ପୁନେ ଟେଷ୍ଟ୍‌: ଭାରତ ୩୨୬ ରନ୍‌ରେ ଆଗୁଆ, କୋହଲି, ରିଦ୍ଧିମାନଙ୍କ କ୍ୟାଚିଂ କମାଲ

ଲାଞ୍ଜ ଲଢ଼ିଲା, ତଥାପି ଦକ୍ଷିଣ ଆଫ୍ରିକା ୨୭୫

ପୁନେ: ୧୬୨ ରନ୍‌ରେ ୮ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ଦକ୍ଷିଣ ଆଫ୍ରିକା ପାଇଁ ଲାଞ୍ଜ ଲଢ଼ିଲା। ନବମ ୱିକେଟ୍‌ରେ ଭାରତୀୟ ବଂଶୋଦ୍ଭବ କେଶବ ମହାରାଜ (୭୨) ଓ ଭର୍ନାନ ଫିଲାଣ୍ଡର (୪୪*) ୧୦୯ ରନ୍ ଯୋଡ଼ିଲେ। ତଥାପି ଏହି ଦଳ ୨୭୫ ରନ୍‌ରେ ଅଟକି ଗଲା। ଫଳରେ ୬୦୧/୫ରେ ପ୍ରଥମ ପାଳି ଘୋଷଣା କରିଥିବା ଭାରତ ୩୨୬ ରନ୍‌ର ବୃହତ୍ ଅଗ୍ରଣୀ ଲାଭ କଲା। ସେଥିପାଇଁ ହିଁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ପୁନେ ଟେଷ୍ଟ୍‌ ପୂରା କୋହଲି ବାହିନୀ ନିୟନ୍ତ୍ରଣରେ ରହିଛି।

ଦକ୍ଷିଣ ଆଫ୍ରିକା ଶନିବାର ୧୦୫.୪ ଓଭରରେ ତା’ ଶେଷ ୱିକେଟ୍ ହରାଇବା ପରେ ପରେ ଅମ୍ପାୟାର ଖେଳ ବନ୍ଦ ସଙ୍କେତ ଦେଇଥିଲେ। ଫଳରେ ଭାରତ ଫଲୋଅନ୍ ଡାକିବ କି ନାହିଁ ସେ ନିଷ୍ପତ୍ତି ହୋଇ ପାରି ନଥିଲା। ରବିବାର ସକାଳୁ ହିଁ ଏହା ସ୍ପଷ୍ଟ ହେବ। ତେବେ ବୋଲରଙ୍କୁ କିଛି ଘଣ୍ଟାର ବିଶ୍ରାମ ଦେବା ଲାଗି ଭାରତ ଫଲୋଅନ୍ ନଦେଇ ଦ୍ବିତୀୟ ପାଳି ଆରମ୍ଭ କରିବାର ସମ୍ଭାବନା ଅଧିକ ରହିଛି। ଏଥିନେଇ ଅବଶ୍ୟ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସଙ୍କେତ ଦିଆଯାଇନାହିଁ। ଭାରତର କୀର୍ତ୍ତିମାନଭରା ପ୍ରଥମ ପାଳି ପରେ ଦକ୍ଷିଣ ଆଫ୍ରିକା ଶୁକ୍ରବାର ଦ୍ବିତୀୟ ଦିନରେ ୩ ୱିକେଟ୍ ହରାଇ ମାତ୍ର ୩୬ ରନ୍ କରିଥିଲା। ଶନିବାର ସେହି ସ୍କୋରରୁ ଖେଳ ଆରମ୍ଭ କରି ମାତ୍ର ୫ ରନ୍ ପରେ ନାଇଟ୍ ୱାଚମ୍ୟାନ୍ ଆନରିଚ୍ ନର୍ତଜେଙ୍କୁ ହରାଇଥିଲା ଦକ୍ଷିଣ ଆଫ୍ରିକା। ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ୍ ଥିଉରନ୍ ଡି’ବ୍ରୁଇନ୍ ମଧ୍ୟ ୭ ରନ୍‌ ପରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ନର୍ତଜେଙ୍କୁ ମହମ୍ମଦ ସାମି ଏବଂ ଡି’ ବ୍ରୁଇନଙ୍କୁ ଉମେଶ ଯାଦବ ଶିକାର କରିଥିଲେ। ତେବେ ଦୁଇ ବିପଜ୍ଜନକ ଖେଳାଳି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୬୪) ଓ ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍ (୩୧)ଙ୍କୁ ରବିଚନ୍ଦ୍ରନ୍ ଅଶ୍ବିନ ପ୍ୟାଭିଲିୟନ ଫେରାଇଥିଲେ। ଏହା ପୂର୍ବରୁ ସିନୁରନ୍ ମୁଥୁସାମୀଙ୍କୁ ରବିନ୍ଦ୍ର ଜାଦେଜା ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଦକ୍ଷିଣ ଆଫ୍ରିକା ସେଥିପାଇଁ ୨୦୦ ରନ୍ ତଳେ ଅଟକି ଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ଫିଲାଣ୍ଡର ଏବଂ ମହାରାଜ ୪୩.୧ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲରଙ୍କୁ ନୟାନ୍ତ କରିଥିଲେ। ଉଭୟ ଶତକୀୟ ଭାଗୀଦାରି କରି ନେଇଥିଲେ। ମହାରାଜ ୯୬ ବଲ୍‌ରୁ ନିଜ ପ୍ରଥମ ଅର୍ଧଶତକ ପୂରଣ କରିଥିଲେ। ଫିଲାଣ୍ଡର ନିଜ ନବମ ଅର୍ଧଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଅଶ୍ବିନ ଆରପଟୁ ମହାରାଜ ଏବଂ କାଗିସୋ ରବାଦାଙ୍କ ୱିକେଟ୍ କରାୟତ କରି ନେଇଥିଲେ। ଫଳରେ ସେ ୪୪ ରନ୍‌ରେ ଅପରାଜିତ ରହିଥିଲେ। ଶେଷ ୱିକେଟ୍ ଭାବେ ଆଉଟ୍ ‌ହୋଇଥିବା ରବାଦା ରିଭ୍ୟୁ କରି ମଧ୍ୟ ନିଜ ୱିକେଟ୍ ବଞ୍ଚାଇ ପାରି ନଥିଲେ। ଅଶ୍ବିନ ୪ ୱିକେଟ୍ ସଫଳତା ପାଇବା ବ୍ୟତୀତ ଉମେଶ ୩ ଏବଂ ଜାଦେଜା ୨ ୱିକେଟ୍ ହାସଲ କରିଥିଲେ।

