ଜାମାଇକା: କ୍ରିକେଟ୍ ଦୁନିଆ ଶନିବାର ପ୍ରଥମ ଥର ଗୋଟିଏ ଓଭରରେ ୬ ଛକାର ୫୬ ବର୍ଷ ପୂର୍ତ୍ତି ପାଳନ କରିଥିବାବେଳେ ଉକ୍ତ ଦିନ ଏକାଧିକ ସ୍ଥାନରେ ଛକା ବର୍ଷା ନଜରକୁ ଆସିଛି। ପ୍ରଥମ ୬ ଛକା ମାରିଥିବା ଗ୍ୟାରି ସୋବର୍ସଙ୍କ ଦେଶରେ ବି ଶନିବାର ଛକାରେ ବିଶ୍ବ ରେକର୍ଡ ପ୍ରତିଷ୍ଠା ହୋଇଛି। କାରବୀୟ ପ୍ରିମିୟର୍ ଲିଗ୍ (ସିପିଏଲ୍)ରେ ଶନିବାର ରାତିରେ ୱେଷ୍ଟଇଣ୍ଡିଜ୍ ତାରକା ନିକୋଲାସ ପୂରନ ଛକାରେ ଏକ ନୂଆ ବିଶ୍ବ ରେକର୍ଡ କରିଛନ୍ତି। ଗୋଟିଏ ବର୍ଷରେ ସର୍ବାଧିକ ଛକା ମାରିବାରେ ଏହା ପୂର୍ବରୁ କ୍ରିସ୍ ଗେଲଙ୍କ ନାମରେ ଥିଲା। ଗେଲ୍ ୨୦୧୫ ମସିହାରେ ୧୩୫ ଛକା ମାରିଥିଲେ। କିନ୍ତୁ ଚଳିତ ବର୍ଷର ଆହୁରି ୪ ମାସ ବାକି ଥିବାବେଳେ ନିକୋଲାସ୍ ପୂରନ ୨୦୨୪ରେ ନିଜ ଛକା ସଂଖ୍ୟାକୁ ୧୩୯ରେ ପହଞ୍ଚାଇ ସାରିଛନ୍ତି।
ସିପିଏଲ୍ରେ ତ୍ରିନ୍ବାଗ୍ ନାଇଟ୍ ରାଇଡର୍ସ ପାଇଁ ଖେଳୁଥିବା ପୂରନ ଶନିବାର ରାତିରେ ସେଣ୍ଟ୍ କିଟ୍ସ ଆଣ୍ଡ ନେଭିସ୍ ପ୍ୟାଟ୍ରିଅଟ୍ସ ବିପକ୍ଷରେ ୪୩ ବଲ୍ରୁ ୯୭ ରନ୍ କରିବା ଅବସରରେ ୯ ଛକା ମାରିଥିଲେ। ତାଙ୍କ ଦଳ ୨୫୦ ରନ୍ କରିବା ସହ ଏହି ମ୍ୟାଚ୍କୁ ୪୪ ରନ୍ରେ ବି ଜିତିଛି। ଏବେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷର ସର୍ବାଧିକ ଛକା ତାଲିକାରେ ପୂରନ ଶୀର୍ଷକୁ ଉଠିଛନ୍ତି। ଗେଲ୍ କିନ୍ତୁ ପରବର୍ତ୍ତୀ ୩ ସ୍ଥାନରେ ରହିଛନ୍ତି। ୨୦୧୫ରେ ୧୩୫ ଛକା, ୨୦୧୨ରେ ୧୨୧ ଛକା ଓ ୨୦୧୧ରେ ୧୧୬ ଛକା ମାରିଥିଲେ ଗେଲ୍। ଛକା କୃତିତ୍ବ ବ୍ୟତୀତ ପୂରନ ମଧ୍ୟ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ରନ୍ (୧୮୪୪ ରନ୍) ତୃତୀୟରେ ରହିଛନ୍ତି। ପାକିସ୍ତାନର ମହମ୍ମଦ ରିଜୱାନ (୨୦୩୬ ରନ୍, ୨୦୨୧) ଏବଂ ଇଂଲଣ୍ଡର ଆଲେକ୍ସ ହେଲ୍ସ (୧୯୪୬ ରନ୍, ୨୦୨୨) ପ୍ରଥମ ଦୁଇ ସ୍ଥାନରେ ଅଛନ୍ତି।