କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (ଓଟିପିଏଲ୍)ର ସୋମବାର ପୁରୀ ଟାଇଟନ୍ସ ଓ କଟକ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ଅପରାହ୍ଣ ମ୍ୟାଚ୍ରେ ପୁରୀ ଟାଇଟନ୍ସ ୪୫ ରନ୍ରେ ରାଉରକେଲା ଷ୍ଟିଲର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ପାଇଛି। ବର୍ଷା ପାଇଁ ମ୍ୟାଚ୍ ୧୮ ଓଭର ବିଶିଷ୍ଟ ହୋଇଥିଲା। ଟସ୍ ହାରି ବ୍ୟାଟିଂ କରିଥିବା ପୁରୀ ୭ ୱିକେଟ୍ ହରାଇ ୧୬୧ରନ କରିଥିଲା। ରାଜେଶ ମହାନ୍ତି ୪୫ ଏବଂ କାର୍ତ୍ତିକ ବିଶ୍ୱାଳ ୪୨ ରନ୍ କରିଥିଲେ। ରାଉରକେଲା ପକ୍ଷରୁ ପ୍ରଦୀପ ପ୍ରଧାନ ୩ ୱିକେଟ୍ ନେଇଥିଲେ। ପୁଣି ବର୍ଷା ଯୋଗୁଁ ଡିଏଲ୍ଏସ୍ ମେଥଡ୍ରେ ରାଉଲକେଲା ଦଳକୁ ୧୦.୪ ଓଭରରେ ୯୭ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। ରାଉରକେଲା ୧୦.୪ ଓଭରରେ ୫ ୱିକେଟ ହରାଇ ୫୧ ରନ୍ କରିପାରିଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି କାର୍ତ୍ତିକଙ୍କୁ ଅତିଥି କ୍ରୀଡ଼ା ସଂଗଠକ କିଶୋର ବେହେରା ପୁରସ୍କାର ପ୍ରଦାନ କରିଥିଲେ।
ଦ୍ବିତୀୟ ମ୍ୟାଚ୍ରେ ବିପ୍ଳବ ସାମନ୍ତରାୟ (୨.୪-୦-୨୯-୪)ଙ୍କ ଘାତକ ବୋଲିଂରେ କଟକ ପାନ୍ଥର୍ସ ୧୭ ରନ୍ରେ ସମ୍ବଲପୁର ୱାରିୟର୍ସକୁ ହରାଇଛି। ବର୍ଷା ପାଇଁ ମ୍ୟାଚ୍ ୧୨ ଓଭରିଆ ଖେଳାଯାଇଥିଲା। କଟକ ପାନ୍ଥର୍ସ ୯ ୱିକେଟ୍ ହରାଇ ୧୨୮ ରନ୍ କରିଥିଲା। ଦଳ ପକ୍ଷରୁ ଶୁଭମ୍ ଶତ୍ରୁଜିତ ୩୩, ଅଭିଶେଖ ରାଉତ ୨୮ ଏବଂ ବିପ୍ଳବ ସାମନ୍ତରାୟ ୧୧ ରନ୍ କରିଥିଲେ। ସମ୍ବଲପୁର ପକ୍ଷରୁ ସୁମିତ ଶର୍ମା ୩ ଏବଂ ଆୟୁଷ ବାରିକ ଓ ବିମଲ କୁମାର ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ସମ୍ବଲପୁର ୱାରିୟର୍ସ ୧୧.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୧ ରନ୍ କରିଥିଲେ। ଆଦିତ୍ୟ ରାଉତ ଓ ପ୍ରୟାସ କୁମାର ସିଂହ ୩୨ ରନ୍ ଲେଖାଏଁ କରିଥିଲେ। ବିପ୍ଳବଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଫାଓ ସଂପାଦକ ଆଶୀର୍ବାଦ ବେହେରା ପ୍ରଦାନ କରିଥିଲେ।