ଅଷ୍ଟ୍ରେଲିଆ ଦଳରେ ପଞ୍ଜାବୀ ଚା‌ଷୀ ପୁଅ

ମେଲ୍‌ବର୍ଣ୍ଣ: ପଞ୍ଜାବୀ ପ୍ରବାସୀ କୃଷକଙ୍କ ପୁଅ ତନବୀର ସିଂହ ଦ୍ବିତୀୟ ଭାରତୀୟ ବଂଶଜ ଭାବେ ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ଏହି ୧୯ ବର୍ଷୀୟ ଯୁବ ଲେଗ୍‌ସ୍ପିନର ଫେବ୍ରୁଆରିରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ଲାଗି ୧୮ ଜଣିଆ ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇଛନ୍ତି। ‘‘ଏତେ କମ୍‌ ବୟସରେ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇବି ବୋଲି ଆଶା କରିନଥିଲି। ଏହି ଖବର ଶୁଣିଲା ପରେ ମୋତେ ଆକାଶରୁ ଚାନ୍ଦ ପାଇଲା ଭଳି ଅନୁଭବ ହୋଇଥିଲା’’ ବୋଲି ତନବୀର ପ୍ରକାଶ କରିଛନ୍ତି। ତାଙ୍କ ପୂର୍ବରୁ ଭାରତୀୟ ବଂଶଜ ଜାସନ ସଙ୍ଘା, ଅର୍ଜୁନ ନାଏର, ପରାମ ଉପଲ ଅଷ୍ଟ୍ରେଲିଆ ଘରୋଇ କିମ୍ବା ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଅଷ୍ଟ୍ରେଲୀୟ ଅନ୍ତର୍ଜାତୀୟ ଦଳରେ ସୁଯୋଗ ପାଇନଥିଲେ। ହେଲେ ପଞ୍ଜାବୀ ପୁଅ ଭାବେ ଗୁରିନ୍ଦର ସାନ୍ଧୁ କେବଳ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଥିଲେ। ଏହା ୬ ବର୍ଷ ତଳର ଘଟଣା। ଏମାନଙ୍କ ବାଦ୍‌ ୩ ଜଣ ଖେଳାଳି ବ୍ରାନ୍‌ସବାଏ କୁପର (୧୮୭୭), ରେକ୍ସ ସେଲର୍ସ (୧୯୬୪) ଏବଂ ଷ୍ଟୁଆର୍ଟ କ୍ଲାର୍କ (୨୦୦୬)ଙ୍କ ପିତା ଭାରତରେ ଜନ୍ମିତ କିମ୍ବା ଭାରତ ସହ ସମ୍ପର୍କରେ ଥିଲେ।

ତନବୀରଙ୍କ ଅବିଭାବକ ୧୯୯୭ରେ ଜଳନ୍ଧରରୁ ସିଡ୍‌ନି ଯାଇଥିଲେ। ତାଙ୍କ ବାପା‌ ଯୋଗ‌ା ସିଂହ ସାଙ୍ଘା କୃଷକ ଥିଲେ। ହେଲେ ସେ ଛାତ୍ର ଭିସାରେ ‌ଅଷ୍ଟ୍ରେଲିଆ ଯାଇଥିଲେ। ଆରମ୍ଭରୁ ଟ୍ୟାକ୍ସି ଚାଳକ ଭାବେ କାମ କରୁଥିଲେ। ଏବେ ସେ ଏକ ଫାର୍ମରେ କାମ କରୁଛନ୍ତି। ତାଙ୍କ ମା’ ଉପନୀତ ଜଣେ ଆକାଉଣ୍ଟାଣ୍ଟ। ‘‘ତନବୀର ‌ଜଣେ କ୍ରୀଡ଼ାବିତ୍‌। ସେ ଭଲିବଲ୍‌, ରଗ୍‌ବି ଓ କବାଡ଼ି ମଧ୍ୟ ଖେଳେ। ଯେତେବେଳେ ତାକୁ ୧୦ ବର୍ଷ ବୟସ ହୋଇଥିଲା, ସେ କ୍ରିକେଟ୍‌ ପ୍ରତି ଆଗ୍ରହ ଦେଖାଇଥିଲା। ତନବୀରକୁ ୧୨ ବର୍ଷ ହେଲା ପରେ ତାକୁ ମୁଁ ସ୍ଥାନୀୟ ଏକ କ୍ରିକେଟ୍‌ ଦଳରେ ଖେଳିବାକୁ ଛାଡ଼ିଥିଲି। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌। ସେ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ୫ ଥର ବ୍ୟାଟିଂ କରିଥିଲା ବେଳେ ୮୫.୨୬ ହାରରେ ରନ୍‌ ସଂଗ୍ରହ କରିଥିଲା। କାନ୍ଧ ଆଘାତ ସମସ୍ୟାରେ ନପଡ଼ିବା ଲାଗି ତାକୁ ଦ୍ରୁତ ବୋଲିଂ ବଦଳରେ ସ୍ପିନ୍‌ ବୋଲିଂ କରିବାକୁ ପରାମର୍ଶ ଦେଇଥିଲି’’ ବୋଲି ଯୋଗା କହିଛନ୍ତି। ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ୬ ମ୍ୟାଚ୍‌ ଖେଲି ୧୫ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର