଅର୍ଦ୍ଧଶତକ ହାସଲ କରି ପଞ୍ଜାବ ଆଶାକୁ କାଏମ ରଖିଥିଲେ। ରବି ବିଷ୍ଣୋଇଙ୍କ ବଲରେ ରାଜା ଆଉଟ୍ ହୋଇଯିବା ପରେ ସାହାରୁଖ ଖାନ୍ ୧୦ ବଲ୍ରୁ ୨୩ ରନ୍ ସଂଗ୍ରହ କରି ଦଳକୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଦେଇଥିଲେ।