ନାଗାଲାଣ୍ତରୁ ପ୍ରତିନିଧିତ୍ବ କରି ଶୀର୍ଷ ଗ୍ରେଡ୍‌ ପାଇଲେ ପୂର୍ଣ୍ଣେନ୍ଦୁ

ଓଡ଼ିଶାର କୌଣସି ଟ୍ରେନର ଏନ୍‌ସିଏ ଯୋଗ୍ୟତା ହାସଲ କରିପାରିଲେନି

କଟକ: ଓଡ଼ିଶା କ୍ରିକେଟ୍‌ ଦଳ ସହିତ ୬ ଜଣ ଟ୍ରେନର ଜଡ଼ିତ ଅଛନ୍ତି। ହେଲେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)କୁ ଜଣେ ହେଲେ ବି ପ୍ରଶିକ୍ଷକ ଯୋଗ୍ୟତା ଅର୍ଜନ କରିପାରିଲେନି। ମାର୍ଚ୍ଚରେ ହୋଇଥିବା ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚ ପ୍ରଶିକ୍ଷକମାନଙ୍କର କର୍ମଶାଳାକୁ ପ୍ରାଥମିକ ପର୍ଯ୍ୟାୟରେ ୬୫ ଜଣଙ୍କ ନାମ ଚୟନ ହୋଇଥିଲା ବେଳେ ଓଡ଼ିଶା କ୍ରିକେଟ ସ˚ଘ (ଓସିଏ)ର ପ୍ରତିନିଧିତ୍ବ ଶୂନ ରହିଥିଲା। ହେଲେ ଭଦ୍ରକ ବାସିନ୍ଦା ତଥା ନାଗାଲାଣ୍ତ ରଣଜୀ ଦଳର ଟ୍ରେନର ପୂର୍ଣ୍ଣେନ୍ଦୁ ଜେନା ଏକମାତ୍ର ଓଡ଼ିଆ ଭାବେ ଏନ୍‌ସିଏ ଯୋଗ୍ୟତା ହାସଲ କରିଥିଲା ବେଳେ ସବୁଠୁ ଶୀର୍ଷ ପ୍ରୋଫିସିଏଣ୍ଟ ଗ୍ରେଡ୍‌ରେ ସ୍ଥାନ ପାଇଛନ୍ତି।

ଏନ୍‌ସିଏ ପକ୍ଷରୁ ସାରା ଦେଶରେ କାର୍ଯ୍ୟ କରୁଥିବା ବିଭିନ୍ନ ବୟସ ବର୍ଗର ଟ୍ରେନରମାନଙ୍କ ମଧ୍ୟରୁ ପ୍ରାଥମିକ ଭାବେ ୬୫ ଜଣଙ୍କୁ ଚୟନ କରାଯାଇଥିଲା। ଟ୍ରେନରମାନଙ୍କ ଅଭିଜ୍ଞତା, କାର୍ଯ୍ୟଶୈଳୀ ଏବ˚ ଅନ୍ୟାନ୍ୟ ତଥ୍ୟକୁ ସ˚ଗ୍ରହ କରାଯାଇ ଏମାନଙ୍କୁ ଚୟନ କରାଯାଇଥିଲା। ଏଥିରେ ପୂର୍ଣ୍ଣେନ୍ଦୁ ଏକମାତ୍ର ଓଡ଼ିଆ ଭାବେ ସ୍ଥାନ ପାଇଥିଲେ। ତେବେ ଏହି ୬୫ ଜଣଙ୍କ ମଧ୍ୟରୁ ଯୋଗ୍ୟତା ଓ ଅନ୍‌ଲାଇନ୍‌ ପରୀକ୍ଷା ପରେ ୪୨ ଜଣ ଟ୍ରେନରଙ୍କୁ କର୍ମଶାଳା ପାଇଁ ଚୟନ କରାଯାଇଥିଲା। ଏନ୍‌ସିଏର ନିର୍ଦ୍ଦେଶକ ତଥା ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏସବୁ ତଥ୍ୟ ସ˚ଗ୍ରହ ଓ ଚୟନ କାର୍ଯ୍ୟ କରାଯାଇଥିଲା। ଉକ୍ତ ୪୨ ଜଣ ଟ୍ରେନରଙ୍କୁ ନେଇ ଦୁଇଟି ଗ୍ରୁପ୍‌ରେ ମାର୍ଚ୍ଚ ୮ରୁ ୧୦ ଓ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥିଲା। ଇ˚ଲଣ୍ତର ଆର୍ସେନାଲ ଏଫ୍‌ସିର ମୁଖ୍ୟ ଟ୍ରେନର ଡେସ୍‌ ରାୟନ, କ୍ରୀଡ଼ା ବିଶେଷଜ୍ଞ ତଥା ମାଞ୍ଚେଷ୍ଟର ସିଟିର ମୁଖ୍ୟ ଟ୍ରେନର ସେନ୍‌ ମର୍ଫି ଓ ଜର୍ମାନ ରଗ୍‌ବୀ ଦଳର ଟ୍ରେନର ଆଣ୍ଟୋନିଓ ମୋବିଆନ୍‌ ସମସ୍ତଙ୍କ ପରୀକ୍ଷା କରାଇଥିଲେ। ଫଳାଫଳରେ ଏମ୍‌ସିକ୍ୟୁରେ ପୂର୍ଣ୍ଣେନ୍ଦୁ ୭୧.୪ ପ୍ରତିଶତ ନମ୍ବର ପାଇଥିଲା ବେଳେ ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚ ପ୍ରଶିକ୍ଷକ ମୂଲ୍ୟାୟନରେ ପ୍ରୋଫିସିଏଣ୍ଟ ଗ୍ରେଡ୍‌ ପାଇଛନ୍ତି। ଏହାଦ୍ବାରା ପୂର୍ଣ୍ଣେନ୍ଦୁ ଏବେ ଏନ୍‌ସିଏର ଜଣେ ନିୟମିତ ଟ୍ରେନର ଭାବେ ମାନ୍ୟତା ପାଇଛନ୍ତି। ଯଦିଓ ପୂର୍ବରୁ ବିଭିନ୍ନ ସମୟରେ ହୋଇଥିବା ଜୋନାଲ୍‌ ଶିବିରଗୁଡ଼ିକରେ ସେ ଯୋଗଦେଇଛନ୍ତି, କିନ୍ତୁ ଏବେ ନିୟମିତ ଭାବେ ଏନ୍‌ସିଏ ସହିତ ସେ ଜଡ଼ିତ ହୋଇପାରିବେ।

କିନ୍ତୁ ବିଡ଼ମ୍ବନାର ବିଷୟ, ଓଡ଼ିଶାରୁ ଜଣେ ହେଲେ ଟ୍ରେନର ମାନ୍ୟତା ପାଇବା ତ ଦୂରର କଥା ୬୫ ଜଣିଆ ପ୍ରାଥମିକ ତାଲିକାରେ ସ୍ଥାନ ବି ପାଇପାରିଲେନି। ରଣଜୀ ଦଳରେ ମନୋଜ ବିଶ୍ବାଳ, ୨୩ ବର୍ଷରୁ କମ୍‌ ଦଳରେ ମହେଶ ମଲ୍ଲ, ୧୯ ବର୍ଷରୁ କମ୍‌ ଦଳରେ ଜଗତ ର˚ଜନ ଦାସ, ୧୬ ବର୍ଷରୁ କମ୍‌ ଦଳରେ ର˚ଜନ ରାଏ, ବରିଷ୍ଠ ମହିଳା ଦଳରେ ଶ୍ବେତା ସାମନ୍ତରାୟ ଓ କନିଷ୍ଠରେ ଟିକିଲତା ପ୍ରଧାନ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଜଣେ ହେଲେ ପ୍ରାଥମିକ ତାଲିକାରେ ସ୍ଥାନ ନପାଇବା ସେମାନଙ୍କ ଦକ୍ଷତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଯଦିଓ ଆଗକୁ ଓସିଏ ପକ୍ଷରୁ ନୂଆ ପ୍ରଶିକ୍ଷକ ଓ ଟ୍ରେନରମାନଙ୍କ ନାମ ଘୋଷଣା କରାଯିବାକୁ ଯୋଜନା ରହିଛି। କିନ୍ତୁ କେଉଁ ଭିତ୍ତିରେ ସେମାନଙ୍କୁ ଚୟନ କରାଯିବ ତାହା ଉପରେ ମଧ୍ୟ ନଜର ରହିବ।

ସମ୍ବନ୍ଧିତ ଖବର