କଟକ: ଫନି ବାତ୍ୟା ପ୍ରଭାବରେ ପୁରୀର ଇଣ୍ତୋର ଷ୍ଟାଡିୟମର ଆଉ ଚିହ୍ନବର୍ଣ୍ଣ କିଛି ନାହିଁ। ଚାରିଆଡେ ଖାଲି ଇଟା, ସିମେଣ୍ଟ ଖଣ୍ତ, ରଡ୍ ପଡ଼ିରହିଛି। ଛାତ ଉଡିଯାଇଥିଲା ବେଳେ ଫ୍ରେମ୍ ଭାଙ୍ଗିପଡ଼ିଛି। ଷ୍ଟାଡିୟମ ଭିତରେ ଜିମ୍ନାଷ୍ଟିକ୍ ଅଭ୍ୟାସ ପାଇଁ ଥିବା ବିଭିନ୍ନ ଉପକରଣ ସ˚ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏଭଳିସ୍ଥିତିରେ ଜିମ୍ନାଷ୍ଟିକ୍ କେଉଁଠାରେ ଅଭ୍ୟାସ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟର ଏକମାତ୍ର ଜିମ୍ନାଷ୍ଟିକ୍ କ୍ରୀଡା ଛାତ୍ରାବାସ ପୁରୀରେ ଥିବାବେଳେ ଉକ୍ତ ଇଣ୍ତୋର ଷ୍ଟାଡିୟମରେ ଅଭ୍ୟାସ କରାଯାଉଥିଲା। କିନ୍ତୁ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଟିମ୍ ଏହାକୁ ଅସୁରକ୍ଷିତ ଘୋଷଣା କରିଥିଲାବେଳେ ଏହାର ଭଗ୍ନାବଶେଷକୁ ସ˚ପୂର୍ଣ୍ଣ ରୂପେ ଭଙ୍ଗାଯାଇ ନୂଆକରି ଷ୍ଟାଡିୟମ ନିର୍ମାଣ କରାଯିବାକୁ ପଡ଼ିବ ବୋଲି ଜଣାଇଛନ୍ତି। ଏହା ସମୟସାପେକ୍ଷ ହୋଇଥିବାରୁ ଜିମ୍ନାଷ୍ଟିକ୍ ଖେଳାଳିମାନଙ୍କୁ କଟକର ଇଣ୍ତୋର ଷ୍ଟାଡିୟମରେ ଅଭ୍ୟାସ କରାଇବା ପାଇଁ ଏଠାରେ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ରାଜ୍ୟ କ୍ରୀଡ଼ା ବିଭାଗ ନିକଟରେ ଦାବି ଜଣାଇବ ଓଡ଼ିଶା ଜିମ୍ନାଷ୍ଟିକ୍ ସ˚ଘ।
ପୂର୍ବରୁ କଟକ ଓ ବାରିପଦା କ୍ରୀଡ଼ା ଛାତ୍ରାବାସରେ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ ଦିଆଯାଉଥିଲା। କିନ୍ତୁ ୭ବର୍ଷ ପୂର୍ବରୁ ଏହି ଦୁଇ ସ୍ଥାନରୁ ଜିମ୍ନାଷ୍ଟିକ୍ ଉଠାଇ ଦିଆଯାଇ ପୁରୀରେ ଗୋଟିଏ କେନ୍ଦ୍ର ଚାଲୁରଖାଯାଇଥିଲା। ବର୍ତ୍ତମାନ ସେଠାରେ ମୟୁରଭଞ୍ଜରୁ ୨ଜଣ ଓ ପୁରୀରୁ ୧୮ଜଣ ଖେଳାଳି ରହି ଅଭ୍ୟାସ କରିଆସୁଛନ୍ତି। ତେବେ ଖରାଛୁଟି ଥିବାରୁ ଜୁନ୍ ୧୮ରେ ହଷ୍ଟେଲ ଖୋଲିବାକୁ ବିଜ୍ଞପ୍ତି ଦିଆଯାଇଥିଲା। ଛୁଟି ଖୋଲିବା ପରେ ବି ସେମାନେ ଅଭ୍ୟାସ କରିବାକୁ କୌଣସି ସ୍ଥାନ ତାଙ୍କ ପାଖରେ ନାହିଁ। କଟକରେ ଏବେ ଓଡ଼ିଶା କ୍ରୀଡ଼ା ପରିଷଦ କାର୍ଯ୍ୟାଳୟ ପାଖରେ ଜିମ୍ନାଷ୍ଟିକ୍ ଅଭ୍ୟାସ କରୁଥିବାରୁ ତାଙ୍କ ପାଖରେ ଖେଳ ଉପକରଣ ରହିଛି। ତେଣୁ ତାହାକୁ କ୍ରୀଡ଼ା ଛାତ୍ରାବାସ ଖେଳାଳିଙ୍କ ପାଇଁ ବ୍ୟବହାର କରାଯାଇପାରିବ। ତେଣୁ ପୁରୀ ଇଣ୍ତୋର ଷ୍ଟାଡିୟମ ନିର୍ମାଣ ହେବା ପର୍ଯ୍ୟନ୍ତ କଟକରେ ଜିମ୍ନାଷ୍ଟିକ୍ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବାକୁ ରାଜ୍ୟ ସ˚ଘ ସମ୍ପାଦକ ଅଶୋକ ସାହୁ କ୍ରୀଡ଼ା ବିଭାଗକୁ ଅନୁରୋଧ କରିବେ ବୋଲି ସୂଚନା ଦେଇଛନ୍ତି।
ପୁରୀ ଜିମ୍ନାଷ୍ଟିକ୍ ଛାତ୍ରାବାସରୁ ପ୍ରଶିକ୍ଷଣ ନେଇ ପୂର୍ବରୁ ରାକେଶ ପାତ୍ର ଭାରତକୁ ପ୍ରତିନିଧିତ୍ବ କରିଥିଲେ। ଓଡ଼ିଶା ପୁଲିସ୍ର ଜିମ୍ନାଷ୍ଟିକ୍ ଦଳ ଏଠାରେ ଅଭ୍ୟାସ କରିଥାଏ। ଆଗକୁ ଜୁନ୍ ମାସରେ ମଙ୍ଗୋଲିଆରେ ହେବାକୁଥିବା ଏସୀୟ ପ୍ରତିଯୋଗିତା ପାଇଁ ଚାଲିଥିବା ଚୟନ ଶିବିରରେ ଏହି ଛାତ୍ରାବାସର ତପନ ମହାନ୍ତି ଓ ଜଗଦୀଶ ବାରିକ ସ୍ଥାନ ପାଇଛନ୍ତି। ସେମାନଙ୍କ ଦକ୍ଷତାକୁ ଦେଖିଲେ ଭାରତୀୟ ଦଳରେ ଉଭୟ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ ବୋଲି ରାଜ୍ୟ ସ˚ଘ ପକ୍ଷରୁ ଦାବି କରାଯାଉଛି। ତେଣୁ ଏହି ସ୍ତରୀୟ ଖେଳାଳି ସୃଷ୍ଟି କରୁଥିବା କ୍ରୀଡ଼ା ଛାତ୍ରାବାସକୁ ଏବେ ବନ୍ଦ ରଖିବା ଅପେକ୍ଷା କଟକରେ ସେମାନଙ୍କୁ ଅଭ୍ୟାସ ପାଇଁ ସୁଯୋଗ ଦେବାକୁ ଶ୍ରୀସାହୁ ପ୍ରତିକ୍ରିୟା ଦେଇଛନ୍ତି।