ମୋହାଲି: ଗୁରୁବାର ଚଳିତ ଆଇପିଏଲ୍‌ର ୨୭ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ତା’ ‌ଘରୋଇ ଷ୍ଟାଡିୟମ ମୋହାଲି‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଭେଟିବ। ଏହି ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ ଖେଳିପାରିନଥିଲେ। ତେବେ ସାମ୍‌ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍‌ରାଉଣ୍ଡର ସିକନ୍ଦର ରାଜା (୫୭)ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍‌ ମୂଲ୍ୟବାନ ଅବଦାନ ରଖିଥିଲେ। ତଥାପି ଧାୱନ୍‌ଙ୍କ ଅନୁପସ୍ଥିତି ପଞ୍ଜାବ ପାଇଁ ଓପନିଂ ସମସ୍ୟା ସୃଷ୍ଟି କରିଥିଲା। ତାଙ୍କ ସାଥୀ ପ୍ରଭସିମ୍ରନ ସିଂହ (୪)ଙ୍କ ସହ ଅର୍ଥବ ତାଇଦେ (୦) ଓପନିଂ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ‌ବୋଲିଂରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ କରନ ନିଜ କାର୍ଯ୍ୟ ଠିକ୍‌ରେ ତୁଲା‌ଉଥିଲା ବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା। ସଂପ୍ରତି ପଞ୍ଜାବ ୫ ମ୍ୟାଚ୍‌ ଖେଳି ୬ ପଏଣ୍ଟ ସହ ଟେବୁଲର ପଞ୍ଚମରେ ରହିଛି।

Advertisment

ଅନ୍ୟପକ୍ଷରେ ଆର୍‌ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲରଙ୍କ ପରେ ଏମା‌ନେ ରହିଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଥିଲା ବେଳେ ତାଙ୍କ ପଛ‌କୁ ପଛ ଶାହବାଜ ଅହମଦ, ଦୀନେଶ କାର୍ତ୍ତିକ ଓ ସୂୟାଶ ପ୍ରଭୂଦେଶାଇଙ୍କୁ ନେଇ ଆର୍‌ସିବିର ବ୍ୟାଟିଂକ୍ରମ ଦୃଢ଼ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ କୋହଲି (୬) ଓ ମହିପାଲ ଲୋମରର (୦) ଶସ୍ତାରେ ଆଉଟ୍‌ ହେବାରୁ ଦାୟିତ୍ବ ଡୁ’ପ୍ଲେସିସ ଓ ମ୍ୟାକ୍ସୱେଲଙ୍କ କାନ୍ଧରେ ପଡ଼ିଥିଲା। ୨୨୭ ରନ୍‌କୁ ପିଛା କରୁଥିବା ଏହି ଦଳ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ୮ ରନ୍‌ ପଛରେ ପଡ଼ିଯାଇଥିଲା। ବୋଲିଂକ୍ରମ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ‌ ୱେନ୍‌ ପାର୍ନେଲଙ୍କୁ‌ ନେଇ ଦୃଢ଼ ରହିଛି। ସଂପ୍ରତି ଆର୍‌ସିବି ୫ ମ୍ୟାଚ୍‌ ଖେଳି ୪ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।