ପୁନେ ଟେଷ୍ଟ୍‌ର ଦ୍ବିତୀୟ ଦିନରେ କୀର୍ତ୍ତିମାନ ଭରା ଦ୍ବିଶତକ ଅର୍ଜନ କରିବା ପରେ ତୃତୀୟ ଦିନ ଭାରତୀୟ ଅଧିନାୟକ ବିରାଟ କୋହଲି ଅସାଧାରଣ କ୍ଷେତ୍ରରକ୍ଷଣ ଦକ୍ଷତାର ନମୁନା ଦେଖାଇଥିଲେ। ନିଜ ଡାହାଣ ପଟକୁ ଡାଇଭ୍ ମାରି ଏକ ତଳୁଆ କ୍ୟାଚ୍ ନେବା ସହ ଆନରିଚ୍ ନର୍ତଜେଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥି‌ଲେ କୋହଲି। ମହମ୍ମଦ ସାମିଙ୍କ ବଲ୍‌ରେ ‌ସେ ନେଇଥିବା ଏହି କ୍ୟାଚ୍ ଦିନର ଶ୍ରେଷ୍ଠ କ୍ୟାଚ୍ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ହେଲେ ୱିକେଟ୍ ରକ୍ଷକ ରିଦ୍ଧିମାନ ଶାହା କିଛି ସମୟ ପରେ କୋହଲିଙ୍କୁ ଟପି ଯାଇଥିଲେ। ସେ ଆଉ ଏକ ଚମତ୍କାର କ୍ୟାଚ୍ ନେଇ ଥିଉନିସ୍ ଡି’ ବ୍ରୁଇନଙ୍କୁ ଆଉଟ୍ କରି ଦେଇଥିଲେ। ଉମେଶ ଯାଦବଙ୍କ ଏହି ବଲ୍‌କୁ ଡି’ବ୍ରୁଇନ୍ ଶକ୍ତ ହାତରେ ଖେଳିବା ପରେ ଏହା ବ୍ୟାଟ୍‌ର ଧାରରେ ବାଜି ପଛକୁ ଯାଇଥିଲା। ସଜାଗ ରିଦ୍ଧିମାନ ନିଜ ଡାହାଣ ପଟକୁ ଲମ୍ପ ମାରି ପ୍ରଥମ ସ୍ଲିପରେ ହିଁ ଏହାକୁ ଧରି ନେଇଥିଲେ। ଶନିବାର ଖେଳର ଷଷ୍ଠ ଓଭରରେ ହିଁ ସେ ନିଜ କ୍ୟାଚିଂ କମାଲ ଦେଖାଇଥିଲେ।

ସମ୍ବନ୍ଧିତ ଖବର